କ୍ରମାଗତ ଚତୁର୍ଥ ଦିନିକିଆ ଶୃଙ୍ଖଳା ବିଜୟ
ହରାରେ, ୨୦ା୮ (ଏଜେନ୍ସି): ପେସର୍ ଶାର୍ଦ୍ଦୂଳ ଠାକୁରଙ୍କ ନେତୃତ୍ୱରେ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ ପରେ ସଞ୍ଜୁ ସାମ୍ସନ୍ଙ୍କ ଦାୟିତ୍ୱପୂର୍ଣ୍ଣ ଅପରାଜିତ ୪୩ ରନ୍ ବଳରେ ଭାରତ ଶନିବାର ଦ୍ୱିତୀୟ ଦିନିକିଆରେ ଜିମ୍ବାୱେକୁ ୫ ୱିକେଟ୍ରେ ପରାସ୍ତ କରିଛି । ଏଥି ସହିତ ଟିମ୍ ଇଣ୍ଡିଆ ୨-୦ରେ ଅପରାଜେୟ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ କବ୍ଜା କରିଛି । ୨୨ରେ ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ ।
ଭାରତର ଏହା କ୍ରମାଗତ ଚତୁର୍ଥ ଦିନିକିଆ ଶୃଙ୍ଖଳା ବିଜୟ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଚଳିତ ବର୍ଷ ଦୁଇ ଥର ୱେଷ୍ଟଇଣ୍ଡିଜ୍ ଓ ଥରେ ଇଂଲଣ୍ଡକୁ ହରାଇଥିଲା । ତେବେ ଜିମ୍ବାୱେ ବିପକ୍ଷରେ ଭାରତ କ୍ରମାଗତ ସପ୍ତମ ଦିନିକିଆ ଶୃଙ୍ଖଳା ଜିତିଛି । ୧୯୯୮ରୁ ଭାରତୀୟ ଟିମ୍ ଏହି ସଫଳତା ପାଇଆସୁଛି ।
କମ୍ବ୍ୟାକ୍ ମ୍ୟାନ୍ ଶାର୍ଦ୍ଦୂଳ ଠାକୁର (୭ ଓଭର୍ରେ ୩୮/୩) ସର୍ବାଧିକ ୱିକେଟ୍ ନେବା ସହ ଭାରତୀୟ ବୋଲର୍ ପୁଣି ଥରେ ଜିମ୍ବାୱେକୁ ବଡ଼ ସ୍କୋର୍ କରିବାର ସୁଯୋଗ ଦେଇ ନ ଥିଲେ । ଆୟୋଜକ ଟିମ୍ ୩୮.୧ ଓଭର୍ରେ ୧୬୧ ରନ୍ରେ ସୀମିତ ରହିଥିଲା । ଟିମ୍ ପୂର୍ବ ଠାରୁ ବି ଆହୁରି ଦୁର୍ବଳ ପ୍ରଦର୍ଶନ କରିଥିଲା ।
ଏହି ମ୍ୟାଚ୍ରେ ଭାରତର ପ୍ରଥମ ଦିନିକିଆ ଭଳି ଆଧିପତ୍ୟ ଦେଖିବାକୁ ମିଳି ନ ଥିଲା । ୧୬୨ ରନ୍ର ବିଜୟଲକ୍ଷ୍ୟକୁ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଟିମ୍ ୨୬ତମ ଓଭର୍ରେ ହାସଲ କରିଥିଲା । କିନ୍ତୁ ଏଥିପାଇଁ ଟିମ୍ ୫ ୱିକେଟ୍ ହରାଇଥିଲା । ଜିମ୍ବାୱେ ବିପକ୍ଷରେ ଏହା ଭାରତର କ୍ରମାଗତ ରେକର୍ଡ ୧୪ତମ ବିଜୟ । ଅପରାଜିତ ୪୩ ରନ୍ କରିବା ସହ ୩ କ୍ୟାଚ୍ ଧରିଥିବା ସାମ୍ସନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ପ୍ରଥମ ମ୍ୟାଚ୍ରେ ୧୯୨ ରନ୍ର ଅପରାଜିତ ଭାଗୀଦାରୀ କରିଥିବା ଧାବନ୍ ଓ ଗିଲ୍ଙ୍କ ଯୋଡ଼ି ଏଥର ଓପନିଂ କରି ନ ଥିଲା । ଅଧିନାୟକ ରାହୁଲ, ଧାବନ୍ଙ୍କ ସହ ଇନିଂସ୍ ଓପନ୍ କରିଥିଲେ । ପ୍ରାୟ ତିନି ମାସ ପରେ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ନିଜ ପୁରୁଣା ପୋଜିସନ୍ରେ ସେ ବେଶୀ ସମୟ ତିଷ୍ଠି ନ ଥିଲେ ଏବଂ ମାତ୍ର ୧ ରନ୍ କରି ଭିକ୍ଟର ନ୍ୟାଉଚିଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ଦ୍ୱିତୀୟ ଓଭର୍ରେହିଁ ଓପନିଂ ଯୋଡ଼ି ଭାଙ୍ଗିଥିଲା ।
ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଶୁଭମନ ଗିଲ୍ । ଧାବନ୍ ଓ ଗିଲ୍ଙ୍କ ମଧ୍ୟରେ ୪୨ ରନ୍ର ଭାଗୀଦାରୀ ହୋଇଥିଲା । ଧାବନ୍ ୨୧ ବଲ୍ରୁ ୪ ଚୌକା ସହାୟତାରେ ୩୩ ରନ୍ କରି ତନକା ଚିଭାଙ୍ଗାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଈଶାନ କିଶନ (୬) ମଧ୍ୟ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ତାଙ୍କ ୱିକେଟ୍ ଲୁ୍ୟକ୍ ଜଙ୍ଗୱେଙ୍କ ଖାତାକୁ ଯାଇଥିଲା । ଗିଲ୍ ୩୪ ବଲ୍ରୁ ୬ ଚୌକା ସହାୟତାରେ ୩୩ ରନ୍ କରି ଜଙ୍ଗୱେଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
୯୭ ରନ୍ରେ ଟିମ୍ ୪ ୱିକେଟ୍ ହରାଇଥିଲା । ଏହାପରେ ସାମ୍ସନ୍ ଓ ଦୀପକ ହୁଡ଼ା ମିଶି ଟିମ୍କୁ ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର କରାଇଥିଲେ । ପଞ୍ଚମ ୱିକେଟ୍ ପାଇଁ ୫୬ ରନ୍ର ଭାଗୀଦାରୀ ହୋଇଥିଲା । ହୁଡ଼ା ୨୫ ରନ୍ କରି ସିକନ୍ଦର ରାଜାଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଏହି ଯୋଡ଼ି ଭାଙ୍ଗିବା ବେଳକୁ ଟିମ୍ ବିଜୟଲକ୍ଷ୍ୟ ଠାରୁ ମାତ୍ର ୯ ରନ୍ ଦୂରରେ ଥିଲା । ସାମ୍ସନ୍ ଓ ଅକ୍ଷର ପଟେଲ୍ ଅବଶିଷ୍ଟ କାମ ଶେଷ କରିଥିଲେ । ଭାରତୀୟ ଟିମ୍ ୨୫.୪ ଓଭର୍ରେ ୫ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ସାମ୍ସନ୍ ୩୯ ବଲ୍ରୁ ୩ ଚୌକା ଓ ୪ ଛକା ସହାୟତାରେ ୪୩ ଏବଂ ପଟେଲ୍ ୬ ରନ୍ କରି ଅପରାଜିତ ଥିଲେ ।
ଏଥି ପୂର୍ବରୁ ଭାରତ ପୁଣି ଥରେ ଟସ୍ ଜିତି ଜିମ୍ବାୱେଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦୀପକ ଚାହରଙ୍କ ସ୍ଥାନରେ ଠାକୁରଙ୍କୁ ଟିମ୍ରେ ସାମିଲ୍ କରାଯାଇଥିଲା ।
୭୨ ରନ୍ ମଧ୍ୟରେ ଜିମ୍ବାୱେର ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଦୁଇ ଓପନର୍ ତାକୁଦଜ୍ୱାନାଶେ କାଇତାନୋ (୭) ଓ ଇନୋସେଣ୍ଟ କାଇଆ (୧୬) ଯଥାକ୍ରମେ ମହମ୍ମଦ ସିରାଜ ଓ ଠାକୁରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ବିପର୍ଯ୍ୟୟ ଜାରି ରହିଥିଲା । ଅଧିନାୟକ ରେଗିସ୍ ଚକାବଭା (୨) ଠାକୁର ଓ ୱେସଲୀ ମାଧେଭେରେ (୨) ପ୍ରସିଦ୍ଧ କ୍ରିଷ୍ଣଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ସିକନ୍ଦର ରାଜା ୧୬ ରନ୍ କରି କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ ।
ଏହାପରେ ସିନ୍ ୱିଲିଅମ୍ସ ଓ ରିଆନ୍ ବର୍ଲ ଟିମ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ । ଇନିଂସ୍ ଅନ୍ତତଃ ୧୦୦ ଟପିଥିଲା । ୱିଲିଅମ୍ସ ବ୍ୟକ୍ତିଗତ ୪୨ ରନ୍ରେ ହୁଡ଼ାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ବର୍ଲ ୩୯ ରନ୍ କରି ଶେଷ ଯାଏଁ କ୍ରିଜ୍ରେ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗୱେ (୬)ଙ୍କୁ ଆଉଟ୍ କରି ଠାକୁର ତୃତୀୟ ସଫଳତା ପାଇଥିବା ବେଳେ ବ୍ରାଡ୍ ଇଭାନ୍ସ (୯)ଙ୍କ ୱିକେଟ୍ ପଟେଲ୍ଙ୍କ ଖାତାକୁ ଯାଇଥିଲା । ନ୍ୟାଉଚି (୦) ଓ ଚିଭାଙ୍ଗା (୪) ଉଭୟ ରନ୍ଆଉଟ୍ ହୋଇଯାଇଥିଲେ । ଭାରତର ସବୁ ବୋଲର୍ଙ୍କୁ ୱିକେଟ୍ ମିଳିଥିଲା ।