ମୋହନା-ଚନ୍ଦ୍ରପୁର ଯୋଗାଯୋଗ ବିଚ୍ଛିନ୍ନ
ପୋଲ ଉପରେ ୪ ଫୁଟ୍ ବନ୍ୟା ଜଳ
ମୋହନା (ଆପ୍ର): ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଞ୍ଚଳରେ ନଦୀରେ ବନ୍ୟା ଆସି ଅନେକ ଅସ୍ଥାୟୀ ପୋଲ ଭାସିଯିବା ସହ ବହୁ କଚ୍ଚାଘର କାନ୍ଥ ଭୁଶୁଡ଼ି ପଡ଼ିଛି । ଦୁର୍ଗମ ଅଞ୍ଚଳ ଗରଡ଼ମା ପଞ୍ଚାୟତ ପାପଏଜୁ ଗାଁ ନିକଟରେ ଥିବା ପୋଲ ଉପରେ ଗଦାପୁରୁ ନଦୀର ବନ୍ୟା ଜଳ ୪ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । କେତେକ ସ୍ଥାନରେ ଘାଇ ହୋଇଛି । ମୋହନା ବ୍ଲକର ପାଣିଗଣ୍ଡା, କଟାମା ଗରଡ଼ମା ପଞ୍ଚାୟତ ଓ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ସପ୍ତାହେ ହେଲା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଶହ ଶହ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଲୋକେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଯାନବାହନ ଚଳାଚଳ ସମ୍ଭବ ହୋଇ ନ ଥିବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇପାରୁନି । ସ୍ଥାନୀୟ ଲୋକେ ଜୀବନକୁ ବାଜି ଲଗାଇ ବୁଧବାର ଏକ ଶିଶୁକୁ ଗୁରୁତର ଅବସ୍ଥାରେ ମେଡିକାଲ ନେବା ପାଇଁ ବାଇକ୍କୁ କାନ୍ଧରେ ବୋହି ପୋଲ ପାର୍ କରାଇ ବ୍ରାହ୍ମୀଣିଗାଁ ମେଡିକାଲକୁ ନେଇଥିଲେ । ଜଣେ ବୃଦ୍ଧାଙ୍କ ହାତ ଭାଙ୍ଗିଯିବାରୁ ତାଙ୍କୁ ଦୋଳାରେ ଡାକ୍ତରଖାନା ନିଆଯାଇଥିଲା । ୭ଦିନ ବିତିଯାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ କି ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ଅଧିକାରୀ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି ।