ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
ଏସ୍ଏଚ୍ଜି ପ୍ରତି ଟାଟା ପାୱାରର ଅବହେଳା
ଛତ୍ରପୁର (ଆପ୍ର): ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟରତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ପ୍ରତି କମ୍ପାନୀ ତରଫରୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ଛତ୍ରପୁର ଉପଖଣ୍ଡର ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ବିଦୁ୍ୟତ ଦେୟ ଆଦାୟ ଦାୟିତ୍ୱ ଦିଆଯାଇଛି । ବିଦୁ୍ୟତ ଦେୟ ଆଦାୟ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ବୁଧବାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ସଦସ୍ୟା ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ଙ୍କୁ ପ୍ରଦାନ କରିଛନ୍ତି ।
ପୂର୍ବରୁ ସେମାନେ ଦେଇଥିବା ସିକୁ୍ୟରିଟି ଡିପୋଜିଟ୍କୁ ତୁରନ୍ତ ଫେରସ୍ତ କରିବା, ବିଦୁ୍ୟତ ଦେୟ ଆଦାୟରେ ବ୍ୟବହୃତ ହେଉଥିବା ଏମ୍ପିଓଏସ୍ ମେସିନର ବ୍ୟବହାରକୁ ନେଇ ସଠିକ ତାଲିମ ପ୍ରଦାନ କରିବା, ବିଦୁ୍ୟତ ଦେୟ ଆଦାୟ କରିବା ପାଇଁ ପ୍ରଦାନ କରାଯାଉଥିବା ୩୦ ହଜାର ଟଙ୍କାକୁ ବୃଦ୍ଧି କରିବା, ଟଙ୍କା ଜମା କରିବା ପାଇଁ ଛତ୍ରପୁରର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ବ୍ୟାଙ୍କ ଅପ ଇଣ୍ଡିଆ, ଖଲ୍ଲିକୋଟ ଏବଂ ରମ୍ଭା ପାଇଁ କିଉସ୍କୋ ଏସ୍ବିଆଇ ଯୋଗାଇ ଦେବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏନେଇ ସେମାନେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛିସୁଫଳ ମିଳି ନ ଥିଲା । ଦାବିପତ୍ର ପ୍ରଦାନ ବେଳେ ଲକ୍ଷ୍ମୀ କୁମାରୀ ନାହାକ, ଅନୁସୟା ନାୟକ, ସଂଯୁକ୍ତା ସାହୁ, ସଂଯୁକ୍ତା ନାହାକ, ସୌଦାମିନୀ ପଣ୍ଡା, ଉର୍ମିଳା ପ୍ରଧାନ, ସବିତା ରେଡ୍ଡୀ, ଏସ୍. ଜ୍ୟୋତି ରେଡ଼ୀଙ୍କ ସମେତ ଏସ୍ଏଚ୍ଜି ଗୋଷ୍ଠୀର ବହୁ ସଦସ୍ୟାମାନେ ସାମିଲ ଥିଲେ ।