ଶୃଙ୍ଖଳା କବ୍ଜା ଲକ୍ଷ୍ୟରେ ଭାରତ
ଆଜି ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆ
ହରାରେ, ୧୯ା୮ (ଏଜେନ୍ସି): ଶନିବାର ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ଭାରତୀୟ ଅଧିନାୟକ ଲୋକେଶ ରାହୁଲ ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଟିମ୍ କୌଣସି ୱିକେଟ୍ ନ ହରାଇ ସହଜରେ ମ୍ୟାଚ୍ ଜିତିଥିଲା । ନିଶ୍ଚିତରୂପେ ଏହା ପ୍ରସଙ୍ଗ ନୁହେଁ ଯେ ଭାରତୀୟ ଟିମ୍, ଆୟୋଜକକୁ ହରାଇ ପାରିବ ନା ନାହିଁ, ପ୍ରସଙ୍ଗ ହେଉଛି ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ ଯେଉଁ ଖେଳାଳିମାନେ ଭାଗ ନେବେ, ସେମାନେ ଯେଭଳି ଭଲ ଅଭ୍ୟାସ କରିପାରିବେ । ରାହୁଲ ଅନେକ ଦିନ ହେଲା ଆନ୍ତର୍ଜାତିକ କ୍ରିକେଟ୍ରୁ ଦୁରରେ ଅଛନ୍ତି । ଏପରିସ୍ଥଳେ ତାଙ୍କୁ ଦ୍ୱିତୀୟ ଦିନିକିଆରେ ଟସ୍ ଜିତିବା ସ୍ଥଳେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ଉଚିତ, ଯାହା ଫଳରେ ତାଙ୍କୁ ୫୦ ଓଭର୍ ମୁକାବିଲାରେ ବ୍ୟାଟିଂ କରିବାର ସୁଯୋଗ ମିଳିବ । ତାଙ୍କୁ ଏଠାକାର ବାଉନ୍ସିଂ ପିଚ୍ ଓ ଦ୍ରୁତ ଗତିରେ ପ୍ରବାହିତ ପବନ ମଧ୍ୟରେ ବ୍ୟାଟିଂ କରିବାକୁ ହେବ । ଜିମ୍ବାୱେ ପାଖରେ ଜିମ୍ମି ଆଣ୍ଡରସନ୍ ଓ ଜୋଶ୍ ହାଜଲ୍ଉଡ୍ଙ୍କ ଭଳି ବୋଲର୍ ନାହାନ୍ତି, ତେବେ ପରିସ୍ଥିତିର ମୁକାବିଲା କରିବା ଭାରତୀୟ ଟିମ୍ ପାଇଁ ଆହ୍ୱାନପୂର୍ଣ୍ଣ ହେବ ।
ଦୀପକ ଚାହର ପ୍ରଥମ ମ୍ୟାଚ୍ ପରେ କହିଥିଲେ ଯେ ଦ୍ୱିତୀୟ ସତ୍ରରେ ବୋଲର୍ଙ୍କୁ ବିଶେଷ ସହାୟତା ମିଳିପାରି ନ ଥିଲା, କିନ୍ତୁ ପ୍ରଥମ ଘଣ୍ଟାର ଖେଳ ବ୍ୟାଟର୍ଙ୍କ ପାଇଁ ସହଜ ନ ଥିଲା । ଏସିଆ କପ୍ରେ ଶାହୀନ ଶାହ ଆଫ୍ରିଦୀଙ୍କ ଭଳି ପାକ୍ ବୋଲର୍ଙ୍କୁ ଖେଳିବା ପୂର୍ବରୁ ଭାରତୀୟ ଟିମ୍ ପାଇଁ ବ୍ୟାଟିଂ ଅଭ୍ୟାସ ଜରୁରୀ । ସୁବର୍ଣ୍ଣ ସୁଯୋଗ ପ୍ରଥମ ମ୍ୟାଚ୍ରେ ଶିଖର ଧାବନ୍ ଓ ଶୁଭମନ ଗିଲ୍ଙ୍କ ଦ୍ୱାରା ଇନିଂସ୍ ଓପନ୍ ଜାରି ରଖିଥିବା ଅଧିନାୟକ ରାହୁଲ ନେତୃତ୍ୱ ଦକ୍ଷତାର ପରିଚୟ ଦେଇଥିଲେ; କିନ୍ତୁ ଏବେ ଏସିଆ କପ୍ ପୂର୍ବରୁ ରାହୁଲଙ୍କୁ ବି ଫର୍ମକୁ ଫେରିବାକୁ ହେବ । ତାଙ୍କୁ ପ୍ରଥମ ବଲ୍ରୁ ଆକ୍ରମଣର ଭାରତର ରଣନୀତିକୁ ତୁରନ୍ତ ଆପଣାଇବାକୁ ହେବ । ଜିମ୍ବାୱେ ଭଳି ଦୁର୍ବଳ ଟିମ୍ ବିପକ୍ଷରେ ରାହୁଲଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଦୀପକ ହୁଡ଼ାଙ୍କୁ ବ୍ୟାଟିଂ କ୍ରମରେ ଉପରକୁ ନିଆଗଲେ, ତାଙ୍କର ଆତ୍ମବିଶ୍ୱାସ ବଢ଼ିବ । ସଞ୍ଜୁ ସାମ୍ସନ୍ ଯଦି ଚାରି ନମ୍ବରରେ ଆସନ୍ତି, ଇନିଂସ୍ର ସୂତ୍ରଧର ଭୂମିକା ତୁଲାଇ ପାରିବେ । କାର୍ଯ୍ୟନିର୍ବାହୀ କୋଚ୍ ଭିଭିଏସ୍ ଲକ୍ଷ୍ମଣଙ୍କ ନଜର ଶୃଙ୍ଖଳା ଜିତିବା ଓ ଟିମ୍ ସଂଯୋଜନରେ ପ୍ରୟୋଗ ଉପରେ ନିବଦ୍ଧ ରହିବ । ପ୍ରଥମ ଦିନିକିଆରେ ଭାରତର ବୋଲର୍ମାନେ ଆପାତତଃ ଭଲ ବୋଲିଂ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସେମାନଙ୍କ ଠାରୁ ଅନୁରୂପ ପ୍ରଦର୍ଶନ ଆଶା କରାଯିବ ।