୨ଠ୧ ଗାଁର ୧.୪୩ ଲକ୍ଷ ପ୍ରଭାବିତ
ପୁରୀ ଜିଲ୍ଲାରେ ବନ୍ୟା ପ୍ରକୋପ
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାରେ ବନ୍ୟାର ପ୍ରକୋପ । ଉକ୍ତ ଜିଲ୍ଲାରେ ୩ ନଦୀରେ ୩ଟି ଘାଇ ହେବା ଫଳରେ ଜିଲ୍ଲାର ଅଧିକାଂଶ ବ୍ଲକ୍ ଏବେ ଜଳମଗ୍ନ । ଜିଲ୍ଲାର କଣାସ, ଡେଲାଙ୍ଗ, ନିମାପଡ଼ା, ଗୋପ, ଅସ୍ତରଙ୍ଗ, ପିପିଲି ଓ ପୁରୀ ସଦର ବ୍ଲକ୍ର ଅନେକ ଗାଁ ପ୍ରଭାବିତ ହୋଇଛି । ନଦୀରେ ବନ୍ୟାଜଳ ସାମାନ୍ୟ କମିବାକୁ ଲାଗିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ୪ଦିନ ହେଲା ଜିଲ୍ଲାର ଲକ୍ଷାଧିକ ଲୋକ ଜଳବନ୍ଦୀରେ ରହିଛନ୍ତି । ଆଜିପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇପାରି ନାହିଁ । ଏପରିକି ସେମାନଙ୍କ ନିକଟରେ ମଧ୍ୟ ରିଲିଫ୍ ପହଞ୍ଚାଇବାରେ ସଫଳ ହୋଇନି । ବନ୍ୟା କଷ୍ଟଠାରୁ ଏବେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ବନ୍ୟା ବିପନ୍ନମାନେ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି ।
ଗୁରୁବାର ଜିଲ୍ଲାପ୍ରଶାସନ ଠାରୁ ମିଳିଥିବା ସୂଚନାନୁଯାୟୀ, ଆଜି ସୁଦ୍ଧା ଜିଲ୍ଲାର ୭ଟି ବ୍ଲକ୍ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୫୫ ପଞ୍ଚାୟତ ଜଳମଗ୍ନ ହୋଇଛି । ୨୦୧ଟି ଗ୍ରାମର ୧ ଲକ୍ଷ ୪୩ ହଜାର ୪୨୯ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ରିଲିଫ୍ ଓ ରନ୍ଧାଖାଦ୍ୟ ଯୋଗାଇବା ଆରମ୍ଭ ହୋଇଛି । ବନ୍ୟା ପ୍ରପୀଡ଼ିତଙ୍କ ଲାଗି ୧୮ କ୍ୱିଣ୍ଟାଲ ଚାଉଳ, ୬୭୫.୯୯ କେଜି ଚୁଡ଼ା, ୨୫ ହଜାର ପାଣି ବୋତଲ, ୮୦୦୦ ପାଉଚ୍ ପ୍ରଦାନ କରାଯାଇଛି । ସେହିଭଳି ୧୯ଟି ମେଡିକାଲ ଟିମ୍, ପଶୁଚିକିତ୍ସା ଲାଗି ୯ଟି ଟିମ୍, ୨୦ଟି ଡଙ୍ଗା, ୭.୨ କ୍ୱିଣ୍ଟାଲ୍ ପଶୁ ଖାଦ୍ୟ ଓ ୩ଟି ଫାୟାର ଟିମ୍କୁ ସ୍ଥାନୀୟ ଅଞ୍ଚଳରେ ମୁତୟନ କରାଯାଇଛି ।