ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ
ଭୁବନେଶ୍ୱର, ୧୯ା୮ (ବୁ୍ୟରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଗୋଟିଏ ପଟେ ବନ୍ୟା ସ୍ଥିତି ସୁଧୁରି ନଥିବାବେଳେ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ପଶ୍ଚିମବଙ୍ଗ ଦୀଘାଠାରେ ଶୁକ୍ରବାର ସୃଷ୍ଟ ଗଭୀର ଅବପାତ ସ୍ଥଳଭାବ ପାର କରି ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ୁଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି । ପ୍ରବଳରୁ ଅତତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ପଠାଯାଇଛି ।
ଏହାର ପ୍ରଭାବରେ ଆସନ୍ତାକାଲି ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୫ରୁ ୫୫ ଏବଂ ଝଟକା ପବନ ୬୫ କିମି ବେଗରେ ବହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ସୃଷ୍ଟ ଅବପାତଟି ଗଭୀର ଅବପାତ ରୂପ ନେଇ ଉପକୂଳ ଅତିକ୍ରମ କରିବ । ବାତ୍ୟା ହେବାର ଯଥେଷ୍ଟ ସମ୍ଭାବନା ନାହିଁ । ଏହା ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହେବ ବୋଲି ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ।
ବାତ୍ୟା ସମ୍ପର୍କରେ ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ବାତ୍ୟା ହେବ ବୋଲି କହିନାହୁଁ । ଏହା ଗଭୀର ଅବପାତ ରୂପ ନେଇ ଉପକୂଳକୁ ଅତିକ୍ରମ କରିବ । ଉପକୂଳକୁ ଛୁଇଁବା ବେଳକୁ ଅବପାତଟି ଦୁର୍ବଳ ହୋଇଯିବ । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗ ଓ
ଓଡ଼ିଶା ଉପକୂଳ ବାଲେଶ୍ୱର ଏବଂ ସାଗର ଦ୍ୱୀପ ଅତିକ୍ରମ କରି ପଶ୍ଚିମ-ଉତ୍ତରପଶ୍ଚିମାଞ୍ଚଳ ଦେଇ କ୍ରମଶଃ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦିଗରେ ଗତି କରି ଦୁର୍ବଳ ହେବ । ପ୍ରଭାବରେ ଓଡ଼ିଶାର ୪ ଜିଲ୍ଲା ଯଥା; ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍ ଅନୁସାରେ, ଉପରୋକ୍ତ ୪ ଜିଲ୍ଲାରେ ଅକସ୍ମାତ ବନ୍ୟା ସହ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ଘର ପ୍ରଭାବିତ ହେବ । ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଚାଷୀଭାଇଙ୍କୁ ଏହି ସମୟରେ ଜମିରେ କୀଟନାଶକ ଓ ଜଳ ସେଚନ ନ କରିବାକୁ ବାରଣ କରାଯାଇଛି । ବର୍ଷାର ପ୍ରଭାବ ସାରା ରାଜ୍ୟରେ ରହିବାକୁ ଥିବାବେଳେ ସମସ୍ତ ବନ୍ଦର ପାଇଁ ବିପଦ ସଂକେତ ୩ ଜାରି ହୋଇଛି । ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ । ଆସନ୍ତାକାଲି ଉତ୍ତର-ପଶ୍ଚିମ ଓଡ଼ିଶା ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଫୁଲବାଣୀ, ବୌଦ୍ଧ, ବରଗଡ଼ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ମୋଟ ୧୫ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ସତର୍କ କରିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନାରେ ଆସନ୍ତାକାଲି ପଶ୍ଚିମ ଆଭ୍ୟନ୍ତରୀଣର ୮ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର ଓ ବଲାଙ୍ଗିରରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହେବ । ଏନେଇ ଉକ୍ତ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଥିବାବେଳେ ପାଶ୍ୱର୍ବର୍ତ୍ତୀ ୭ ଜିଲ୍ଲା ଯଥା- ମୟୂରଭଞ୍ଜ, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଓ ଢ଼େଙ୍କନାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨୧ ତାରିଖ ବେଳକୁ ବର୍ଷାର ପ୍ରବାହ କମିବ, ପୁଣି ୨୩ ବେଳକୁ ବର୍ଷା ନଜରକୁ ଆସିପାରେ ବୋଲି ବିଶେଷଜ୍ଞ ଶ୍ରୀ ଦାସ କହିଛନ୍ତି ।