ସଜାଗ ରହିବାକୁ ଅଧିକାରୀଙ୍କୁ ପରାମର୍ଶ
ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ପୂର୍ବତନ ମନ୍ତ୍ରୀ
ପୁରୀ (ବୁ୍ୟରୋ): ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ଗସ୍ତ କରି ଭାର୍ଗବୀ ନଦୀର କପିଳେଶ୍ୱରପୁର ପଞ୍ଚାୟତ ତିନିକୁଦୀ ଗ୍ରାମଠାରେ ଦୁର୍ବଳ ନଦୀ ବନ୍ଧ ଏବଂ କୁସୁବେଣ୍ଟି ପଞ୍ଚାୟତର ଜଗଦଳ ଶଙ୍ଖ, ବାଲିଘାଇ ଶଙ୍ଖ, ତଳମାଳ ପଞ୍ଚାୟତର ପୋଡ଼ାକେରା ଓ ତଳମାଳ(ଖ) ନଦୀବନ୍ଧର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗ୍ରାମବାସୀଙ୍କର ଯେଉଁଭଳି ଅସୁବିଧା ନ ହୁଏ ସେଥିପ୍ରତି ଜଳସମ୍ପଦ ବିଭାଗ ଓ ବ୍ରହ୍ମଗିରି ବ୍ଲକ୍ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ମଧ୍ୟାହ୍ନରେ ବ୍ରହ୍ମଗିରି ବ୍ଲକ ଲୁଣାନଦୀର କାଣ୍ଡଗୋଦା ପଞ୍ଚାୟତର ୨୦ଟି ମୌଜାକୁ ସଂଯୋଗ କରୁଥିବା ଜାଣମୁହଁ ଶଙ୍ଖ, ବ୍ରହ୍ମପଡ଼ା ଶଙ୍ଖ ଓ କାଳସୀପଡ଼ା ଶଙ୍ଖ ଉପରେ ଜଳସମ୍ପଦ ବିଭାଗ ଓ ଗ୍ରାମବାସୀଙ୍କ ସହିତ ବନ୍ୟା ସ୍ଥିତି ବୁଲି ଦେଖିବା ସହିତ ଲୁଣା ନଦୀ ଉପରେ ତଳମାଳ ଏବଂ କରମଳାକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳସମ୍ପଦ ଓ ଡ୍ରେନେଜ୍ ବିଭାଗର ଅଧିକାରୀଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଗସ୍ତ ସମୟରେ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ବ୍ଲକ୍ ଉପାଧ୍ୟକ୍ଷଙ୍କ ପ୍ରତିନିଧି ବିଜୟ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ତଳମାଳ ସରପଞ୍ଚ ଦିନବନ୍ଧୁ ପ୍ରଧାନ, କୁସୁବେଣ୍ଟି ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, କପିଳେଶ୍ୱରପୁର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ତଳମାଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠେଇ, ସମିତି ସଭ୍ୟ ନିରଞ୍ଜନ ପରିଡ଼ା, ବ୍ରହ୍ମଗିରି ତହସିଲ୍ଦାର କାହ୍ନୁଚରଣ ଘଡ଼େଇ, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ତପନ କୁମାର ମଜୁମଦାର, ଯନ୍ତ୍ରୀ ସୁବ୍ରତ ଡୋରାଙ୍କ ସମେତ ବ୍ରହ୍ମଗିରି ବ୍ଲକ୍ର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।