ଦୋଷୀଙ୍କ ମୁକ୍ତି ‘ନ୍ୟାୟର ଗମ୍ଭୀର ଗର୍ଭପାତ’

ବିଲ୍କିସ୍ କେସ୍ ନ୍ୟାୟପାଳିକା ପାଇଁ ଚାଲେଞ୍ଜ୍
ନୂଆଦିଲ୍ଲୀ,୧୯ ।୮: ବହୁଚର୍ଚ୍ଚିତ ବିଲ୍କିସ୍ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଜଣ ଦୋଷୀଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜେଲ୍ରୁ ମୁକ୍ତି ଦିଆଯିବା ବିରୋଧରେ ପ୍ରାୟ ୬ ହଜାର ସାମାଜିକ କାର୍ଯ୍ୟକର୍ତ୍ତା ସୁପ୍ରିମ୍କୋର୍ଟରେ ଅପିଲ୍ କରିଛନ୍ତି । ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ସେମାନେ ପତ୍ର ମାଧ୍ୟମରେ ପ୍ରାର୍ଥନା କରିଛନ୍ତି । ଗୁଜରାଟ ସରକାରଙ୍କ କ୍ଷମା ନୀତି ଅନୁଯାୟୀ ଉକ୍ତ ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ଜେଲ୍ରୁ ଖଲାସ କରି ଦିଆଯାଇଥିଲା । ତା’ ପରଠାରୁ ରାଜ୍ୟ ସରକାରଙ୍କ ଏସମ୍ବନ୍ଧୀୟ ଫଇସଲା ବିବାଦରେ ରହି ଆସିଛି । କଂଗ୍ରେସ ନେତା ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସମେତ ଅନେକ ଦଳର ନେତାମାନେ ଗୁଜରାଟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏବେ ପ୍ରାୟ ୬ ହଜାର ମାନବାଧିକାର କାର୍ଯ୍ୟକର୍ତ୍ତା ତଥା ସମାଜର ପ୍ରତିଷ୍ଠିତ ବ୍ୟକ୍ତି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗଣଦୁଷ୍କର୍ମ ଦୋଷୀଙ୍କୁ ମୁକ୍ତ କରାଯିବା ‘ନ୍ୟାୟର ଗମ୍ଭୀର ଗର୍ଭପାତ’ ବୋଲି ଏମାନେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ସୁପ୍ରିମ୍କୋର୍ଟଙ୍କୁ ପତ୍ର ପଠାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଖ୍ୟାତ ଲେଖକ, ଇତିହାସକାର, ବିଦ୍ୱାନ୍, ଫିଲ୍ମ ନିର୍ମାତା, ସାମ୍ବାଦିକ, ପୂର୍ବତନ ବୁ୍ୟରୋକ୍ରାଟ୍ ଏବଂ ଅନେକ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ । ସହେଲୀ ମହିଳା ସଂସାଧନ କେନ୍ଦ୍ର, ଗମନା ମହିଳା ସମୂହ, ବେବାକ କଲେକ୍ଟିଭ, ଅଖିଳ ଭାରତୀୟ ପ୍ରଗତିଶୀଳ ମହିଳା ସଂଘ ପ୍ରଭୃତି ଅନେକ ସଙ୍ଗଠନର ମୁଖିଆମାନେ ଉକ୍ତ ପତ୍ରରେ ସ୍ୱାକ୍ଷର କରିଛନ୍ତି । ମିଳିତ ବୟାନରେ ଏମାନେ ଉଲ୍ଲେଖ କରିଛନ୍ତି ଯେ, ବଳାକ୍ରାରୀ ଓ ହତ୍ୟାକରୀମାନଙ୍କୁ ଜେଲ୍ରୁ ଛାଡ଼ି ଦିଆଯିବା ଲଜ୍ଜାର ବିଷୟ । ଯେଉଁଦିନ ଆମେ ସ୍ୱାଧୀନତାର ଉତ୍ସବ ମନାଇ ଗର୍ବ ଅନୁଭବ କରିବା ଉଚିତ୍, ସେହିଦିନ ଗଣଦୁଷ୍କର୍ମକାରୀ ଓ ଗଣହତ୍ୟାକରୀଙ୍କୁ ମୁକ୍ତି ଦିଆଗଲା । ୨୦୦୨ ମସିହାର ଗୁଜରାଟ ଦଙ୍ଗା ସମୟରେ ୫ ମାସର ଗର୍ଭବତୀ ବିଲ୍କିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା । ଅଦାଲତ ସମ୍ପୃକ୍ତ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ଦୋଷୀମାନଙ୍କୁ କ୍ଷମାନୀତି ଅନୁଯାୟୀ ଗୁଜରାଟ ସରକାର ଖଲାସ କରିଦେବା ପରେ ବିଲ୍କିସ୍ କହିଥିଲେ ଯେ, ଏଭଳି ନିଷ୍ପତ୍ତି ଯୋଗୁ ନ୍ୟାୟ ଉପରୁ ତାଙ୍କର ଆସ୍ଥା ତୁଟି ଯାଇଛି । ତାଙ୍କ ସ୍ୱାମୀ କହିଥିଲେ ଯେ, ଦୋଷୀମାନଙ୍କୁ ଡରି ସେ ୧୫ ସ୍ଥାନ ବଦଳାଇଲେଣି । ଏବେ ପରିବାର ପ୍ରତି ବିପଦ ଆହୁରି ବଢ଼ିଲା । ତେଲେଙ୍ଗାନା ରାଜ୍ୟରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି ଦଳର ଏମ୍ଏଲ୍ସି କେ କବିତା ଶୁକ୍ରବାର ସୁପ୍ରିମ୍କୋର୍ଟ ପ୍ରଧାନବିଚାରପତି ଏନ୍ ଭି ରମଣାଙ୍କୁ ବିଲ୍କିସ୍ ମାମଲାରେ ହସ୍ତକ୍ଷେପ କରିବା ଲାଗି ନିବେଦନ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ନିକଟକୁ ପତ୍ର ପଠାଇ କବିତା ସେଥିରେ ଅଭିଯୋଗ କରିଛନ୍ତି ଯେ, ଗୁଜୁରାଟ ସରକାର କେନ୍ଦ୍ର ଗୃହମନ୍ତ୍ରଣାଳୟର ଏପ୍ରିଲ୍ ୨୧ ତାରିଖର ଗାଇଡ୍ଲାଇନ୍କୁ ଉପେକ୍ଷା କରି ଦୋଷୀମାନଙ୍କୁ ମୁକ୍ତ କରି ଦେଇଛନ୍ତି । ଏହି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, ବଳାକ୍ରାର, ମାନବ ଚାଲାଣ ଓ ପୋସ୍କୋ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଜେଲ୍ରୁ ମୁକ୍ତି ମିଳିବ ନାହିଁ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଏପରି ନିଷ୍ପତ୍ତି ନେଇଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ଆଇନ ଉପରେ ଦେଶବାସୀଙ୍କ ଆସ୍ଥା ବଜାୟ ରଖିବା ଲାଗି କବିତା ପ୍ରଧାନବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *