ଦୁର୍ଦ୍ଦିନରେ ବନ୍ୟା ଦୁର୍ଗତ ନିଘୋଡ଼ ନଦ୍ରାରେ ପ୍ରଶାସନ
କଣାସ (ଆପ୍ର): ବନ୍ୟା ବିପନ୍ନଙ୍କ ଦୁଃଖ କାହାଣୀ ଦେଖିବାକୁ ମିଳିଛି କଣାସ ବ୍ଲକ୍ରେ । ଗତ ତିନିଦିନ ହେଲା ମଣିଷ, ଗୃହପାଳିତ ପଶୁ ଭୋକ ଉପାସରେ ଦିନ କାଟୁଛନ୍ତି । ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ । ମକରା ଓ ରାଜୁଆ ନଦୀରେ ଘାଇ ହେବା ଦ୍ୱାରା ୧୧ ପଞ୍ଚାୟତର ୩୦ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ହୀରାକୁଦର ୪୦ ଗେଟ୍ ଦେଇ ଆସୁଥିବା ବନ୍ୟାଜଳ ସବୁ ନଦୀର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଯାହାଦ୍ୱାରା ବ୍ଲକ୍ରେ ଦୁଇଟି ଘାଇ ସୃଷ୍ଟି ହୋଇଥିବା ବେଳେ ଅନେକ ଘଳିଆ ମଧ୍ୟ ସୃଷ୍ଟି ହୋଇଛି । ଗଡ଼ବଡ଼ପୁଟ, ଗଡ଼ସାନପୁଟ, ଦୋକନ୍ଦା, ବଡ଼ାସ, ଗଡ଼ବଳଭଦ୍ରପୁର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଘରେ ପାଣି ପଶିଯିବାରୁ ରୋଷେଇ କରି ଖାଇବା ଅସମ୍ଭବ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିଲିଫ୍ ସାମଗ୍ରୀକୁ ନେଇ ବନ୍ୟାବିପନ୍ନମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଲୋକମାନଙ୍କୁ ସଠିକ୍ ପରିମାଣରେ ଖାଦ୍ୟ ଯୋଗାଇବା ପାଇଁ ଲୋକମାନେ ଦାବି କରିଛନ୍ତି ।
ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚô ସମସ୍ୟା ଦେଖିବା ସହ ସରକାରୀ ଅଧିକାରୀଙ୍କୁ ଅଧିକରୁ ଅଧିକ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସେପଟେ ବିଜେପିର ଏକ ଟିମ୍ ବନ୍ୟାଞ୍ଚଳ ପରିଦର୍ଶନ କରି ଫେରିଛନ୍ତି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଓମ୍ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।