ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ
ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର, ୧୮ା୮ (ବୁୂ୍ୟରୋ): ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିଥିବାବେଳେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଯାହା ଗୁରୁବାର ଅପରାହ୍ନରେ ୱେଲମାର୍କ (ସୁଦୃଶ୍ୟ) ଲଘୁଚାପ ରୂପ ନେଇଥିବାବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକା ପାଇଛି । ଫଳରେ ଉତ୍ତର ଓଡ଼ିଶାରେ ବିଶେଷ ଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସହରୀ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ସମ୍ଭାବନା ପ୍ରକାଶ ପାଇଛି । ଆସନ୍ତାକାଲି ରାଜ୍ୟର ୨ ଜିଲ୍ଲା ଯଥା କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରଚୁର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ଉକ୍ତ ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଉଭୟ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ରେକର୍ଡ ହେବ ବୋଲି ପୂର୍ବାକଳନ ପ୍ରକାଶ ପାଇଛି ।
ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇ କହିଛନ୍ତି, ଲଘୁଚାପ ପ୍ରଭାବରେ ଗୁରୁବାର ଠାରୁ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷା ଆରମ୍ଭ ହେବ । ଯାହାର ସର୍ବାଧିକ ପ୍ରଭାବ ଶୁକ୍ରବାର ଓ ଶନିବାର ଓଡ଼ିଶାରେ ଦେଖିବାକୁ ମିଳିବ । ଓଡ଼ିଶାର ସବୁ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଓ ଅତି ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ସେହି ସମୟରେ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଛତିଶଗଡ଼ରେ ଗୋଟିଏ ବା ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖରେ ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବ । ଯେଉଁ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ରହିଛି, ସେଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ଗୁରୁବାରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।
ସେପଟେ ଅବପାତର ରୂପ ନେବାପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତ କରିବ । ଆସନ୍ତାକାଲି ରାଜ୍ୟରେ ସର୍ବାଧିକ ବର୍ଷା ହେବା ସମ୍ଭାବନା ରହିଛି । ୨୦ ତାରିଖରେ ସମ୍ପୃକ୍ତ ଲଘୁଚାପ ଝାଡ଼ଖଣ୍ଡ ଉପରେ କେନ୍ଦ୍ରିଭୂତ ହେବ । ଏହି ସମୟରେ ଉତ୍ତର ଛତିଶଗଡ଼ରେ ମଧ୍ୟ ଅତ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ଏହାଦ୍ୱାରା ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିପାରେ ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି । ଏହି କ୍ରମରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ଶୁକ୍ରବାର ମୟୁରଭଞ୍ଜ ଓ କେନ୍ଦୁଝର ପାଇଁ ରେଡ୍ ୱାର୍ଣ୍ଣିଂ ଥିବାବେଳେ ୧୪ ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଶୁକ୍ରବାର କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୈଦ୍ଧ, ବଲାଙ୍ଗୀର, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଥିବାବେଳେ ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୦ ତାରିଖ ଦିନ ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୱାର୍ଣ୍ଣିଂ ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପରେଖାକୁ ଭିତ୍ତି କରି ଦିଆଯାଇଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଓ ମୟୁରଭଞ୍ଜ, ଅନୁଗୁଳ, ବୈଦ୍ଧ, କଳାହାଣ୍ଡି, ନୂଆପଡ଼ା, ନବରଙନ୍ଗପୁର ଓ ଢ଼େଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୱାର୍ଣ୍ଣିଂ ଜାରି ଥିବା ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।