ଲଖିମପୁର ଖେରୀରେ ୭୫ ଘଣ୍ଟିଆ ଧାରଣା
ପୁଣି କୃଷକ ଆନେ୍ଦାଳନ
ଲକ୍ଷ୍ନୌ(ଏଜେନ୍ସି): କୃଷି ବିଲ୍କୁ କେନ୍ଦ୍ରକରି ଚାଲିଥିବା ଆନେ୍ଦାଳନ ପ୍ରତ୍ୟାହାର ହେବାର ପ୍ରାୟ ବର୍ଷକ ପରେ ପୁଣି କୃଷକମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଏଥର କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର ଓ ଗିରଫ କୃଷକମାନଙ୍କୁ ଖଲାସ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ନେତୃତ୍ୱରେ ଉତ୍ତର ପ୍ରଦେଶର ଲଖିମିପୁର ଖିରିସ୍ଥିତ ମଣ୍ଡି ଗ୍ରାଉଣ୍ଡରେ ଗୁରୁବାର ଠାରୁ ୭୫ ଘଣ୍ଟିଆ ଧାରଣା ଆରମ୍ଭ କରିଛନ୍ତି ।
ଧାରଣାରେ ବିକେୟୁର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତ, ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ଦିଲବାଗ ସିଂହ ପ୍ରମୁଖଙ୍କ ସମେତ ଜାତୀୟ ସ୍ତରର ଅନ୍ୟ ଚାଷୀ ନେତୃବୃନ୍ଦ ଧାରଣା ସ୍ଥଳରେ ପହଞ୍ଚିଛନ୍ତି । ପ୍ରଶାସନର କଟକଣା ଓ ବିପୁଳ ପୁଲିସ ମୁତୟନ ସତ୍ତ୍ୱେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬ ହଜାର ମହିଳା ଓ ପୁରୁଷ ମଣ୍ଡି ଗ୍ରାଉଣ୍ଡରେ ଗୁରୁବାର ସକାଳୁ ପହଞ୍ଚିଛନ୍ତି । ଅଘଟଣ ଆଶଙ୍କା କରି ରାଜ୍ୟ ସରକାରଙ୍କ ପକ୍ଷରୁ ବିପୁଳ ପୁଲିସ ମୁତୟନ କରାଯାଇଛି ।
ଲଖିମିପୁର ଖିରି ଜିଲ୍ଲା ତିକୋଣିଆ ଅଞ୍ଚଳରେ ଚାଷୀମାନେ ଶାନ୍ତିପୂର୍ଣର୍ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍୍ରାଙ୍କ ପୁଅ ଆଶିଷ ମିଶ୍ରା ଗାଡ଼ି ଚଢ଼ାଇ ଦେଇଥିଲେ । ଏଥିରେ ୪ ଚାଷୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ । ୨୦୨୧ ଅକ୍ଟୋବର ୩ରେ ଏହି ହୃୃଦୟବିଦାରକ ଘଟଣା ଘଟିଥିଲା । ଏହା ପରବର୍ତ୍ତି ହିଂସାରେ ଜଣେ ସାମ୍ବାଦିକଙ୍କ ସମେତ ୪ ଜଣ ପ୍ରାଣ ହରାଇଥିଲେ । ଏସ୍କେଏମ ମୁଖପାତ୍ର ଶ୍ରୀ ଟିକାୟତ କହିଛନ୍ତି, ଇତିମଧ୍ୟରେ ବର୍ଷେ ବିତିବାକୁ ବସିଲାଣି । ବାରମ୍ବାର ଦାବି ସତ୍ତ୍ୱେ ଅଜୟ ମିଶ୍ରାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇ ନାହିଁ । କେନ୍ଦ୍ର ସରକାର କୃଷକଙ୍କ ଦାବି ପ୍ରତି ଆଖି ବୁଜି ଦେଇଛନ୍ତି ।
ସେ କହିଛନ୍ତି, ଆନେ୍ଦାଳନ ପ୍ରତି ସ୍ୱତଃସ୍ପୁତ ସମର୍ଥନ ମିଳିଛି । ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଆଦି ରାଜ୍ୟରୁ କୃଷକ ଓ ସମର୍ଥକମାନେ ପହଞ୍ଚିଛନ୍ତିି । ଆହୁରି ଦୁଇଦିନ ଧାରଣା ଚାଲିବ ଓ ଅଧିକ ଲୋକ ସାମିଲ ହେବେ । ଅଜୟଙ୍କୁ ବିଦା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରାଯିବ ବୋଲି ଦିଲବାଗ ସିଂହ କହିଛନ୍ତି ।
ଏହାବ୍ୟତିତ ତିକୋନିଆ ହିଂସାରେ ମୃତାହତଙ୍କ ନିକଟସଂପର୍କୀୟଙ୍କ୍ୁ ଆର୍ଥିକ ସହାୟତା ଓ ନିଯୁକ୍ତି ପ୍ରଦାନ ଲାଗି ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିକଟରେ ଦାବି କରାଯାଇଛି । ଚାଷୀଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ ନିମିତ୍ତ ଦାବି କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି ।
କୃଷକଙ୍କ ଧାରଣାକୁ ଦୃଷ୍ଟିରେ ରଖି ଲଖିମିପୁର ଖିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଗ୍ରାଉଣ୍ଡରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ମହେନ୍ଦର ବାହାଦୁର ସିଂହ, ଏସ୍ପି ସଂଜୀବ ସୁମନ ପ୍ରମୁଖ ଧାରଣାସ୍ଥଳ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ଧାରଣା ନିମିତ୍ତ ଅନୁମତି ଦିଆଯାଇ ନାହିଁ । ତଥାପି କୃଷକମାନେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।