ମହିଳାଙ୍କ ସମେତ ୪ ଗିରଫ

ଜମି ଜାଲିଆତି
ପାଟପୁର (ଆପ୍ର): ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅୀନ ପଟିଗୁଡ଼ା ଗ୍ରାମରେ ଜଣେ ପକ୍ଷାଘାତ ଆକ୍ରାନ୍ତ ମହିଳାଙ୍କ ଜମିକୁ ଜାଲିଆତି କରି ବିକ୍ରୟ କରିଥିବା ଅଭିଯୋଗରେ ପୁଲିସ ଗୁରୁବାର ଜଣେ ମହିଳାଙ୍କ ସମେତ ୩ଯୁବକଙ୍କୁ ଗିରଫ କରିଛି । ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ମହାନ୍ତି ସାହିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସିମାଞ୍ଚଳ ବିଶ୍ୱାସରା(୫୦), ତାଙ୍କ ସ୍ତ୍ରୀ ହରପ୍ରିୟା ବିଶ୍ୱାସରା(୩୫), ଦିଗପହଣ୍ଡି ବଡ଼ବ୍ରାହ୍ମଣ ସାହିର ଦଲିଲ ଲେଖକ କମଳକାନ୍ତ ତ୍ରିପାଠୀ(୩୩), ସାକ୍ଷୀ ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ଗ୍ରାମର ଡ଼ି.ଦଣ୍ଡପାଣି ଦୋରାଙ୍କୁ ଗିରଫ କରାଯାଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପାଟପୁର ଥାନା ପଟିଗୁଡ଼ା ଗ୍ରାମ ବାସିନ୍ଦା ସୁଭଦ୍ରା ବିଶ୍ୱାସରା ଜଣେ ପକ୍ଷଘାତ ରୋଗୀ । ତାଙ୍କ ଦୁର୍ବଳତାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ତାଙ୍କ ଜମିକୁ ଜାଲିଆତି କରି ହଡ଼ପ କରି ନେଇଥିବା ଥାନାରେ ଅଭିଯୋଗ ଆଣିଥିଲେ ନରସିଂହ ବିଶ୍ୱାସରା ଓ ସୁଭଦ୍ରାଙ୍କ ଝିଅ କୁନି ବିଶ୍ୱାସରା । ଗତ ୨୦୧୮ ମେ ୧୫ ତାରିଖରେ ଅଭିଯୁକ୍ତ ସିମାଞ୍ଚଳ ଓ ତାଙ୍କ ସ୍ତ୍ରୀ ହରପ୍ରିୟା ସମେତ ସାକ୍ଷୀ ଦଣ୍ଡପାଣି ଏବଂ ପଟିଗୁଡ଼ା ଗ୍ରାମର ଅନ୍ୟତମ ସାକ୍ଷୀ କାଳୁଚରଣ ଗୌଡ଼ ଦଲିଲ ଲେଖକ କମଳାକାନ୍ତ ସହାୟତାରେ ଦିଗପହଣ୍ଡି ଉପନିବନ୍ଧକ କାର୍ଯ୍ୟାଳୟ (ସବ୍ରେଜିଷ୍ଟ୍ରାର) ରେ ପଟିଗୁଡ଼ା ଗ୍ରାମର ହାଡ଼ିଆଣି ନାଇକଙ୍କୁ ସୁଭଦ୍ରା ବିଶ୍ୱାସରା ଦର୍ଶାଇ ବେଆଇନ ଭାବେ ସାନଖେମୁଣ୍ଡି ତହସିଲ ପଟିଗୁଡ଼ା ମୌଜା ଖାତା ନଂ ୪୧୦/୨୪୧ ଏବଂ ୪୧୦/୧୮୪ରେ ଥିବା ସମୁଦାୟ ୫.୨୯୩ ଡେସିମିଲ ଜମିକୁ ଦଲିଲ ନଂ ୧୦୬୩୧୮୦୧୨୩୨ ପ୍ରକାରେ ପୋଡ଼ାମାରି ଗ୍ରାମରେ ରହୁଥିବା ହରିପ୍ରିୟ ବିଶ୍ୱାସରାଙ୍କ ନାମରେ ରେଜିଷ୍ଟ୍ରେସନ କରି ୪୫୮୯୦୦ ଟଙ୍କା ବିନିମୟରେ ବିକ୍ରି କରିଥିଲେ । କୁନି ବିଶ୍ୱାସରା ଗତ ଅପ୍ରେଲ ୨୮ ତାରିଖରେ ସବ୍ ରେଜିଷ୍ଟ୍ରାର ଅଫିସରୁ ଉକ୍ତ ଦଲିଲର ନକଲ ବାହାର କରିବା ପରେ ସବିଶେଷ ତଥ୍ୟ ପଦାକୁ ଆସିଥିଲା । ଏହାର ତଦନ୍ତ କରିବା ପାଇଁ କୁନି ବିଶ୍ୱାସରା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ପାଟପୁର ଥାନାରେ ଏତଲା ଦେଇଥିଲେ । ପ୍ରକୃତ ଜମି ମାଲିକ ସୁଭଦ୍ରା ବିଶ୍ୱାସରା ଦିଗପହଣ୍ଡି ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆଦୌ ଆସି ନ ଥିବା ବେଳେ କିମ୍ବା ବିକ୍ରୟ ଅର୍ଥରାଶି ପାଇନଥିବା ବେଳେ ଏଭଳି ଜାଲିଆତି କରି ତାଙ୍କ ସମ୍ପତ୍ତିକୁ ହଡ଼ପ କରାଯାଇଥିବା କୁନି ବିଶ୍ୱାସରା ଅଭିଯୋଗପତ୍ରରେ ଦର୍ଶାଇଥିଲେ । ଉକ୍ତ ଏତଲାକୁ ଭିତ୍ତିକରି ପୁଲିସ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ଗୁରୁବାର ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲକ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *