ପୁନରୁଦ୍ଧାର, ରିଲିଫ୍ ବଡ଼ ଆହ୍ୱାନ
କମୁଛି ପ୍ରମୁଖ ନଦୀ ଜଳସ୍ତର
ଭୁବନେଶ୍ୱର, ୧୯ା୮ (ବୁ୍ୟରୋ): ବନ୍ୟା ସ୍ଥିତି ଲାଗି ରହିଥିବାବେଳେ ବନ୍ୟା କ୍ଷୟକ୍ଷତିର ପୁନରୁଦ୍ଧାର, ସହାୟତା ବଣ୍ଟନ ଏବେ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି । ବନ୍ୟା ଯୋଗୁ ବହୁ ରାସ୍ତା ଦବିଛି, ରାଜ୍ୟର ଅନେକ ଅଞ୍ଚଳରେ ଘାଇ ତଥା ଘଳିଆ ସୃଷ୍ଟି ହୋଇଛି । ପଣି କମିବା ମାତ୍ରେ ସେସବୁର ପୁନରୁଦ୍ଧାର ସହ କ୍ଷୟକ୍ଷତି ଆକଳନ ଓ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକ ପଦକ୍ଷେପ ହେବ । ହେଲେ ଏହି ସ୍ଥିତିରେ ରାଜ୍ୟ ପାଇଁ ସବୁଠୁ ବଡ଼ ଚିନ୍ତା ପାଲଟିଛି ଲଘୁଚାପ ଜନିତ ବର୍ଷା । ଏକଥା ଶୁକ୍ରବାର କହିଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ।
ସୃଷ୍ଟ ଗଭୀର ଅବପାତ ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାକୁ ସତର୍କ କରାଯାଇଛି । ବାଲେଶ୍ୱର ଓ ଭଦ୍ରକରେ ପବନର ବେଗ ବଢ଼ିବ । ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । କୂଳକୁ ଫେରି ଆସିବା ଲାଗି ମତ୍ସ୍ୟଜୀବୀଙ୍କୁ ନିଦେ୍ର୍ଦଶ ରହିଛି । ମହାନଦୀ ଉପରମୁଣ୍ଡରେ ବେଶି ବର୍ଷା ହେବାର ଆଶଙ୍କା ନାହିଁ । ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷାର ସମ୍ଭାବନା ରହିଛି । ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ପ୍ରଶାସନର ନଜର ରହିବ ବୋଲି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି ।
ଅନ୍ୟପଟେ କେନ୍ଦୁଝର ଓ ମୟୂରଭଞ୍ଜର ୩ ଡ୍ୟାମରୁ ଜଳସ୍ତର କମାଯାଉଛି । ଗତକାଲିଠାରୁ ୩ ହଜାର କୁ୍ୟସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ଓଡ୍ରାଫ ଓ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗକୁ ବନ୍ୟା ଆଶଙ୍କା ରହିଛି । ଗତକାଲିର ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ । ତେଣୁ ଏହାକୁ ଦୃ୍େଟିରେ ରଖି ହୀରାକୂଦରେ ଶୁକ୍ରବାର ୮ ଗେଟ୍ ବନ୍ଦ ହୋଇଛି । ଏବେ ୨୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ମୁଣ୍ଡୁଳୀର ତଳମୁଣ୍ଡରେ ଜଳସ୍ତର କମିଥିବା ବେଳେ କୌଣସି ଜାଗାରେ ନୂଆ ଘାଇ ସୃଷ୍ଟି ହୋଇନାହିଁ । ତଥାପି ଗାଁଗୁଡ଼ିକରେ ଏଯାଏଁ ପାଣି ଖସି ନାହିଁ । ମୁଣ୍ଡୁଳୀରେ ଜଳସ୍ତର ୯ ଲକ୍ଷ କୁ୍ୟସେକ୍ ତଳକୁ ଗଲେ ପାଣି ଖସିବ । ମୁଣ୍ଡୁଳୀ ପାଖରେ ଜଳସ୍ତର ବହୁତ ଧିରେ ଧିରେ କମୁଛି । ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ନଦୀରେ ମିଶୁଛି । ସେଥିପାଇଁ ଧିରେ ଧୀରେ ଖସୁଛି ବୋଲି ଏସଆରସି କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ ଜିଲ୍ଲାର ୭୧ ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୧୪୯ ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୬୪୨ ଗ୍ରାମ ଜଳଘେରରେ ରହିଥିବାବେଳେ ୩ ଲକ୍ଷ ୯୧ ହଜାର ୫୨୮ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୬ ଲକ୍ଷ ୪୪ ହଜାର ୬୬୨ ଲୋକ ପ୍ରଭାବିତ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ୨୨୭ ରିଲିଫ୍ କେନ୍ଦ୍ରରେ ୧ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ମହାନଦୀ ବନ୍ୟାଞ୍ଚଳରେ ୨ ଲକ୍ଷ ୭୭ ହଜାର ବିଦୁ୍ୟତ ଉପୋଭକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟାପାଣି କମିବାରୁ ସେଥିମଧ୍ୟରୁ ୨ ଲକ୍ଷ ୪୩ ହଜାର ଲୋକଙ୍କୁ ବିଦୁ୍ୟତ ସଂଯୋଗ ଦିଆଯାଇଛି । ୩୩ କେଭି ୯ଟି ଫିଡର ଖରାପ ହୋଇଥିବାବେଳେ ୭ ଟିକୁ ଠିକ୍ କରିଦିଆଯାଇଛି । ୩୩/୧୧ କେଭି ସବ-ଷ୍ଟେସନ ୩୩ଟି ଅଚଳ ହୋଇପଡିଥିବାବେଳେ ୨୯ଟି ସଜଡା ଯାଇଛି । ୧୧ କେଭି ଫିଡର ୧୪୯ ଟିରୁ ୧୨୧ ଟିକୁ ଚାଲୁ କରାଯାଇଛି । ପ୍ରାଇମେରି ଟ୍ରାନ୍ସଫର୍ମର ୨୦ଟିରୁ ୧୭ଟି ଓ ଡିଷ୍ଟ୍ରିବୁ୍ୟସନ ଟ୍ରାନ୍ସଫର୍ମର ୯୩୦୧ରୁ ୭୮୩୩ଟିକୁ ସଠିକ୍ କରିଦିଆଯାଇଛି । ଏହି ରିଷ୍ଟୋରେସନ୍ କାର୍ଯ୍ୟରେ ୧୮ ହଜାରରୁ ଅଧିକ ମାନବସମ୍ବଳ ନିୟୋଜିତ ଅଛନ୍ତି ।
୧୫୯ ମେଡିକାଲ ରିଲିଫ ସେଣ୍ଟର ଖୋଲାଯାଇଛି । ୧୧୦ ମୋବାଇଲ ସ୍ୱାସ୍ଥ୍ୟସେବା ଟିମ ନିୟୋଜିତ କରାଯାଇଛି । ହାଲୋଜେନ ଟ୍ୟାବଲେଟ୍, ଓଆରଏସ୍ ବଣ୍ଟନ କରାଯାଉଛି । ୫ ହଜାର ୫ ଶହ ଲୋକଙ୍କ ଚିକିତ୍ସା କରାଯାଇଛି । ଏପର୍ଯ୍ୟନ୍ତ ୫ଟି ସାପ କାମୁଡ଼ା ରୋଗୀଙ୍କୁ ଚିକିତ୍ସା କରାଯାଇଛି । ୧୯୩ ପ୍ରାଣୀଧନ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି । ୫ ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ୧୫ ଦିନ ପାଇଁ ରିଲିଫ ବ୍ୟବସ୍ଥା ହୋଇଛି । ୨୮୫ଟି କାଟେଲ କ୍ୟାମ୍ପରେ ୧୦ ହଜାର ପଶୁଙ୍କୁ ଚିକିତ୍ସା କରାଯିବା ସହ ୧୪ ହଜାର ୪୮୮ ଟୀକା ଦିଆଯାଇଛି । ୭ ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚା ଯାଇଛି । ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ଅନୁସାରେ ୫ ଜିଲ୍ଲାରେ ୧୫ ଦିନ ରିଲିଫ୍ ଦିଆଯିବ ଏବଂ ଅନ୍ୟ ୫ ଜିଲ୍ଲାରେ ୭ ଦିନ ଲାଗି ରିଲିଫ ବ୍ୟବସ୍ଥା କରାଯାଇଛି । ୧୯ ତାରିଖ ସୁଦ୍ଧା ୧୪ ଜିଲ୍ଲାକୁ ୧୬ ଏନ୍ଡିଆର୍ଏଫ୍ ଟିମ୍, ୧୫ ଓଡ୍ରାଫ୍ ଟିମ୍ ଓ ଅତିରିକ୍ତ ୪୮ ଫାୟାର ସର୍ଭିସ୍ ଟିମ୍, ମୋଟ ୭୯ ଟିମ୍ ମୁତୟନ କରାଯାଇଛି ବୋଲି ଏସଆରସି କହିଛନ୍ତି ।
ସେପଟେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର କମୁଛି, ହେଲେ ଲଘୁ·ପଜନିତ ବର୍ଷା ଆରମ୍ଭ ହୋଇଥିବାରୁ ୨ ଦିନ ଅବସ୍ଥାରେ ବେଶି ସୁଧାର ଆସିବନି । ଏହା ପରେ ଜଳସ୍ତର କମିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । ଉପରମୁଣ୍ଡରେ ଆଉ ବର୍ଷା ନ ଥିବାରୁ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି । ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ହେଲେ ମୁଣ୍ଡଳିରେ ଜଳପ୍ରବାହ ୭.୫ରୁ ୮ ଲକ୍ଷ କୁ୍ୟସେକରେ ସୀମିତ ଲକ୍ଷ୍ୟ ରଖାଯାଇଛି । ଲଘୁଚାପଜନିତ ବର୍ଷା ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏହା ମଧ୍ୟରେ ବ୍ରାହ୍ମଣୀ ଓ ବୁଢ଼ାବଳଙ୍ଗ ଅବବାହିକାରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେଣୁ ମୟୂରଭଞ୍ଜ ଓ କେନ୍ଦୁଝରର ଜଳାଶୟକୁ ଖାଲି କରାଯାଇଛି । ବର୍ଷା ଯୋଗୁ ପୁଣି କେତେ ପାଣି ଡ୍ୟାମରେ ପ୍ରବେଶ କରିବ, ଜଳସ୍ତର କମିବ ନା ବଢ଼ିବ ତାହା ଦେଖି ବନ୍ୟା ନିୟନ୍ତ୍ରଣ ପାଇଁ ନିଷ୍ପତ୍ତି ନେବୁ । ଏବେ ସୁଦ୍ଧା ୨୦୦ରୁ ଅଧିକ ଘଳିଆ ମରାମତି ହୋଇ ସାରିଲାଣି । ମହାନଦୀ ଅବବାହିକାରେ ୭ଟି ଘାଇ ହୋଇଛି । ପାଣି କମିଲେ ଯୁଦ୍ଧକାଳୀନ ଭିତ୍ତିରେ ତାହାର ମରାମତି ଆରମ୍ଭ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।