ରୋହିଙ୍ଗ୍ୟାଙ୍କୁ ଫ୍ଲାଟ୍ ଦେବା ଯୋଜନା ନାହିଁ

କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ
ନୂଆଦିଲ୍ଲୀ (ଏଜେନ୍ସି): ‘ମିଆଁମାରରୁ ଚାଲିଆସି ଦିଲ୍ଲୀରେ ବସବାସ କରୁଥିବା ଅନୁପ୍ରବେଶକାରୀ ରୋହିଙ୍ଗ୍ୟା ମୁସଲମାନଙ୍କୁ ବାସଗୃହ ଯୋଗାଇ ଦିଆଯିବା ଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ ।’ ଏସମ୍ପର୍କରେ ସୋସିଆଲ ମିଡିଆରେ ଉଦ୍ଭ୍ରାନ୍ତମୂଳକ ରିପୋର୍ଟ ପ୍ରକାଶିତ ହେଉଥିବା ନଜରକୁ ଆସିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏପ୍ରକାର ରିପୋର୍ଟକୁ ଖାରଜ କରାଯିବା ସହ ଉପରୋକ୍ତ ସ୍ପଷ୍ଟୀକରଣ ଦିଆଯାଇଛି । ଗୃହ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ବାସଗୃହ ଯୋଗାଇଦିଆଯିବା ନେଇ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ କିମ୍ବା ଏପ୍ରକାର କୌଣସି ନିଦେ୍ର୍ଦଶ ଦିଆଯାଇନାହିଁ । ଏପ୍ରକାର ରିପୋର୍ଟରେ କୌଣସି ସତ୍ୟତା ନାହିଁ ।
ପ୍ରକାଶ, ବୁଧବାର କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ‘କେନ୍ଦ୍ର ସରକାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କରବାଲା ଅଞ୍ଚଳରେ ପକ୍କାଘର ଏବଂ ୨୪ଘଣ୍ଟିଆ ପୁଲିସ୍ ସୁରକ୍ଷା ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି’ ବୋଲି ସୂଚନା ଦେଇଥିଲେ । ଏତଦ୍ବ୍ୟତୀତ ରୋହିଙ୍ଗ୍ୟାଙ୍କୁ ମିଳିତ ଜାତିସଂଘ ମାନବାଧିକାର ଆୟୋଗ (ୟୁଏନ୍ଏଚ୍ଆରସି) ଦ୍ୱାରା ମୌଳିକ ସୁବିଧା ମଧ୍ୟ ଯୋଗାଇଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିବା ସହ ଯେଉଁମାନେ ଦେଶର ଶରଣାର୍ଥୀ ନୀତି ଉପରେ ପ୍ରଶ୍ନ କରିଛନ୍ତି ସେମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ଏପ୍ରକାର ଟ୍ୱିଟ୍ ଆସିବାର କିଛି ସମୟ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଉପରୋକ୍ତ ସ୍ପଷ୍ଟୀକରଣ ଆସିଛି । ଏତଦ୍ବ୍ୟତୀତ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପୁରୀଙ୍କ ଟ୍ୱିଟ୍କୁ ନେଇ ତୀବ୍ର ଆପତ୍ତି ଉଠାଯାଇଥିଲା ।
ଗୃହ ମନ୍ତ୍ରଣାଳୟ ଟ୍ୱିଟ୍ କରି ଦର୍ଶାଇଛି ଯେ, ଶରଣାର୍ଥୀ ଭାବେ ଏଠାରେ ରହୁଥିବା ପ୍ରତ୍ୟେକ ରୋହିଙ୍ଗ୍ୟାଙ୍କୁ ସେମାନଙ୍କ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରାଯିବ । ଏନେଇ ଭାରତ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିସାରିଛନ୍ତି, ଯୋଜନା ପ୍ରସ୍ତୁତ କରାଯାଉଛି, ଅନ୍ତର୍ଜାତୀୟସ୍ତରରେ କୂଟନୈତିକ ଆଲୋଚନା ମଧ୍ୟ ଜାରି ରହିଛି । ତେବେ ଏଥିପାଇଁ ଆଉ କିଛି ସମୟ ଲାଗିପାରେ । ଯେତେଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ ନହୋଇଛି, ସେତେଦିନ ଯାଏ ରୋହିଙ୍ଗ୍ୟା ଯେଉଁ ସ୍ଥାନରେ ଏବେ ରହୁଛନ୍ତି ସେହି ସ୍ଥାନରେ ହିଁ ରହିବାକୁ ଅନୁମତି ଦିଆଯାଇଛି । ସେହିପରି ଏସବୁ ସ୍ଥାନକୁ ଅବରୋଧ ଶିବିର ବା ଡିଟେନ୍ସନ୍ ସେଣ୍ଟର ଭାବେ ଘୋଷଣା କରିବାକୁ ଏବଂ ସେମାନଙ୍କ ଥଇଥାନ ବ୍ୟବସ୍ଥାକୁ ସହଜ କରିବାକୁ ମଧ୍ୟ ଦିଲ୍ଲୀ ସରକାରଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।
ପ୍ରକାଶ, ୨ଠ୧୭ରେ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୋଦି ସରକାର ସୂଚନା ଦେଇଥିଲେ ଯେ, ଦେଶରେ ପ୍ରାୟ ୪ଠହଜାର ରୋହିଙ୍ଗ୍ୟା ଶରଣାର୍ଥୀ ଅନୁପ୍ରବେଶକାରୀ ଭାବେ ଅବସ୍ଥାନ କରୁଛନ୍ତି । ଏମାନେ ମୁଖ୍ୟତଃ ଦିଲ୍ଲୀ-ଏନ୍ସିଆର ଅଞ୍ଚଳରେ, ଜମ୍ମୁ କାଶ୍ମୀରରେ, ହାଇଦ୍ରାବାଦ୍ରେ ହରିଆଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଣିପୁର ଆଦି ରାଜ୍ୟରେ ବେଆଇନ୍ ଭାବେ ରହୁଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ପକ୍ଷରୁ ବାଂଲାଦେଶୀ ତଥା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କୌଣସି ଶରଣାର୍ଥୀ କ୍ୟାମ୍ପ୍ ପ୍ରସ୍ତୁତ କରାଯାଇନାହିଁ । କେବଳ ଦିଲ୍ଲୀ ସରକାର ଦିଲ୍ଲୀ ପ୍ରାନ୍ତରେ ରହୁଥିବା ରୋହିଙ୍ଗ୍ୟାଙ୍କ ପାଇଁ ମାସିକ ୭ଲକ୍ଷ ଟଙ୍କା ଭଡା ବାବଦ ଖର୍ଚ୍ଚ କରୁଥିବା ଜାଣିବାକୁ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *