ଗାଁକୁ ପଶିଲା ଘଡ଼ିଆଳ
ଯାଜପୁର ଓ ଦଶରଥପୁରରେ ଆତଙ୍କ
ଯାଜପୁର (ଆପ୍ର): ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବୈତରଣୀ ନଦୀର କୟାଁ ପଞ୍ଚାୟତ ଧରମପୁର ଏବଂ ସଦର ବ୍ଲକ୍ର ସିମିଳିଆ ପଞ୍ଚାୟତ ଖରସ୍ରୋତା ଓ ବୁଢ଼ା ନଦୀ ଶାଖା ଖରସ୍ରୋତା ଏବଂ ଏହାର ଉପଶାଖା ଯମୁନା ନଦୀରେ ଦୁଇଟି ବଡ଼ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି । ଗତ ମଙ୍ଗଳବାର ଠାରୁ ବୈତରଣୀ ବନ୍ୟା ପାଣି କମି ଆସୁଥିଲେ ସୁଦ୍ଧା କାଣୀ ନଦୀବନ୍ଧରେ ଦୁଇଟି ଘାଇ ଯୋଗୁଁ ଦଶରଥପୁର ବ୍ଲକ୍ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଗାଁ ଗଣ୍ଡାକୁ ଘାଇ ପାଣି ପଶିଯିବା ପରେ ବୈତରଣୀର ତଳ ପଟୁ ପଶି ଥିବା ପାଣିରେ ଧରମପୁର ନିକଟକୁ କୁମ୍ଭୀର ଚାଲି ଆସିଥିବା ଜଣାପଡ଼ିଛି ।
ସେହିପରି ଯାଜପୁର ବ୍ଲକ୍ର ଉପରୋକ୍ତ ସ୍ଥାନରେ ମଧ୍ୟ ବୁଧବାର ସକାଳୁ ସ୍ଥାନୀୟ ଲୋକେ ଖରସ୍ରୋତାରୁ ପଶି ଆସିଥିବା କୁମ୍ଭୀରକୁ ଯମୁନା ନଦୀରେ ଦେଖିବାକୁ ପାଇଛନ୍ତି । ଉଭୟ କୁମ୍ଭୀର ପାଖା ପାଖି ୮/୧୦ ଫୁଟରୁ କମ୍ ହେବ ନାହିଁ । ପୂର୍ବରୁ ମଧ୍ୟ କୟାଁଗୋଲା ଅଞ୍ଚଳରେ କୁମ୍ଭୀର ଉଭୟ ପଶୁ ଓ ମଣିଷଙ୍କୁ ନଦୀ ଭିତରକୁ ଟାଣି ନେଇ ଜୀବନରୁ ମାରିଦେଇଛି । ସେହିପରି ଖରସ୍ରୋତା ଓ ଏହାର ଶାଖା ନଦୀଗୁଡିକରେ ପୂର୍ବରୁ ବାରମ୍ବାର କୁମ୍ଭୀରଙ୍କ ଉପଦ୍ରବ ଥିବାରୁ ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି । ଉଭୟ ନଦୀ ରେ ଭିତରକନିକା ଅଞ୍ଚଳରୁ ଏହି କୁମ୍ଭୀର ସବୁ ଚାଲିଆସି ନଦୀ ଗଣ୍ଡରେ ରହିଯାଇ ସେମାନଙ୍କ ବଂଶ ବିସ୍ତାର କରିଛନ୍ତି । ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦୃଢ଼ ଦାବି ହେଉଛି ।