ଗୁହାରି କୁଡ଼ିଆ ଭାଙ୍ଗିଲା ଲଗାଣ ବର୍ଷା
ଦାନଗଦୀ (ଆପ୍ର): ଶିଳ୍ପାଞ୍ଚଳ କଳିଙ୍ଗନଗର କରୁଣ ଚିତ୍ର ବୟାନ କରୁଛି ସୁନାର ସୁକିନ୍ଦାର ବାସ୍ତବ ରୂପରେଖ । ଦାନଗଦି ବ୍ଲକ୍ ଯଖପୁରା ପଞ୍ଚାୟତ ଷ୍ଟେସନ ସାହିର ଏକ ଗରିବ ପରିବାରଙ୍କ ଚାଳ କୁଡ଼ିଆ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଏଥିଲାଗି ସମ୍ପୃକ୍ତ ହିତାଧିକାରୀ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଗୁହାରି କରି ଶେଷରେ ନିରାଶ ହୋଇଛନ୍ତି । ଏହି ଗରିବ ହିତାଧିକାରୀ ଜଣକ ହେଉଛନ୍ତି ଉପରୋକ୍ତ ଗାଁର ରଶ୍ମି ରଞ୍ଜନ ସାମଲ ।
ସେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିଲାଗି ବାରମ୍ବାର ବ୍ଲକ ଅଫିସ, ସରପଞ୍ଚ ସମସ୍ତଙ୍କୁ ପାଖକୁ ଦୌଡିଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣିନାହାନ୍ତି । ନୁଆଁଣିଆ ଚାଳ କୁଡ଼ିଆରେ ପତ୍ନୀ ହେମଲତା ସାମଲ ଓ ଏକମାତ୍ର ପୁଅକୁ ନେଇ ଲଗାଣ ବର୍ଷାରେ କାଳାତିପାତ କରୁଛନ୍ତି । ଗତ ଲଘୁଚାପ ବର୍ଷାରେ ଶୋଇଥିବା ଅବସ୍ଥାରେ ତାଙ୍କ ଘର ଭାଙ୍ଗି ଯାଇଥିବାରୁ ଏବେ ସେମାନେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ।
ଆବାସ ଯୋଜନାରେ ବିନା ଉକ୍ରୋଚରେ କାମ ହେଉନଥିବା ଅଭିଯୋଗ ହେଉଥିବା ବେଳେ ଦିନ ମଜୁରିଆ ରଶ୍ମିଙ୍କ ପାଇଁ ଏହା ସାତସପନ ପାଲଟିଛି । ଏଭଳି ସ୍ଥିତିକୁ ଦେଖିଲେ ପ୍ରଶ୍ନ ଉଠେ ଯେ, ସତରେ ଯୋଗ୍ୟ ହିତାଧିକାରୀ ଚୟନ କରୁଥିବା ବାବୁମାନଙ୍କୁ ଏପରି ଅବସ୍ଥାରେ ଥିବା ଲୋକ କଣ ଦେଖାଯାଉ ନାହିଁ କି? ଏଣୁ ପ୍ରଶାସନ କର୍ତ୍ତୃପକ୍ଷ ତୁରନ୍ତ ଏମାନଙ୍କ ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦୃଢ଼ ଦାବି ହେଉଛି ।