ଜନ୍ମାଷ୍ଟମୀରେ ଉଠିଲା ମୂର୍ତ୍ତି ନିର୍ମାଣ ପାଇଁ ମାଟି
ଶାରଦୀୟ ଦୁର୍ଗାପୂଜା ପାଇଁ ବାଜିଲା ବିଗୁଲ
କଟକ (ବୁ୍ୟରୋ) : କଟକ ସହରର ପ୍ରସିଦ୍ଧ ଶାରଦୀୟ ଦୁର୍ଗା ପୂଜା ପାଇଁ ଆଜିଠାରୁ ବିଗୁଲ ବାଜିଛି । ମାଟିଉଠା ପର୍ବରୁ ହିଁ କଟକରେ ଦୁର୍ଗା ପୂଜା ଶୁଭାରମ୍ଭ ହୋଇଥାଏ । ଆଜି କୋଭିଡ ଗାଇଡ଼ଲାଇନ ଅନୁସାରେ ଜନ୍ମାଷ୍ଟମୀ ଅବସରରେ ମାଟିଉଠା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । କିଛି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଯମୁନା ଘାଟ ତଥା ନଦୀତଟରୁ ମା’ ଜଗତଜନନୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା କାର୍ଯ୍ୟ ଯାକଜକମରେ ହୋଇଥିଲା । ଆସନ୍ତାକାଲି ନନେ୍ଦାଉତ୍ସବ ଅବସରରେ ମଧ୍ୟ କେତେକ ପୂଜା କମିଟି ପକ୍ଷରୁ ମାଟି ଉଠା ଅନୁଷ୍ଠିତ ହେବ । ଗତଦୁଇ ବର୍ଷ ଧରି କରୋନା ଯୋଗୁଁ କେବଳ ପରମ୍ପରା ରକ୍ଷା କରିବା ପାଇଁ ମାଟି ଉଠା ସମ୍ପୂର୍ଣ୍ଣ କରାଯାଉଥିଲା । ଏପରିକି ଗତ ଦୁଇ ବର୍ଷ ଧରି ୪ ଫୁଟ ମୂର୍ତ୍ତି ନିର୍ମାଣ ହେଉଥିବା ବେଳେ ଚଳିତ ବର୍ଷ ୭ଫୁଟରୁ ଉଦ୍ଧ୍ୱର୍ ମୂର୍ତ୍ତି ନିର୍ମାଣ କରାଯିବ ବୋଲି ଶାନ୍ତିକମିଟି ଓ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଜନ୍ମାଷ୍ଟମୀ ପାଇଁ ଆଜି କଟକ ସହର ଉତ୍ସବମୁଖର ହୋଇପଡ଼ିଛି । ଗତଦୁଇ ବର୍ଷର କୋଭିଡ ବ୍ୟବଧାନ ପରେ କଟକରେ ଧୁମଧାମରେ ଏହି ପୂର୍ବ ପାଳିତ ହୋଇଯାଇଛି । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠିଛି ମନ୍ଦିର ପରିସର । ସକାଳୁ ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଜାରି ରହିଛି । ରାଧାକୃଷ୍ଣ ଓ ଲକ୍ଷ୍ମୀ ନାରାୟଣ ଓ ଗୋପାଳଜୀଉଙ୍କ ମନ୍ଦିରରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ଭିଡକୁ ନିୟମନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ସମସ୍ତ ମନ୍ଦିର ନିକଟରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇବର୍ଷ କୋଭିଡ଼ କାଳରେ ମନ୍ଦିରରେ ଏହି ପର୍ବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେଉଥିଲା ବେଳେ ଚଳିତ ବର୍ଷ ବେଶ ଧୁମଧାମରେ ଜନ୍ମାଷ୍ଟମୀ ପାଳିତ ହେଉଛି । ଅନ୍ୟପକ୍ଷରେ ପରମ୍ପରା ଅନୁସାରେ ଜଗତଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଆସିଛି । ଆସନ୍ତାକାଲି ଠାରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନୁଷ୍ଠିତ ହେବ । ବିଶେଷକରି ପରମ୍ପରା ଓ ବିଧି ଅନୁସାରେ ମଙ୍ଗଳବାଗ ଓ ଚାନ୍ଦିନଚୌକ ପୂଜା କମିଟି ପକ୍ଷରୁ ମହାନଦୀରୁ ପୂଜାର୍ଚ୍ଚନା କରାଯାଇ ମାଟି ଅଣାଯାଇଥିଲା । କମିଟର କର୍ମକତ୍ତାଙ୍କ କହିବାନୁସାରେ, ଜନ୍ମାଷ୍ଟମୀ ଦିନ ବିଜୁଳି କନ୍ୟାଙ୍କ ଆବିର୍ଭାବ ହୋଇଥିଲା । ଏହି ବିଜୁଳି କନ୍ୟା ରୂପରେ ମା’ ଦୁର୍ଗତିନାଶିନି ମହିଷାସୁର ନିପାତ କରିବା ପାଇଁ ଜନ୍ମ ନେଇଥିଲେ । ଏଣୁ ଜନ୍ମାଷ୍ଟମୀରେ ମା’ଙ୍କ ପାଇଁ ମାଟି ମହାନଦୀ ଓ କାଠଯୋଡ଼ି ନଦୀତଟରୁ ଆସିଥାଏ । ଏହି ଦିନରେ ମା’ଙ୍କ ମାଟି ଉଠା କାର୍ଯ୍ୟ ଅନୁକୂଳ ହୋଇଥାଏ ।