ବିପନ୍ନଙ୍କୁ ୧୫ ଦିନ ରିଲିଫ୍

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ
ଭୁବନେଶ୍ୱର, ୧୮ା୮ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । କେନ୍ଦ୍ରାପଡା ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟାଞ୍ଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା, ରିଲିଫ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହ ପ୍ରଭାବିତ ଗୋରୁ ଗାଈଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାକୟ ନିଦେ୍ର୍ଦଶ ଦେଇଛନ୍ତି ।
ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଯେଉଁ ଗାଁରେ ପାଣି ପଶିଛି ସେଠାରେ ବିପନ୍ନଙ୍କୁ ୧୫ ଦିନ ପର୍ଯ୍ୟନ୍ତ ରିଲିଫ୍ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ସେହିପରି ପଶ୍ଚିମ ଓଡିଶାର ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ପାଣି ପଶିଥିବା ଗାଁର ଲୋକଙ୍କୁ ୭ ଦିନ ପାଇଁ ରିଲିଫ ଦିଆଯିବ । ଏତତ ବ୍ୟତୀତ ପାଣି ଛାଡିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯାଇ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଘରଭଙ୍ଗା ଓ ଫସଲ ଜନିତ କ୍ଷତି ପୂରଣ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।
ଅନ୍ୟପଟେ ମହାନଦୀରେ ବନ୍ୟା ଜଳସ୍ତର ଧୀରେଧୀରେ କମିବାରେ ଲାଗିଛି । କିନ୍ତୁ ସରକାର କରିଥିବା ପୂର୍ବାନୁମାନଠାରୁ କମ୍ କମୁଛି । ଏଥିପାଇଁ ଆସନ୍ତା ୪୮ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୁରବାର ରାଜ୍ୟର କୌଣସିଠାରେ ଘାଇ ସୃଷ୍ଟି ହୋଇନି । ଲଘୁଜଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଉତ୍ତର ଓଡ଼ିଶାର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପଦ୍ରୀପ ଜେନା କହିଛନ୍ତି । ମୁଣ୍ଡୁଳୀରେ ଜଳସ୍ତର କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି ।
କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ବନ୍ୟାପାଣି କମିବା ଆରମ୍ଭ କରିଛି । କେବଳ ମହାନଦୀ ଅବବାହିକାରେ ମୋଟ ୭ଟି ଘାଇ ସୃଷ୍ଟି ହୋଇଛି । ଆସୁଥିବା ଲଘୁଚାପକୁ ଦୃଷ୍ଟିରେ ରଖି ସମସ୍ତ ଜଳଶଯ୍ୟା ଗୁଡ଼ିକୁ ଖାଲି କରାଯାଉଥିବା ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି ।
ସେପଟେ ୧୯ ଓ ୨୦ ତାରିଖ ମହାନଦୀର ତଳମୁଣ୍ଡରେ ଓ ୨୧ ଓ ୨୨ ତାରିଖ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି । ମହାନଦୀର ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ହେବାର ନେଇ ଆକଳନ କରାଯାଇଥିବାବେଳେ ୫ ଲକ୍ଷରୁ ୫.୫ ଲକ୍ଷ କୁ୍ୟସେକ ଜଳ ମହାନଦୀକୁ ଆସିବା ନେଇ ପୂର୍ବାକଳନ କରାଯାଇଛି । ମୁଣ୍ଡୁଳୀରେ ଏହି ଫ୍ଲୋ’ ୭ରୁ ୮ ଲକ୍ଷ କୁ୍ୟସେକ ଭିତରେ ରଖିବାକୁ ଚେଷ୍ଟା କରାଯିବ । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ରେ ରଖିବାକୁ ଚେଷ୍ଟା କରାଯାଉଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ଗସ୍ତ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବନ୍ୟା ସମୀକ୍ଷା କରିଛନ୍ତି । ରାଜ୍ୟର ନଦୀଗୁଡ଼ିକର ଜଳପ୍ରବାହ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି ।
ପ୍ରାଥମିକ ସୂଚନା ଅନୁଯାୟୀ, ଆଗମୀ ଲଘୁଚାପ ବର୍ଷାକୁ ଆଖି ଆଗରେ ରଖି ହୀରାକୁଦର ଗେଟ୍ ପରି·ଳନା କରିବା ନିମନ୍ତେ ପରାମର୍ଶ ଦେଇଥିବା ଏସ୍ଆରସି ଶ୍ରୀ ଜେନା କହିଛନ୍ତି । ମହାନଦୀର ବନ୍ୟା ଜଳସ୍ତର ବୁଧବାରଠାରୁ କ୍ରମଶଃ ହ୍ରାସ ପାଇବାରେ ଲାଗିଥିବାବେଳେ ହୀରାକୁଦର ୨୮ ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବା ସେ କହିଛନ୍ତି । ବନ୍ୟା ଯୋଗୁଁ ରାଜ୍ୟର ମୋଟ ୧୩ ଜିଲ୍ଲାର ୭୧ ବ୍ଲକ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ମୋଟ ୨୦୬୬ ଗାଁ ପ୍ରଭାବିତ ହୋଇଥିବାବେଳେ ୪୭୦ ଗାଁ ଜଳବନ୍ଦୀ ଅଛି । ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୨ ଲକ୍ଷ ୫୫ ହଜାର ୩୨୫ ଜଣ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏହି ସବୁ ଅଞ୍ଚଳରେ ୧୯୦ ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉ ଥିବାବେଳେ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କୁ ମୌଳିକ ସେବା ପ୍ରଦାନ କରାଯାଉଛି । ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ୱାରା ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ବହୁ ଚାଷ ଜମି ଜଳମଗ୍ନ ହୋଇଛି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି ।
କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୧୧ ଏନ୍ଡିଆର୍ଏଫ୍, ୧୨ ଓଡ୍ରାଫ୍ ଏବଂ ୫୨ ଅତିରିକ୍ତ ଅଗ୍ନିଶମ ବାହିନୀ ରିଲିଫ୍ ଓ ଉଦ୍ଧାରରେ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୧୦ ଭ୍ରାମ୍ୟମାଣ ଆର୍ଓ ୱାଟର ପ୍ଲାଣ୍ଟ ଜରିଆରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି । ସେହିପରି ପ୍ରଭାବିତ ଗୋରୁଗାଈଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପଶୁଚିକିତ୍ସାକୁ ତ୍ୱରାନ୍ୱିତ କରାଯାଇଛି । ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳରେ ଅବସ୍ଥାନ କରି ନଦୀ ବନ୍ଧର ସୁରକ୍ଷା ତଥା ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିୟମିତ ଭାବେ ଏସ୍ଆର୍ସିଙ୍କ ସହ ଯୋଗାଯୋଗ କରି ବନ୍ୟା ପରିସ୍ଥିତି ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨ ବରିଷ୍ଠ ଅଧିକାରୀଙ୍କୁ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପରି·ଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ପଠାଇଛନ୍ତି । ଏସ୍ଡିଆର୍ଏଫ୍ ଗାଇଡଲାଇନ୍ ଅନୁସାରେ ଜିଲ୍ଲାପାଳମାନେ ଘରୋଇ ଡଙ୍ଗା ଭଡାରେ ନେଇ ଜଳ ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଆଗାମୀ ଲଘୁଚାପ ପ୍ରଭାବରେ ବର୍ଷା ହେବାକୁ ଥିବାବେଳେ ଲୋକଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ୧୩ ଜିଲ୍ଲାରେ ୬୪ ଭ୍ରାମ୍ୟମାଣ ଡାକ୍ତରୀ ଦଳ ମୁତୟନ ହୋଇଥିବାବେଳେ ୨୦ ହଜାର ଓଆର୍ଏସ୍ ପ୍ୟାକେଟ ଓ ୧ ଲକ୍ଷ ୪୨ ହଜାର ହାଲୋଜିନ୍ ବଟିକା ବଣ୍ଟନ କରାଯାଇଥିବା ବିଭାଗ ପକ୍ଷରୁ ଜାରି ସୂଚନାରୁ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *