ଭକ୍ତଙ୍କ ସୁରକ୍ଷା କବଚ ସାଜିଛି ବାରିକେଡ୍
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟ ନଗରୀ । ସେଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏପରିକି ମାଳ ମାଳ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ନିର୍ମାଣ ଜାରି ରହିଛି ପରିକ୍ରମା ପ୍ରକଳ୍ପ । ସେଥିଲାଗି ପ୍ରସ୍ତୁତି ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସିଂହଦ୍ୱାର ସମ୍ମୁଖରେ ସକାଳଠାରୁ ଆରମ୍ଭ କରି ବିଳମ୍ବିତ ରାତିପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି । ଭକ୍ତଙ୍କ ସମାଗମ ହେଉଥିବା ସଂହଦ୍ୱାର ସମ୍ମୁଖ ରାସ୍ତା ପାଲଟିଛି ବିପଦ । ଏଠାରେ ସ୍କ୍ରାବ୍ ପଡ଼ିଥିବା ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି । କେତେବେଳେ କେଉଁ ଭକ୍ତଙ୍କ କିଛି ଅଘଟଣ ନ ହେବ ତାହା କିଏ କହିପାରିବ ।
ଏଭିଳ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜିଲ୍ଲା ପ୍ରଶାସନ ଭୁଲି ଯାଇଛି । ଏହି ବିପଦ ସ୍ଥାନରେ କେବଳ ଭକ୍ତଙ୍କ ସୁରକ୍ଷା କବଚ ସାଜିଛି ବାରିକେଡ୍ । ଏହି ଦୃଶ୍ୟକୁ ନେଇ ବାହାର ରାଜ୍ୟ ଭକ୍ତଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏନେଇ ଜଣେ ଭକ୍ତ କୁହନ୍ତି, ମହାପ୍ରଭୁଙ୍କୁ ଦର୍ଶନ ଲାଗି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ସିଂହଦ୍ୱାରରେ । ପ୍ରଶାସନ ଏଭଳି ସ୍ଥାନରେ ବାରିକେଡ୍ ରଖି ଅଚିନ୍ତାରେ ବସିପଡ଼ିବା ଅତ୍ୟନ୍ତ ପରିତାପ ଓ ଦୁଃଖର ବିଷୟ ।