ରାଷ୍ଟ୍ର ନିର୍ମାଣ ମାର୍ଗ ବାଛିଛି ବିଜେପି
‘ହର୍ ଘର୍ ଜଲ୍ ଉତ୍ସବ’କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ନୂଆଦିଲ୍ଲୀ/ ପାଣାଜି (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୋଆ ରାଜଧାନୀ ପାଣାଜି ଠାରେ ଆୟୋଜିତ ‘ହର ଘର୍ ଜଲ୍ ଉତ୍ସବ’ କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ସମ୍ପ୍ରତି ଦେଶରେ ଫ୍ରିବିଜ୍ ଅର୍ଥାତ୍ ମାଗଣା ପ୍ରତିଶ୍ରୁତି ପ୍ରସଙ୍ଗକୁ ନେଇ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ମୋଦି ଏହାକୁ ନିଜ ଅଭିଭାଷଣ ଛଳରେ ଉଲ୍ଲେଖ କରିବା ସହ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ମୋଦି କହିଛନ୍ତି, ସରକାର ଗଢ଼ିବା ସହଜ କିନ୍ତୁ ରାଷ୍ଟ୍ର ନିର୍ମାଣ କରିବା ଅତ୍ୟନ୍ତ କଠିନତମ ବ୍ୟାପାର । ଦେଶ ଗଠନ ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଥିବା ବେଳେ ବିଜେପି ଏହି କଠିନ ମାର୍ଗକୁ ହିଁ ନିଜର ବ୍ରତ ଭାବେ ଗ୍ରହଣ କରିଛି । କିନ୍ତୁ କିଛି ରାଜନୈତିକ ଦଳ ସହଜରେ ସବୁକିଛି ହାସଲ କରିନେବାକୁ ଚାହୁଁଛନ୍ତି । ମୋଦିଙ୍କ କହିବାନୁସାରେ ଯେଉଁମାନଙ୍କର ଦେଶ ପ୍ରତି ଧ୍ୟାନ ନଥାଏ ସେମାନଙ୍କୁ ଦେଶର ସ୍ଥିତି ସହ କୌଣସି ଲେନ୍ଦେନ୍ ନଥାଏ । ସେମାନେ କେବଳ ଯେନତେନ ପ୍ରକାରେ କ୍ଷମତାକୁ ହାତେଇବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ସେମାନେ ମାଗଣା ପ୍ରତିଶ୍ରୁତି ଦେବାକୁ ମଧ୍ୟ ପଶ୍ଚାତ୍ପଦ ହୋଇନଥାନ୍ତି । ଏପରି ଲୋକେ ପାଣିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇପାରିବେ, ବଡ଼ ବଡ଼ କଥା କହିପାରିବେ, କିନ୍ତୁ ଏଦିଗରେ କାମ କରିପାରିବେ ନାହିଁ । ଆଜି ଯେତେବେଳେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ସେତେବେଳେ ଦେଶବାସୀ ଜଳକଷ୍ଟରେ ପୀଡ଼ିତ ରହିବା କଦାପି ଗ୍ରହଣୀୟ ନୁହେଁ । ଜଲ ସୁରକ୍ଷା ଏକ ଚ୍ୟାଲେଞ୍ଜ୍ ହେବା ବଦଳରେ ପ୍ରତ୍ୟେକ ଘରେ ଜଳ ଉତ୍ସବ ପାଳନ ହେବା ଉଚିତ୍ ।
ମୋଦି ନିଜ ଭାଷଣରେ କହିଛନ୍ତି, ଦୀର୍ଘ ୮ବର୍ଷ ଧରି କେନ୍ଦ୍ର ସରକାର ଜଳ ସୁରକ୍ଷା, ପ୍ରତ୍ୟେକ ନାଗରିକଙ୍କ ପର୍ଯ୍ୟନ୍ତ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ଆଦି ଦିଗ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ କେନ୍ଦ୍ରୀଭୂତ କରିଆସିଛି । ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୧ଠ କୋଟି ଗ୍ରାମବାସୀଙ୍କୁ ପାଇପ୍ ଯୋଗେ ଜଳ ସୁବିଧା ଯୋଗାଇ ଦିଆଯାଇସାରିଛି । ତେବେ କେବଳ ଜଳ ସୁରକ୍ଷା ନୁହେଁ ଦେଶର ପ୍ରତ୍ୟେକ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ଦିଗରେ ପ୍ରୟାସ ଜାରି ରହିଛି । ଦେଶର ଆଭ୍ୟନ୍ତରୀଣ ତଥା ବାହ୍ୟ ସମସ୍ୟାର ସ୍ଥାୟୀ ପ୍ରତିକାର ସହ ଭବିଷ୍ୟତକୁ ଉନ୍ନତ କରିବାକୁ ନିରନ୍ତର ଚେଷ୍ଟା ଜାରି ରହିଛି । ଏସବୁଥିରେ ଦେଶବାସୀଙ୍କ ପୂର୍ଣ୍ଣ ସମର୍ଥନ ଏବଂ ସହଯୋଗ ଭାରତ ସରକାରଙ୍କୁ ମିଳୁଥିବାରୁ ମୋଦି ଦେଶବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ମୋଦି କହିଛନ୍ତି, ଦେଶର ପ୍ରତ୍ୟେକ ଗ୍ରାମରେ କମୁ୍ୟନିଟି ଶୌଚାଳୟ, ପ୍ଲାଷ୍ଟିକ୍ ୱେଷ୍ଟ ମ୍ୟାନେଜମେଣ୍ଟ, ଗୋବର୍ଦ୍ଧନ ପ୍ରୋଜେକ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଭିଜନ୍ ଫଳବତୀ ହୋଇଛି । ବର୍ତ୍ତମାନ ସମୟରେ ଦେଶବାସୀ ସ୍ୱଚ୍ଛ ପରିବେଶ ପ୍ରତି ବେଶ୍ ସଚେତନ ହୋଇଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ କେନ୍ଦ୍ର ଜଳମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଯୋଗଦେଇଥିଲେ । ପ୍ରମୋଦ ସାୱନ୍ତ କହିଥିଲେ ବିଜେପିକୁ ଦେଶବାସୀ କାମ ପାଇଁ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ସୁତରାଂ କୌଣସି ମିଶନ୍କୁ ନେଇ ବିଜେପି କାମ କରିବାର ଆବଶ୍ୟକତା ନାହିଁ ।