ମୟୂରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ସଫଳ

ବାରିପଦା/ବୈଶିଙ୍ଗା (ଆପ୍ର): ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଇଗଣବାଡ଼ିଆ ରିତୟନୀ ବୈଷୟିକ ଶିଳ୍ପ ତାଲିମ୍ କେନ୍ଦ୍ରରେ ନିର୍ଯାତନାର ଶିକାର ହୋଇଥିବା ଛାତ୍ରଙ୍କୁ ନ୍ୟାୟ ଦାବିରେ ମୟୂରଭଞ୍ଜର ଅଣରାଜନୈତିକ ସଂଗଠନ ଭଞ୍ଜସେନା ଆଦିବାସୀ ଶାଖାର ସମର୍ଥନରେ ଜିଲ୍ଲାର ବହୁ ଆଦିବାସୀ ସଂଗଠନ ଦ୍ୱାରା ବୁଧବାର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରା ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟବସାୟୀ ପ୍ରତିଷ୍ଠାନ, ବ୍ୟାଙ୍କ୍, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଯାନବାହନ, ବସ୍ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । ବାଇକ୍ ଶୋଭଯାତ୍ରାର ନେତୃତ୍ୱ ନେଇଥିଲେ ମାସା ଆର୍ମି ରାଜ୍ୟ ସଭାପତି ସୁକୁଲାଲ ମାର୍ଣ୍ଡି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ, ଭଞ୍ଜସେନା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ପେସା ଗ୍ରାମସଭା ସଭାପତି ପାଣ୍ଡୁରାମ ହେମ୍ବ୍ରମ, ମାସା ଜିଲ୍ଲା ସଭାପତି ମୁକେଶ ମାର୍ଣ୍ଡି । ବାଇକ୍ ରାଲି ବେଳେ ମୁର୍ଗବାଡ଼ି ସ୍ଥିତ ଏକ ଦୋକାନ ଖୋଲା ଥିବା ଦେଖି ଦୋକାନୀଙ୍କୁ ବନ୍ଦ କରିବା ପାଇଁ ଭଞ୍ଜସେନା କର୍ମୀ କହିବାରୁ ଦୋକାନୀଙ୍କ ସହ ଯୁକ୍ତିତର୍କ ହୋଇଥିଲା ।
ବିକ୍ଷୋଭକାରୀ ଦୋକାନରେ ପଶି କର୍ମଚାରୀଙ୍କୁ ମାଡ଼ ମାରି ୨୨ ଗ୍ରାମ୍ ଓଜନର ସୁନାଚେନ୍ ଲୁଟି ନେବା ସହ ୧୦ ହଜାର ଟଙ୍କା ନେଇଯାଇଥିବା ଦୋକାନୀ ସମରେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି । ପୁଲିସ ଉପସ୍ଥିତିରେ ଭଞ୍ଜସେନା ସଦସ୍ୟ ମାଡ଼ ମାରିବା ଶ୍ରୀ ଦାସ କହିଛନ୍ତି । ଅନ୍ୟପଟେ ଭଞ୍ଜସେନାର ଦୁଇ ମହିଳା କର୍ମୀଙ୍କୁ ଗୋପାଳ ନାମକ ଯୁବକ ଓ ତିନି ଜଣ ସହଯୋଗୀ ଗାଳି ଗୁଳଜ କରିଥିବା ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ତଦନ୍ତ କରୁଛି । ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି, ଦୋକାନରେ କାମ କରୁଥିବା ଲୋକେ ଦୁର୍ବ୍ୟବହାର କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସୁନା ଓ ଟଙ୍କା ଲୁଟ୍ ସମ୍ପୂର୍ଣ୍ଣ ଭିତ୍ତିହୀନ । ଦୁର୍ବ୍ୟବହାର କରିଥିବା ଦୁଇ ଯୁବକଙ୍କୁ ଗିରଫ କରିଥିବା ବାରିପଦା ଟାଉନ ଥାନାଧିକାରୀ ବିରେନ୍ଦ୍ର ସେନାପତି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *