ଡାଇମଣ୍ଡ ଲିଗ୍ରେ ଫେରିବେ ନୀରଜ!

ନୂଆଦିଲ୍ଲୀ, ୧୮ା୮ (ଏଜେନ୍ସି): ଅଲିମ୍ପିକ୍ ବିଜେତା ତଥା ବିଶ୍ୱ ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକଧାରୀ ନୀରଜ ଚୋପ୍ରା ଚଳିତ ମାସରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଲୁସାନେ ଡାଇମଣ୍ଡ ଲିଗ୍ ପାଇଁ ସମ୍ଭାବ୍ୟ ଖେଳାଳି ତାଲିକାରେ ତାଙ୍କୁ ସାମିଲ୍ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୬ରୁ ଆରମ୍ଭ ହେବ ।
ନୀରଜ ଆଘାତଜନିତ କାରଣରୁ ନିକଟରେ ଶେଷ ହୋଇଥିବା ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନ ଥିଲେ । ସେଥିରେ ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା ।
ନୀରଜ ଲୁସାନେ ଲିଗ୍ରେ ଖେଳିବା ନେଇ ସ୍ପଷ୍ଟ କରି ନାହାନ୍ତି । ଗତ ମାସରେ ବିଶ୍ୱ ଚାମ୍ପିଅନ୍ସିପ୍ ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଏହାସତ୍ତ୍ୱେ ସେ ପୋଡ଼ିୟମ୍ ଫିନିଶ୍ କରିଥିଲେ । ଏହି ଇଭେଣ୍ଟ ପରେ ସେ ଜଂଘରେ ପଟି ବାନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହାପରେ ୨୪ବର୍ଷୀୟ ନୀରଜ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ ପାଇଁ ଭାରତୀୟ ଦଳ ଇଂଲଣ୍ଡ ଯାତ୍ରାର କିଛି ଦିନ ପୂର୍ବରୁ ପ୍ରତିଯୋଗିତାରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାଦ୍ୱାରା ଭାରତର ଏକ ସ୍ୱର୍ଣ୍ଣ ପଦକ ଆଶାକୁ ଝଟ୍କା ଲାଗିଥିଲା ।
ସୂତ୍ରାନୁଯାୟୀ, ନୀରଜ ଏବେ ରିହାବ୍ରେ ଅଛନ୍ତି । ମେଡିକାଲ୍ ଟିମ୍ ତାଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା କରୁଛନ୍ତି । ଲୁସାନେ ଡାଇମଣ୍ଡ ଲିଗ୍ରେ ସେ ଭାଗ ନେବେ ନା ନାହିଁ, ତା’ ଉପରେ ତାଙ୍କ ଟିମ୍ ନିଷ୍ପତ୍ତି ନେବ । ଆସନ୍ତା ଏକ ସପ୍ତାହ ମଧ୍ୟରେ ତାହାର ସୂଚନା ମିଳିଯିବ ।
ଅବିନାଶ ସାବଲେ ଲୁସାନେ ଡାଇମଣ୍ଡ ଲିଗ୍ରେ ଭାଗ ନେବେ । ଅବିନାଶ ୩୦୦୦ମି. ଷ୍ଟିପଲ୍ଚେଜ୍ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ବର୍ମିଂହାମ୍ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ନୀରଜଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଉତ୍ତମ ପ୍ରଦର୍ଶନ କରି ୨୨ ସ୍ୱର୍ଣ୍ଣ ସମେତ ମୋଟ୍ ୬୧ ପଦକ ହାସଲ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *