ଦଶନ୍ଧିର ବଡ଼ ବଢ଼ି

ଭୁବନେଶ୍ୱର, ୧୭ା୮ (ବୁ୍ୟରୋ): ରାଜ୍ୟରେ ବନ୍ୟାସ୍ଥିତି ଚିନ୍ତାଜନକ ରହିଛି । ରାଜ୍ୟର ୬ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ମଙ୍ଗଳବାର ଦୁଇଟି ଘାଇ ସୃଷ୍ଟି ହୋଇଥିବାବେଳେ ବୁଧବାର ଆଉ ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । କୁଶଭଦ୍ରା ନଦୀର ଡାହାଣ ପାଶ୍ୱର୍ ଗଣେଶ୍ୱରପୁର ତେଣ୍ଡିଆକୁଦରେ ଓ ମହାନଦୀର ରାହାମା ବ୍ଲକ ଅନ୍ତର୍ଗତ ତେରମାଣପୁରରେ ଘାଇ ସୃଷ୍ଟି ହୋଇଛି । ମଙ୍ଗଳବାର ସତ୍ୟବାଦୀର ରାଜୁଆ ନଦୀ ଓ ଖୋର୍ଦ୍ଧାର ମକରା ନଦୀରେ ଘାଇ ସୃଷ୍ଟି ହୋଇଥିଲା । ସେହିପରି ଜଗତସିଂହପୁରରେ ବାକି ଘାଇ ସୃଷ୍ଟି ହୋଇଛି । ଘାଇଗୁଡ଼ିକର ତୁରନ୍ତ ମରାମତି ପାଇଁ ଜଳସମ୍ପଦ ବିଭାଗ ପଦକ୍ଷେପ ନେଉଥିବାବେଳେ ବୁଧବାର ସନ୍ଧ୍ୟାରେ ରାଜ୍ୟର ସର୍ବାଧିକ ବନ୍ୟାଜଳ (ପିକ୍ ଫ୍ଲଡ୍) ୪ ଜିଲ୍ଲା ଦେଇ ପ୍ରବାହିତ ହୋଇଛି । ଗୁରୁବାର ସକାଳ ସୁଦ୍ଧା ରାଜ୍ୟରେ ବନ୍ୟା ଜଳସ୍ତର ହ୍ରାସ ପାଇଯିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ବୁଧବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ବନ୍ୟାଜଳସ୍ତର ହ୍ରାସ ପାଇଛି । ଗୁରୁବାର ସକାଳ ସୁଦ୍ଧା ଅନେକାଂଶରେ ବନ୍ୟାଜଳ ସ୍ତର ହ୍ରାସ ପାଇବା ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ପୁରୀ ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଏହାର ସ୍ତର ସମାୟାନୁକ୍ରମେ କମୁଛି ।
ଏ ଯାବତ୍ ୪.୬୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ମୋଟ ୧୭୫୭ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ୬୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ୪୨୫ ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି । ଲୋକଙ୍କୁ ସ୍ଥାନାନ୍ତର ଜାରି ରହିଥିବାବେଳେ ଆଗକୁ ବନ୍ୟା ବିପନ୍ନଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି ।
କେବଳ ୬ଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଯେଉଁ ସ୍ଥାନରେ ଘାଇ କଥା କୁହାଯାଉଛି, ତାହା ଘାଇ ନୁହେଁ, ନଈର ପଛୁଆ ପାଣି । ବୁଧବାର ଆଠଗଡ଼ରେ ଛେଳି ଚରାଇବାକୁ ଯାଇ ନଦୀ ମଝିରେ ଫସିଯାଇଥିବା ବାପ-ପୁଅଙ୍କୁ ଉଦ୍ଧାର କରାଯାଇଛି । ଗତ ୨୦୧୧ରେ ଛଡ଼ାଯାଇଥିବା ବନ୍ୟା ପାଣିଠାରୁ ଚଳିତ ବର୍ଷ ବନ୍ୟାରେ ଅଧିକ ପାଣି ନଦୀରେ ଛଡ଼ାଯାଇଛି । ୨୦୧୧ରେ ମହାନଦୀରେ ୯ ଲକ୍ଷ କୁ୍ୟସେକ୍ ପାଣି ଛଡ଼ା ଯାଇଥିବାବେଳେ ଚଳିତଥର ୧୨ ଲକ୍ଷ କୁ୍ୟସେକ ପାଣି ଛଡ଼ାଯାଇଛି । ଚଳିତବର୍ଷର ବନ୍ୟା ଚଳିତ ଦଶନ୍ଧିର ବଡ଼ ବନ୍ୟା ଏସଆରସି ଶ୍ରୀ ଜେନା କହିଛନ୍ତି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଉଥିବାରୁ ଘଳିଆ ଉପରେ ସତର୍କ ନଜର ରଖିବାକୁ ଜଳସମ୍ପଦ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଛି ।
ସେପଟେ ମୁଣ୍ଡଳୀରେ ବୁଧବାର ସକାଳ ସୁଦ୍ଧା ୧୨ ଲକ୍ଷ କୁ୍ୟସେକରୁ ଅଧିକ ପାଣି ଛଡ଼ାଯାଉଛି । ରାତି ୩ଟା ଭିତରେ ଏହି ପାଣି ସମୁଦ୍ରକୁ ଚାଲିଯିବ ବୋଲି ଆଶା ଥିଲା । କିନ୍ତୁ ଏହି ପାଣି ନିଷ୍କାସନ ହେବା ନିମନ୍ତେ ୯ ଘଣ୍ଟା ବଦଳରେ ୧୨ ଘଣ୍ଟା ସମୟ ନେଇଛି । ସମୁଦ୍ରକୁ ବନ୍ୟାଜଳ ନିଷ୍କାସନ ସମୟ ନେଉଥିବାରୁ ବୁଧବାର ରାତିକ ସତର୍କ ରହିବାକୁ ହେବ । ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦରୁ ୬ ଲକ୍ଷ ୬୯ କୁ୍ୟସେକ ଜଳ ନିଷ୍କାସନ ହେଉଛି । ସେହି ସମୟରେ ହୀରାକୂଦକୁ ୫.୮୦ ଲକ୍ଷ କୁ୍ୟସେକ ଜଳ ପ୍ରବେଶ କରୁଛି । ତେଳ ନଦୀର ପାଣି ଗତ ରାତିରେ ୨ ଲକ୍ଷ କୁ୍ୟସେକ୍ ତଳକୁ ଖସିଛି । ତେବେ ଖଇରାମାଳ ଦେଇ ବନ୍ୟାର ମୁଖ୍ୟ ସ୍ରୋତ ପାଣି ଖଲାସ ହୋଇଯାଇଛି । ତେଣୁ ଆଗକୁ ମହାନଦୀର ପାଣି କମିବ । ୨୪ ଘଣ୍ଟା ପରେ ମୁଣ୍ଡଳିରେ ମଧ୍ୟ ପାଣି ଖସିବ । ଏହି ସମୟରେ ନଦୀ ବନ୍ଧ ଧଶିବାର ଆଶଙ୍କା ରହିଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଲୋକଙ୍କ ନିକଟରେ ପାନୀୟଜଳ ଉପଲବ୍ଧ କରିବାକୁ ଜଗତସିଂହପୁର ଓ ପୁରୀରେ ୩ଟି, କେନ୍ଦ୍ରାପଡ଼ା ଓ କଟକରେ ୨ଟି ଭ୍ରାମ୍ୟମାଣ ଆରଓ ପାଣି ପାଉଚ ଯୋଗାଣ ଗାଡ଼ି ମୁତୟନ କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ୟୁନିଟ୍ ଏନ୍ଡିଆର୍ଏଫ୍ ସହ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ବନ୍ୟା ପରେ ତୁରନ୍ତ କୂଅ ଓ ନଳକୂଅ ସଫେଇ କରିବାକୁ କୁହାଯାଇଛି । ବନ୍ୟା ଯୋଗୁଁ ଗୋରୁଗାଇଙ୍କ ପାଇଁ ଗୋଖାଦ୍ୟ ଉପଲବ୍ଧ କରିବାକୁ କୁହାଯାଇଛି । ବନ୍ୟା ଅଞ୍ଚଳରେ ପାଣି କମିବା ପରେ ଲୋକଙ୍କୁ ରିଲିଫ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରଖି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟ ଔଷଧ ମହଜୁଦ ରଖିବାକୁ କୁହାଯାଇଛି ।
ସେପଟେ ସାମ୍ଭାବ୍ୟ ଲଘୁ·ପ ନେଇ ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି, ବୈତରଣୀରେ ବନ୍ୟା ଆଶଙ୍କା ଥିବାରୁ କେନ୍ଦୁଝର ସମେତ ଭଦ୍ରକ ଓ ଯାଜପୁର ବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହି ଅଞ୍ଚଳରେ ବଡ଼ ବନ୍ୟା ଆଶଙ୍କା ନାହିଁ । ଲଘୁଚାପ ପ୍ରଭାବରେ ଏହି ୩ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି । ଲୋକଙ୍କ ସୁରକ୍ଷା ପାଇଁ କାଇଁଝରୀ ଓ ଦେଓ ଜଳଭଣ୍ଡାରୁ ଆଗୁଆ ଜଳ ନିଷ୍କାସନ ନିମନ୍ତେ କୁହାଯାଇଛି । ସେପଟେ ରେଙ୍ଗାଲି ପାଣି ଖୁବ୍ ତଳେ ଥିବାରୁ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା ନାହିଁ । ବୁଧବାର ଓ ଗୁରୁବାର କେବଳ ତଳିଆ ମହାନଦୀ ଅଞ୍ଚଳରେ ବର୍ଷା ହେବ । ୧୯ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପମୁଣ୍ଡରେ ମଧ୍ୟମ ଧରଣର ବର୍ଷା ହେବ । ତେଣୁ ବର୍ଷା ପରିମାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ନିମନ୍ତେ ହୀରାକୁଦରୁ ଜଳ ନିଷ୍କାସନ କରିବାକୁ ଯନ୍ତ୍ରୀଙ୍କୁ କୁହାଯାଇଛି ବୋଲି ଏସ୍ଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *