ମୁମ୍ବାଇ ଉପକୂଳରୁ ଅସ୍ତ୍ର ଭର୍ତ୍ତି ଡଙ୍ଗା ଜବତ
ପୁଣି ୨୬/୧୧ ଆତଙ୍କୀ ହମଲା ଷଡ୍ୟନ୍ତ୍ର!
ମୁମ୍ବାଇ (ଏଜେନ୍ସି): ମୁମ୍ବାଇଠାରୁ ପ୍ରାୟ ୨ଶହ କିମି ଦୂର ରାଇଗଡ଼ ଜିଲ୍ଲାର ସମୁଦ୍ର ଉପକୂଳରୁ ଏକ ବିଦେଶୀ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଉଙ୍ଗା ଉଦ୍ଧାର କରାଯାଇଛି । ୧୬ ମିଟର ଦୈର୍ଘ୍ୟ ବିଶିଷ୍ଟ ଲେଡି ହାନ ନାମକ ଏହି ବୋଟ୍ରୁ ୩ ଏକେ-୪୭, ବିପୁଳ ଗୁଳି, ବିସ୍ଫୋରକ ଓ ଦସ୍ତାବିଜ୍ ଜବତ କରାଯିବା ପରେ ବ୍ୟବସାୟିକ ରାଜଧାନୀ ମୁମ୍ବାଇରେ ପୁଣି ୨୬/୧୧ ଆତଙ୍କବାଦୀ ହମଲା ଆଶଙ୍କା ପ୍ରକାଶ ପାଇଛି । ମୁମ୍ବାଇ ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନିଆଯିବ ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ରାଇଗଡ଼ରେ ଆଲର୍ଟ ଜାରି କରାଯାଇଛି ।
ଅନ୍ୟପକ୍ଷରେ ମୁମ୍ବାଇବାସୀଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଉଦ୍ବେଗର କାରଣ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ରାଜ୍ୟ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜବତ ହୋଇଥିବା ଡଙ୍ଗା ଏକ ଅଷ୍ଟ୍ରେଲୀୟ ଦମ୍ପତିଙ୍କର । ଏହାର ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଉକ୍ତ ଦମ୍ପତି ଏହାକୁ ମରାମତି ପାଇଁ ରଖିଥିଲେ । ଢ଼େଉରେ ଉକ୍ତ ଡଙ୍ଗା ଭାସି ଆସିଛି । ପ୍ରାଥମିକ ତଦନ୍ତରୁ ଏହା ପଛରେ ଆତଙ୍କୀ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହୋଇନି । ତଥାପି ସବୁ ଦିଗକୁ ବି·ର କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଫଡନାବିସ୍ କହିଛନ୍ତି ।
ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ହରିହରେଶ୍ୱର ସମୁଦ୍ର କୂଳରୁ ଏହି ଡଙ୍ଗା ଉଦ୍ଧାର କରାଯାଇଛି । ଏଟିଏସ୍ ଓ ରାଇଗଡ଼ ପୁଲିସ୍ ଘଟଣାର ଯାଞ୍ଚ କରୁଥିବା ବେଳେ ଏନଆଇଏ ମଧ୍ୟ ଦିଲ୍ଲୀରୁ ରାଇଗଡ଼ ଯାଇଛି । ଏହାର ଯାଞ୍ଚ ·ଲିଥିବା ବେଳେ ରାଇଗଡ଼ରୁ ଆଉ ଏକ ପରିତ୍ୟକ୍ତ ଡଙ୍ଗା ମିଳିଛି । ଅସ୍ତ୍ର ଭର୍ତ୍ତି ଡଙ୍ଗା ସମୁଦ୍ରରେ ଭାସୁଥିବା ଦେଖି କେତେକ ମତ୍ସ୍ୟଜୀବୀ ପୁଲିସକୁ ଖବର ଦେଇଥିଲେ । ଯାଞ୍ଚ କରିବା ପରେ ଏହା ମଧ୍ୟରୁ ବିପୁଳ ଅସ୍ତ୍ରଶସ୍ତ୍ର ମିଳିଥିଲା ।
ଲେଡି ହାନର ମାଲିକ ଅଷ୍ଟ୍ରେଲୀୟ ମହିଳା ହାନା ଲାଉଣ୍ଡେରଗନ । ତାଙ୍କ ସ୍ୱାମୀ ଜେମ୍ସ ହାର୍ବଟ ଏହାର କ୍ୟାପଟେନ୍ ଥିଲେ । ଲେଡି ହାନ୍ ମସ୍କଟ ଦେଇ ୟୁରୋପ ଯିବା ସମୟରେ ଜୁନ୍ ୨୬ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ସମୁଦ୍ରରେ ଭାସୁଥିଲା । ଉଦ୍ଧାରକାରୀ ଦଳ ଏଥିରେ ଥିବା ଲୋକମାନଙ୍କୁ ସେହିଦିନ ୧ଟା ବେଳେ ଉଦ୍ଧାର କରିଥିଲେ । ହେଲେ ଉଚ୍ଚ ଜୁଆର ଯୋଗୁ ଲେଡି ହାନ୍ ଗଭୀର ସମୁଦ୍ରକୁ ଭାସିଯାଇଥିଲା ।
କିନ୍ତୁ ଡଙ୍ଗାରେ ଅସ୍ତ୍ରଶସ୍ତ୍ର କାହିଁକି ରହିଥିଲା ତାହା ତଦନ୍ତ ପରେ ଜଣାପଡ଼ିବ । ଏହି ଘଟଣା ପରେ ମୁମ୍ବାଇରୁ ରାଇଗଡ଼ ଉପକୂଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଇଗଡ଼ ବିଧାୟକ ଅଦିତି ଟାଟକେର ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଆଗକୁ ଗଣେଷ ପୂଜା ଭଳି ପାର୍ବଣ ଥିବାରୁ ଡଙ୍ଗାରୁ ଅସ୍ତ୍ରଶସ୍ତ୍ର ମିଳିବା ଚିନ୍ତାର କାରଣ ପାଲଟିଛି । ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତିି, ସୁରକ୍ଷା ପ୍ରତି ବିପଦ ନାହିଁ । ମସ୍କଟ ନିକଟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏଥିରେ ଥିବା ଲୋକମାନେ ସାହାଯ୍ୟ ପାଇଁ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରିଥିଲେ ଓ ସମସ୍ତଙ୍କୁ ଜୁନ୍ ୨୬ରେ ଉଦ୍ଧାର କରାଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଅନୁରୂପ ଭାବେ ଡଙ୍ଗାରେ ଅସ୍ତ୍ରଶସ୍ତ୍ର ଆଣି ମୁମ୍ବାଇରେ ୩ ଦିନ ଧରି ନରସଂହାର ଚଳାଇଥିଲେ । ଏବେ ଉପକୂଳରୁ ଅସ୍ତ୍ର ଭର୍ତ୍ତି ଡଙ୍ତଗା ଉଦ୍ଧାର କରାଯିବା ପରେ ପୁଣି ଆତଙ୍କବାଦୀ ଆକ୍ରମଣର ସ୍ମୃତି ଉଜ୍ଜୀବୀତ ହୋଇଛି ।
