ଜମ୍ମୁ-କାଶ୍ମୀରରେ ୨୫ଲକ୍ଷ ନୂଆ ଭୋଟର୍

ଶ୍ରୀନଗର, ୧୮ା୮: ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଇଁ ଆସନ୍ତା ନଭେମ୍ବର-ଡିସେମ୍ବରରେ ନିର୍ବାଚନ ହେବା ସମ୍ଭାବନା ରହିଛି । ନିର୍ବାଚନ ପୂର୍ବରୁ ଅଣ-କାଶ୍ମୀରୀ ନାଗରିକଙ୍କୁ ଭୋଟ୍ ଅଧିକାର ଦିଆଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ସୁରକ୍ଷା ବାହିନୀର ଯବାନ ଓ ପ୍ରବାସୀ ଶ୍ରମିକମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବ । ଏହାଦ୍ୱାରା ଜମ୍ମୁ-କାଶ୍ମୀରର ମତଦତା ସଂଖ୍ୟା ୩୦ ପ୍ରତିଶତ ବଢିବ । ଏହି ପ୍ରସଙ୍ଗରେ ନ୍ୟାସ୍ନାଲ୍ କନ୍ଫରେନ୍ସ ନେତା ଉମର ଉବ୍ଦୁଲ୍ଲା କହିଛନ୍ତି, ଜିତିବା ପାଇଁ ବିଜେପି ଭୋଟର ଆମଦାନୀ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ମତରେ ବିଜେପି ସ୍ୱାର୍ଥ ହାସଲ ପାଇଁ ଏଭଳି ପଦକ୍ଷେପ ନେଉଛି । ଏହାଦ୍ୱାରା ଗଣତନ୍ତ୍ରକୁ କବର ଦିଆଯିବା ସାର ହେବ ।
ନିର୍ବାଚନ ସମୀକ୍ଷକଙ୍କ ମତରେ ଜମ୍ମୁ-କଶ୍ମୀର ଭୋଟର୍ ତାଲିକାରେ ୩୦ ପ୍ରତିଶତ ନୂଆ ଭୋଟର ସାମିଲ ହେଲେ ରାଜ୍ୟର ନିର୍ବାଚନୀ ସମୀକରଣ ପୁରାପୁରି ବଦଳିଯିବ । କାଶ୍ମୀର ଘାଟିରେ ଏପର୍ଯ୍ୟନ୍ତ ମାତ୍ର ୨ଟି ଦଳ ଯଥା ନ୍ୟାସ୍ନାଲ୍ କନ୍ଫରେନ୍ସ ଓ ପିଡିପିର ପ୍ରଭାବ ରହି ଆସିଥିଲା । କଂଗ୍ରେସ ଅଳ୍ପ କେତେକ ଇଲାକାରେ ପ୍ରଭାବ ବିସ୍ତାର କରିଥିବା ସ୍ଥଳେ ଘାଟିରେ ବିଜେପିର ଉପସ୍ଥିତି ନଥିଲା କହିଲେ ଚଳେ । ନୂଆ ଭୋଟର ସାମିଲ୍ ହେବା ଫଳରେ କାଶ୍ମୀର ଘାଟିର ଦଳମାନଙ୍କ ଭୋଟ୍ ବ୍ୟାଙ୍କ୍ ଦୁର୍ବଳ ହୋଇଯିବ ।
ନୂଆ ଭୋଟରମାନେ ରାଷ୍ଟ୍ରୀୟ ଦଳଙ୍କୁ ସମର୍ଥନ କରିବେ । ରାଷ୍ଟ୍ରୀୟ ଦଳଗୁଡିକ ମଧ୍ୟରୁ ବିଜେପି ସବୁଠୁ ବେଶି ଫାଇଦା ଉଠାଇବ ।
ସୀମା ନିର୍ଦ୍ଧାରଣ ପରେ ଜାମ୍ମୁ-କାଶ୍ମୀର ବିଧାନସଭା ଆସନ ସଂଖ୍ୟା ୯୦ ହୋଇଛି । ଏଥିରୁ ୭ ଆସନ ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ । ପ୍ରଥମ ଥର ପାଇଁ ଅନୁସୂଚିତ ଜନଜାତିଙ୍କ ପାଇଁ ୯ ଆସନ ସଂରକ୍ଷିତ କରାଯାଇଛି । ୯୦ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ପୂର୍ଣ୍ଣାଙ୍ଗ କରିବା ଲାଗି ୨୦୧୯ ଜାନୁଆରୀ ୧ ଥିଲା ଶେଷ ତାରିଖ । ୨୦୨୨ ଅକ୍ଟୋବର ୧ ସୁଦ୍ଧା ୧୮ବର୍ଷ ବୟସରେ ପଦାର୍ପଣ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଭୋଟର ତାଲିକାରେ ସାମିଲ କରାଯାଇପାରେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାର କହିଛନ୍ତି ।
ପିଡିପି ନେତା ଫିରଦୌସ ଟାକ କହିଛନ୍ତି, ଜାମ୍ମୁ, ସାମ୍ବା, ଉଧମପୁର, କଠୁଆ, ରେୟାସୀ, କିସ୍ତୋୱାଡ, ଡୋଡା, ରାମବନ ପ୍ରଭୃତି ଇଲାକାରେ ସର୍ବାଧିକ ଯବାନ ମୁତୟନ ଅଛନ୍ତି । ତେଣୁ ନୂଆ ନିଷ୍ପତ୍ତି ଲାଗୁ ହେଲେ ଜାମ୍ମୁ ଇଲାକାରେ ବିଜେପି ଅଧିକ ଫାଇଦା ଉଠାଇବ । କାଶ୍ମୀର ଘାଟିରେ ସୁରକ୍ଷା ଚିନ୍ତା ଯୋଗୁଁ କମ୍ ଲୋକ ଭୋଟ୍ ଦେବା ପାଇଁ ନାମ ପଞ୍ଜୀକରଣ କରାଇବେ । ଜନ ପ୍ରତିନିଧି ଅଧିନିୟମ ଅନୁଯାୟୀ ଅନ୍ୟ ରାଜ୍ୟରୁ ଆସି ଜାମ୍ମୁ-କାଶ୍ମୀରରେ ବସବାସ କରୁଥିବା ଲୋକମାନଙ୍କ ନାମ ପଞ୍ଜୀକରଣ କରାଯିବ । ଆବାସିକ ପ୍ରମାଣପତ୍ର ଦେଖାଇ ସେମାନେ ନାମ ପଞ୍ଜୀକରଣ କରିପାରିବେ ।
ଯବାନ ଓ ପ୍ରବାସୀ ଶ୍ରମିକମାନଙ୍କୁ ଭୋଟର ତାଲିକାରେ ଯୋଡିବା ନିଷ୍ପତ୍ତିରେ ଆତଙ୍କବାଦୀମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ଲସ୍କର-ଏ-ତୋୟବା ସମର୍ଥିତ କାଶ୍ମୀର ଫାଇଟ୍ ନାମକ ଗୋଷ୍ଠୀ ଘାଟୀରେ ଅଧିକରୁ ଅଧିକ ମାମଲା ଧମକ ଦେଇଛି । ଏହି ଗୋଷ୍ଠୀ ପକ୍ଷରୁ କୁହାଯାଇଛି ସବୁ ଅଣକାଶ୍ମୀରକୁ ଭୋଟ୍ ଅଧିକାର ଦେଇ କେନ୍ଦ୍ର ସରକାର ବଡ ଭୁଲ୍ କରିବାକୁ ଯାଉଛନ୍ତି । ଆମେ ଏଣିକି ଯବାନଙ୍କଠାରୁ ଆରମ୍ଭ କରି ଭିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ହିଟ୍ଲିଷ୍ଟ୍ରେ ରଖିବୁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *