ମାଲାମାଲ୍ ହେବା ଲକ୍ଷ୍ୟରେ ଆଇଆର୍ସିଟିସି!

ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ଦୈନିକ ପ୍ରାୟ ୨.୫ କୋଟି ଲୋକ ଟ୍ରେନ୍ରେ ଯାତାୟତ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ରେଲୱେର ସହାୟକ କମ୍ପାନୀ ଆଇଆର୍ସିଟିସି (ଇଣ୍ଡିଆନ୍ ରେଲୱେ କ୍ୟାଟେରିଙ୍ଗ୍ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍) ଦ୍ୱାରା ଟିକଟ ବୁକ୍ କରୁଛନ୍ତି । ଏହି ପ୍ର୍ରକିୟା ଦୀର୍ଘ ବର୍ଷ ଧରି ଚାଲିଆସିଛି । ଅର୍ଥାତ୍ ଆଇଆରସିଟିସି ପାଖରେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ସଂଖ୍ୟକ ଯାତ୍ରୀଙ୍କ ତଥ୍ୟ (ଆନୁମାନିକ ୧ଠଠଟିବି) ସଂରକ୍ଷିତ ରହିଛି ।
ପ୍ରକାଶ, ଟିକଟ ବୁକିଂ କରିବା ସମୟରେ ଯାତ୍ରୀଙ୍କୁ ନିଜ ସମ୍ପର୍କରେ ସବିଶେଷ ତଥ୍ୟ (ନାମ ଠାରୁ ଆରମ୍ଭ କରି ଫୋନ୍ ନମ୍ବର ପର୍ଯ୍ୟନ୍ତ) ଦେବାକୁ ପଡିଥାଏ । ଏହି ତଥ୍ୟକୁ ଆଇଆର୍ସିଟିସି ନିଜ ସର୍ଭରରେ ସୁରକ୍ଷିତ ରଖିଥାଏ । ତେବେ ଆଜି ପର୍ଯ୍ୟନ୍ତ ଏହି ତଥ୍ୟ ସୁରକ୍ଷିତ ରହୁଥିବାରୁ ଯାତ୍ରୀମାନଙ୍କୁ ଟିକଟ ବୁକିଂ କରିବା ସମୟରେ ନିଜ ସମ୍ପର୍କୀତ ତଥ୍ୟ ଉଲ୍ଲେଖ କରିବାକୁ କୌଣସି ଦ୍ୱନ୍ଦ୍ୱ ରହୁନଥିଲା । କିନ୍ତୁ ଏବେ ଆଇଆର୍ସିଟିସି ଯାତ୍ରୀଙ୍କ ସବିଶେଷ ତଥ୍ୟକୁ ଥାର୍ଡ ପାର୍ଟିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା ଏବଂ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ମିଡ଼ିଆ ରିପୋର୍ଟସ୍ ଅନୁସାରେ ଆଇଆର୍ସିଟିସି ଯାତ୍ରୀଙ୍କ ତଥ୍ୟକୁ ଥାର୍ଡ ପାର୍ଟିଙ୍କୁ ବିକ୍ରି କରି ପ୍ରାୟ ୧ଠଠଠ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । କେବଳ ସେତିକି ନୁହେଁ ଏଦିଗରେ ଆଇଆର୍ସିଟିସି ପକ୍ଷରୁ ବିଧିବଦ୍ଧ ଟେଣ୍ଡର ମଧ୍ୟ ଜାରି କରିଦିଆଯାଇଥିବା ସୂଚନା ମିଳିଛି । ଅବଶ୍ୟ ଆଇଆର୍ସିଟିସି ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରିଛି ଯେ, ଏହି ପ୍ରକ୍ରିୟାରେ ଯାତ୍ରୀଙ୍କ ତଥ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯିବା ନେଇ ବିଶେଷଭାବେ ଧ୍ୟାନ ଦିଆଯିବ । ସେହିପରି ଆଇଟି ଆଇନ୍ ଏବଂ ଡାଟା ମନିଟାଇଜେସନ୍ ପ୍ରକ୍ରିୟା ଅନ୍ତର୍ଗତ ଯାତ୍ରୀଙ୍କ ଆର୍ଥିକ କାରବାର ସମ୍ପର୍କୀତ କୌଣସି ତଥ୍ୟ (ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର, ଶାଖା କିମ୍ବା ଅନ୍ୟ କୌଣସି ସୂଚନା) ଥାର୍ଡ ପାର୍ଟିଙ୍କୁ ଦିଆଯିବ ନାହିଁ ବୋଲି ମଧ୍ୟ ଆଇଆର୍ସିଟିସି ନିର୍ଭର ପ୍ରତିଶ୍ରୁତି ଦେଇଛି । ଯାତ୍ରୀଙ୍କ ଆର୍ଥିକ ସୂଚନାକୁ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ତଥା ସୁରକ୍ଷିତ ରଖାଯିବା ସହ କେବଳ ଯାତ୍ରୀଙ୍କ ଟ୍ରେନ୍ ଟ୍ରାଭେଲ୍ ହିଷ୍ଟ୍ରୀ, ଟ୍ରାଭେଲିଂ ପାଟର୍ଣ୍ଣ ଏବଂ ଲୋକେସନ୍କୁ ଟେଣ୍ଡର ସତ୍ତ୍ୱାଧିକାରୀ ଥାର୍ଡ ପାର୍ଟିଙ୍କ ସହ ବିନିମୟ କରାଯିବ ବୋଲି ଭାରତୀୟ ରେଲୱେର ଏହି ଅଂଶୀଦାର କମ୍ପାନୀ ଦର୍ଶାଇଛି ।
ସ୍ପଷ୍ଟୀକରଣ ସତ୍ତ୍ୱେ ଆଇଆର୍ସିଟିସି ଦ୍ୱାରା ଟିକଟ ବୁକ୍ କରୁଥିବା ନିୟମିତ ଯାତ୍ରୀଙ୍କ ମନରେ ଏବେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେମାନଙ୍କ ତଥ୍ୟକୁୂ ବିକ୍ରି କରି ଭାରତ ସରକାର ରାଜସ୍ୱ ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଧନ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଥିବା କେତେକ ଯାତ୍ରୀ ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଇଆରସିଟିସି ପାଖରେ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହୁଥିବା ସେମାନଙ୍କ ସବିଶେଷ ତଥ୍ୟ ତୃତୀୟ ପକ୍ଷ ପାଖକୁ ଯିବା ଦ୍ୱାରା ଏହାର ଅପବ୍ୟବହାର ହୋଇପାରେ ବୋଲି ଯାତ୍ରୀମାନେ ମତ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *