ଜିମ୍ବାୱେ ବିପକ୍ଷରେ ରେକର୍ଡ ୧୩ତମ ବିଜୟ
ପ୍ରଥମ ଦିନିକିଆ: ୧୦ ୱିକେଟ୍ରେ ଜିତିଲା ଭାରତ
ହରାରେ, ୧୮ା୮ (ଏଜେନ୍ସି): ଆନ୍ତର୍ଜାତିକ କ୍ରିକେଟ୍କୁ ପେସର୍ ଦୀପକ ଚାହରଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଓ ଓପନିଂ ବ୍ୟାଟର୍ଙ୍କ ନିରନ୍ତରତା ବଜାୟ ଫଳରେ ଭାରତ ଗୁରୁବାର ପ୍ରଥମ ଦିନିକିଆରେ ଜିମ୍ବାୱେକୁ ୧୦ ୱିକେଟ୍ରେ ପରାସ୍ତ କରିଛି । ଏଥିସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି ।
ଜିମ୍ବାୱେ ବିପକ୍ଷରେ ଏହା ଭାରତର କ୍ରମାଗତ ରେକର୍ଡ ତ୍ରୟୋଦଶ ବିଜୟ । ଏହି ଫର୍ମାଟ୍ରେ କୌଣସି ଟିମ୍ ବିପକ୍ଷରେ ଏହା ସବୁଠାରୁ ଲମ୍ବା ବିଜୟଧାରା । ଏହାଛଡ଼ା ଜିମ୍ବାୱେ ବିପକ୍ଷରେ ଟିମ୍ ଇଣ୍ଡିଆର ତୃତୀୟ ୧୦-ୱିକେଟ୍ ବିଜୟ । ଦ୍ୱିତୀୟ ଦିନିକିଆ ଅଗଷ୍ଟ ୨୦ରେ ଖେଳାଯିବ ।
ଆଘାତରୁ ସୁସ୍ଥ ହେବା ପରେ ଛଅ ମାସ ଭିତରେ ପ୍ରଥମ ଥର ବ୍ଲୁ ଜର୍ସି ପିନ୍ଧିଥିବା ଚାହର (୨୭/୩) ଶୀର୍ଷକ୍ରମର ତିନି ବ୍ୟାଟର୍ଙ୍କୁ ପାଭିଲିଅନ୍ ପଠାଇଥିଲେ, ଯାହା ଫଳରେ ଜିମ୍ବାୱେ ଟିମ୍କୁ ୪୦.୩ ଓଭର୍ରେ ମାତ୍ର ୧୮୯ ରନ୍ ମଧ୍ୟରେ ସୀମିତ ରଖାଯାଇ ପାରିଥିଲା । ଜବାବରେ ଫର୍ମରେ ଥିବା ଓପନିଂ ଯୋଡ଼ି ଶିଖର ଧାବନ୍ (୧୧୩ ବଲ୍ରୁ ଅପରାଜିତ ୮୧) ଓ ଶୁଭମନ ଗିଲ୍ (୭୨ ବଲ୍ରୁ ଅପରାଜିତ ୮୨) ୩୧ତମ ଓଭର୍ରେ ଭାରତୀୟ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଧାବନ୍ଙ୍କ ଇନିଂସ୍ରେ ୯ ଚୌକା ଏବଂ ଗିଲ୍ଙ୍କ ଇନିଂସ୍ରେ ୧୦ ଚୌକା ଓ ୧ ଛକା ରହିଥିଲା । ଉଭୟଙ୍କ ମଧ୍ୟରେ ୧୯୨ ରନ୍ର ଅପରାଜିତ ଭାଗୀଦାରୀ ହୋଇଥିଲା ।
ବୋଲିଂ ଅନୁକୂଳ ପିଚ୍ରେ ଆସ୍ଥାନ ଜମାଇଲେ ଗିଲ୍-ଧାବନ୍୍
ଅଧିନାୟକ ଲୋକେଶ ରାହୁଲ ଶୀର୍ଷକ୍ରମରେ ଫର୍ମରେ ଥିବା ଧାବନ୍ ଓ ଗିଲ୍ଙ୍କ ପାଇଁ ନିଜ ସ୍ଥାନ ଛାଡ଼ିଥିଲେ । ସେମାନେ ପୂର୍ବ ଚାରି ମ୍ୟାଚ୍ ମଧ୍ୟରେ ସେମାନଙ୍କର ତୃତୀୟ ବ୍ୟକ୍ତିଗତ ଅର୍ଦ୍ଧଶତକ ଲଗାଇବା ସହ ତୃତୀୟ ଥର ଶତକୀୟ ଭାଗୀଦାରୀ କରିଛନ୍ତି ।
ବିଶେଷକରି ବୋଲିଂ ପାଇଁ ଅନୁକୂଳ ପିଚ୍ରେ ଭାରତୀୟ ଓପନର୍ମାନେ ଗମ୍ଭୀର ଢଙ୍ଗରେ ଇନିଂସ୍ ଆରମ୍ଭ କରିଥିଲେ । ତେବେ କ୍ରିଜ୍ରେ ଆସ୍ଥାନ ଜମାଇବା ପାଇଁ ସେମାନଙ୍କୁ ବେଶୀ ସମୟ ଲାଗି ନ ଥିଲା । ସିମର୍ଙ୍କ ବଲ୍ରେ ଧାବନ୍ ସିଗ୍ନେଚର୍ ସ୍କୋୟାର୍ କଟ୍ ଓ ସ୍ଲୋ ବୋଲର୍ଙ୍କ ବଲ୍ରେ ଦମ୍ଦାର ଢଙ୍ଗରେ ଖେଳିଥିଲେ । ସେ ୭୬ ବଲ୍ରୁ ୩୮ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ ।
ଅନ୍ୟପଟେ, ଗିଲ୍ ପ୍ର୍ରଥମରୁ ଧୈର୍ଯ୍ୟପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ ଏବଂ ଏହାପରେ ମୁକ୍ତ ଭାବେ ଖେଳି ଷ୍ଟ୍ରାଇକ୍ରେଟ୍ରେ ତାଙ୍କ ବରିଷ୍ଠ ଯୋଡ଼ିଦାରଙ୍କୁ ଅତିକ୍ରମ କରିଥିଲେ । ସେ ୫୧ ବଲ୍ରୁ ତୃତୀୟ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଥିଲେ । ଗିଲ୍ କେତେକ ଆଖିଦୃଶିଆ ଷ୍ଟ୍ରୋକ୍ ଲଗାଇଥିଲେ । ସେଥିମଧ୍ୟରେ ୱେସ୍ଲୀ ମଧେଭେରଙ୍କ ବଲ୍ରେ ଡିପ୍ ମିଡ୍-ୱିକେଟ୍ ଉପର ଦେଇ ଏକ ବିଶାଳ ଛକା ଥିଲା । ଭାରତୀୟ ଟିମ୍ ୩୦.୫ ଓଭର୍ରେ କୌଣସି ୱିକେଟ୍ ନ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା ।
ବିଜୟ ପାଇଁ ମୂଳଦୁଆ ପକାଇଥିଲେ ଚାହର
ଏଥି ପୂର୍ବରୁ ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଭାରତର ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଚାହର ଟିମ୍କୁ ଫେରିଥିଲେ ।
ପ୍ରତ୍ୟାବର୍ତ୍ତନ ପରେ ଲୟ ହାସଲ ପାଇଁ ଚାହରଙ୍କୁ ଅଧିକ ସମୟ ଲାଗି ନ ଥିଲା । ହରାରେ ଟ୍ରାକ୍ ଭଲ ବାଉନ୍ସ ଅଫର୍ କରିଥିଲା । ଉପଶମକାରକ ସକାଳର ସ୍ଥିତି ଗୁଣାତ୍ମକ ସ୍ୱିଙ୍ଗ୍ ବୋଲିଂ ପାଇଁ ସହାୟକ ହୋଇଥିଲା ।
ଚାହରଙ୍କୁ ମହମ୍ମଦ ସିରାଜ (୩୬/୧)ଙ୍କ ଠାରୁ ସହଯୋଗ ମିଳିଥିଲା । ଏହାଛଡ଼ା ପେସର୍ ପ୍ରସିଦ୍ଧ କ୍ରିଷ୍ଣ (୫୦/୩) ଓ ବାମହାତି ସ୍ପିନର୍ ଅକ୍ଷର ପଟେଲ୍ (୨୪/୩) ମଧ୍ୟ ଓ ନିମ୍ନକ୍ରମ ବ୍ୟାଟର୍ଙ୍କ ଶିକାର କରିଥିଲେ । ତେବେ କୁଲଦୀପ ଯାଦବ (୩୬/୦)ଙ୍କୁ କୌଣସି ୱିକେଟ୍ ମିଳି ନ ଥିଲା ।
ଆଦ୍ୟ ଓଭର୍ଗୁଡ଼ିକରେ ଜିମ୍ବାୱେ ବ୍ୟାଟର୍ ଚାହରଙ୍କ ବଲ୍ରେ ଅସ୍ୱସ୍ତି ଅନୁଭବ କରିଥିଲେ । ମାତ୍ର ୩୧ ରନ୍ ମଧ୍ୟରେ ଟିମ୍ ୪ ୱିକେଟ୍ ହରାଇଥିଲା । ଦୁଇ ଓପନର୍ ଇନୋସେଣ୍ଟ କାଇଆ (୨୦ ବଲ୍ରୁ ୪) ଓ ତାଡ଼ିୱାନାଶେ ମାରୁମନୀ (୨୨ ବଲ୍ରୁ ୮)ଙ୍କୁ ଚାହର ପାଭିଲିଅନ୍ ପଠାଇଥିଲେ । ସିନ୍ ୱିଲିଅମ୍ସ (୧)ଙ୍କ ୱିକେଟ୍ ସିରାଜ୍ଙ୍କ ଖାତାକୁ ଯାଇଥିବା ବେଳେ ତିନି ନମ୍ବର ବ୍ୟାଟର୍ ୱେସଲୀ ମାଧେଭେର (୫) ଚାହରଙ୍କ ତୃତୀୟ ଶିକାର ହୋଇଥିଲେ ।
ସିକନ୍ଦର ରାଜା (୧୨) ଓ ରିଆନ୍ ବର୍ଲ (୧୧)ଙ୍କୁ କ୍ରିଷ୍ଣ ଆଉଟ୍ କରିଥିଲେ । ଅଧିନାୟକ ରେଗିସ୍ ଚକାବଭା ୩୫ ରନ୍ର ଇନିଂସ୍ ଖେଳି ପଟେଲ୍ଙ୍କ ଶିକାର ହୋଇଥିଲେ । ଲୁ୍ୟକ୍ ଜଙ୍ଗୱେ (୧୩) ପଟେଲ୍ଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ଆଉଟ୍ ହୋଇଥିଲେ । ଏହାପରେ ବ୍ରାଡ୍ ଇଭାନ୍ସ ଓ ରିଚାର୍ଡ ଗରଭ ନବମ ୱିକେଟ୍ରେ ୭୦ ରନ୍ର ଭାଗୀଦାରୀ କରି ଭାରତର ପ୍ରତୀକ୍ଷା ବଢ଼ାଇ ଦେଇଥିଲେ । ଗରଭଙ୍କୁ ପାଭିଲିଅନ୍ ପଠାଇ କ୍ରିଷ୍ଣ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାର ପର ଓଭର୍ରେ ଭିକ୍ଟର ନ୍ୟାଉଚି ୮ ରନ୍ କରି ଶେଷ ବ୍ୟାଟର୍ ଭାବେ ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଇଭାନ୍ସ ୩୩ ରନ୍ କରି ଅପରାଜିତ ଥିଲେ ।