ପୂରା ଥାନା ଜାଲ୍
ବିହାର ବାଙ୍କା ସହରରେ ୮ ମାସ ହେଲା ଚାଲିଥିଲା, ଚୌକିଦାରଠାରୁ ଦାରୋଗା ପର୍ଯ୍ୟନ୍ତ ସମସ୍ତେ ନକଲି
ବାଙ୍କା,୧୭ ।୮: ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନକଲି ପୁଲିସ କର୍ମଚାରୀ ଧରା ପଡ଼ିଛନ୍ତି, କିନ୍ତୁ ପୂରା ଗୋଟିଏ ଜାଲ୍ ଥାନା ଖୋଲିଥିବାର ପ୍ରଥମ ଘଟଣା ବିହାରରେ ଧରାପଡ଼ିଛି । ବାଙ୍କା ସହରରେ ଏହି ଜାଲ୍ ଥାନା ଗତ ଆଠ ମାସ ହେଲା ସକ୍ରିୟ ଥିଲା । ଥାନାର ଚୌକିଦାରଠାରୁ ଆରମ୍ଭ କରି ଦାରୋଗା ପର୍ଯ୍ୟନ୍ତ ସମସ୍ତେ ନକଲି । ସେମାନେ ଲୋକଙ୍କୁ ଗିରଫ କରୁଥିଲେ, କୋର୍ଟ ଫର୍ୱାର୍ଡ ଧମକ ଦେଇ ବଟି ଆଦାୟ କରୁଥିଲେ । ଆଶ୍ଚର୍ଯ୍ୟର କଥା ଯେ, ଜିଲ୍ଲା ସଦର ମହକୁମାରେ ଚାଲିଥିବା ଏହି ନକଲି ଥାନାର ସୁରାକ୍ କେହି ପାଇ ନ ଥିଲେ । ନକଲି ଥାନା ବାଙ୍କା ସହରର ଏକ ବେସରକାରୀ ଗେଷ୍ଟ୍ ହାଉସ୍ରେ ଚାଲିଥିଲା ।
ଏ ସମ୍ପର୍କରେ ବାଙ୍କା ଥାନା ଅଧିକାରୀ କହିଛନ୍ତି, ଗୁପ୍ତ ସୂଚନା ଆଧାରରେ ଜଣେ ଅପରାଧୀକୁ ଧରିବା ପାଇଁ ପୁଲିସ ପାର୍ଟି ଯାଇଥିଲେ । ରେଡ୍ ପରେ ସେମାନେ ଥାନାକୁ ଫେରୁଥିବା ବେଳେ ବାଙ୍କା ଗେଷ୍ଟ୍ ହାଉସ୍ ସାମ୍ନା ରାସ୍ତାରେ ଜଣେ ମହିଳା ଓ ଜଣେ ଯୁବକ ପୁଲିସ ଡ୍ରେସ୍ରେ ଥିବା ଦେଖିଥିଲେ । ସନେ୍ଦହରେ ଦୁହିଁଙ୍କୁ କିଛି ପ୍ରଶ୍ନ ପଚାରିବାରୁ ଜାଲ୍ ଥାନାର ସନ୍ଧାନ ମିଳିଲା । ଗିରଫ ହୋଇଥିବା ମହିଳା ଅନିତା ନିଜକୁ ଦାରୋଗା ପରିଚୟ ଦେଇ ଆସୁଥିଲା । ସେ ବିହାର ପୁଲିସ୍ର ବ୍ୟାଚ୍ ସହ ଫୁଲ୍ ଡ୍ରେସ୍ଅପ୍ରେ ଥିଲା । ତା’ଠାରୁ ଗୋଟିଏ ପିସ୍ତଲ ମଧ୍ୟ ଜବତ କରାଯାଇଛି । ଧରାପଡ଼ିଥିବା ଦ୍ୱିତୀୟ ଅଭିଯୁକ୍ତର ନାମ ଆକାଶ କୁମାର । ସେ ନିଜକୁ ଥାନାର ଚୌକିଦାର ବୋଲି କହି ଆସୁଥିଲା । ଅନିତାହିଁ ବିଭିନ୍ନ ଲୋକଙ୍କୁ ଥାନାର କର୍ମଚାରୀ ରୂପେ ନିଯୁକ୍ତି ଦେଇଛି ।
ଜେରାରୁ ଜଣାପଡ଼ିଛି ଯେକୌଣସି ସ୍ଥାନରେ ସରକାରୀ କ୍ୱାର୍ଟର୍ସଠାରୁ ଆରମ୍ଭ କରି ଘରୋଇ ଫ୍ଲାଟ୍ ନିର୍ମାଣ ବେଳେ ଅନିତା ଓ ତା’ର ଟିମ୍ ସେଠାକୁ ଯାଇ ବିଭିନ୍ନ ବାହାନାରେ ଠିକାଦାର ଆଦିଙ୍କୁ ଗିରଫ କରିବା ସହ ଧମକ ଚମକ ଦେଇ ବଟି ଆଦାୟ କରୁଥିଲା । ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ।