ଅନେକ ପଞ୍ଚାୟତକୁ ଅଣଦେଖା
ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ବ୍ଲକ୍ରେ ଚଳିତ ବନ୍ୟାରେ ୧୦୪ ହେକ୍ଟର ଖରିଫ୍ ଧାନଚାଷ ପ୍ରଭାବିତ ହୋଇଥିବା ବ୍ଲକ୍ କୃଷି ବିଭାଗ ରିପୋର୍ଟ ପ୍ରସ୍ତୁତ କରିଛି । ଷୋଳମପୁର, ମାଳଦା, ରହଣିଆ, କୁରିଗାଁ, ବାଲିପୋଖରୀ, ସରସଦା ଆଦି ପଞ୍ଚାୟତର ୨୫ଟି ରାଜସ୍ୱ ଗ୍ରାମରେ ବର୍ଷା ଯୋଗୁ ରୁଆ ଧାନ ଓ ଧାନତଳି ପ୍ରଭାବିତ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରାଯାଇଛି । ବନ୍ୟାପ୍ରବଣ ନପଙ୍ଗ ପଞ୍ଚାୟତକୁ ପ୍ରଭାବିତ ରିପୋର୍ଟରୁ ବାଦ୍ ଦିଆଯାଇଥିବାରୁ ରିପୋର୍ଟର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ନଦୀପଠାରେ ଅବସ୍ଥିତ ବନ୍ୟାପ୍ଳାବିତ ପଞ୍ଚାୟତ ଭାବେ ଜଣାଶୁଣା ଝୁଟୁଣା ଓ ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତର ଧାନଚାଷ କ୍ଷୟକ୍ଷତି ରିପୋର୍ଟକୁ ଅଣଦେଖା କରାଯାଇଛି । ଏବେ ଭଣ୍ଡାରିପୋଖରୀ ବ୍ଲକ୍ କୃଷି ବିଭାଗର ୨ ଅଧିକାରୀ ନ ଥିବାରୁ ଧାମନଗର କୃଷି ବିଭାଗ ଅଧିକାରୀମାନେ ଅତିରିକ୍ତ ଭାବେ ଭଣ୍ଡାରିପୋଖରୀ ଦାୟିତ୍ୱ ତୁଲାଉଛନ୍ତି । ଏହାଦ୍ୱାରା କୃଷି ବିଭାଗ ଉପଯୁକ୍ତ ଭାବେ କାର୍ଯ୍ୟ କରିପାରୁ ନ ଥିବାରୁ ରିପୋର୍ଟ ପ୍ରସ୍ତୁତି ତୃଟିପୂର୍ଣ୍ଣ ହୋଇଛି ବୋଲି ମତପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ନଈକୂଳିଆ ପଞ୍ଚାୟତ ଷୋଳମପୁର, ମାଳଦା, ବାଲିପୋଖରୀ, ବନ୍ଦାଳୋ-ମଢ଼ିଆଳି, ଝୁଟୁଣା ଆଦି ପଞ୍ଚାୟତରେ ବ୍ୟାପକ ପନିପରିବା ଚାଷ ପ୍ରଭାବିତ ହୋଇଛି । ବ୍ଲକ୍ ଉଦ୍ୟାନକୃଷି ବିଭାଗ ରାଜନୈତିକ ଛତ୍ରଛାୟା ତଳେ ପରିଚାଳିତ ହେଉଥିବାରୁ ପନିପରିବା ଚାଷ କ୍ଷୟକ୍ଷତି ରିପୋର୍ଟ ମିଳିପାରୁ ନାହିଁ । ଚାଷୀଙ୍କ ସହ ସମ୍ପର୍କ ନ ଥିବା ଉଦ୍ୟାନ କୃଷି ବିଭାଗ ସ୍ଥାଣୁ ପାଲଟିଛି । ଫଳରେ ବାସ୍ତବ ପନିପରିବା ଚାଷୀମାନେ ଉଦ୍ୟାନ କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାରୁ ବାଦ୍ ପଡୁଥବା ଅଭିଯୋଗର ଫର୍ଦ୍ଦ କ୍ରମେ ଲମ୍ବିବାରେ ଲାଗିଛି ।