ବର୍ଡର-ଗାଭାସ୍କର ଶୃଙ୍ଖଳାରେ ପାଞ୍ଚ ଟେଷ୍ଟ
ପାଞ୍ଚ ବର୍ଷରେ ୭୭୭ ଆନ୍ତର୍ଜାତିକ ମ୍ୟାଚ୍
ଦୁବାଇ, ୧୭ା୮ (ଏଜେନ୍ସି): ସାରା ବିଶ୍ୱରେ ଟି-୨୦ ଲିଗ୍ର ଆଧିପତ୍ୟ ବୃଦ୍ଧି ପାଇବା ସତ୍ତ୍ୱେ ଆନ୍ତର୍ଜାତିକ ମ୍ୟାଚ୍ ସଂଖ୍ୟାରେ ବୃଦ୍ଧି ହେବାକୁ ଯାଉଛି । ଆନ୍ତର୍ଜାତିକ କ୍ରିକେଟ୍ କାଉନ୍ସିଲ୍ (ଆଇସିସି) ୨୦୨୩ରୁ ୨୦୨୭ ଯାଏଁ ଫୁ୍ୟଚର୍ ଟୁର୍ ପ୍ରୋଗ୍ରାମ୍ (ଏଫ୍ଟିପି) ଜାରି କରିଛି । ଏହି ପାଞ୍ଚ ବର୍ଷ ମଧ୍ୟରେ ଆଇସିସିର ୧୨ ପୂର୍ଣ୍ଣ ସଦସ୍ୟ ମୋଟ୍ ୭୭୭ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବେ । ଏଥିରେ ୧୭୩ ଟେଷ୍ଟ, ୨୮୧ ଦିନିକିଆ ଓ ୩୩୩ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ରହିଛି । ୨୦୧୯ରୁ ୨୦୨୩ ଯାଏଁ ପୂର୍ବ ଏଫ୍ଟିପିରେ ମୋଟ୍ ୬୯୪ ମ୍ୟାଚ୍ ସାମିଲ୍ ଥିଲା । ଏହାର ଅର୍ଥ ଏଥର ଅଧିକ ୮୧ ମ୍ୟାଚ୍ ଖେଳାଯିବ । ପ୍ରତିବର୍ଷ ଏପ୍ରିଲ୍ ଓ ମେ’ରେ ବିସିସିଆଇକୁ ଆଇପିଏଲ୍ ୱିଣ୍ଡୋ ମିଳିଥିଲା । ଏହି ସମୟରେ ପ୍ରାୟତଃ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବ ନାହିଁ ।
ନୂଆ ଏଫ୍ଟିପିରେ ଟିମ୍ ଇଣ୍ଡିଆ ୧୪୧ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ । ଏଥିରେ ୪୨ ଦିନିକିଆ, ୩୮ ଟେଷ୍ଟ ଓ ୬୧ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଅନ୍ତର୍ଭୁକ୍ତ ରହିଛି ।
ନୂଆ ଏଫ୍ଟିପିରେ ସବୁଠାରୁ ଖାସ୍ କଥା ହେଉଛି, ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାରେ ଏଣିକି ପାଞ୍ଚ ଟେଷ୍ଟ ମ୍ୟାଚ୍ ଖେଳାଯିବ । ୧୯୯୨ ପରେ ପ୍ରଥମ ଥର ବର୍ଡର-ଗାଭାସ୍କର ଶୃଙ୍ଖଳାରେ ପାଞ୍ଚ ଟେଷ୍ଟ ହେବ । ଗତ କିଛି ବର୍ଷ ହେଲା ଏହି ଶୃଙ୍ଖଳାରେ ଚାରି ମ୍ୟାଚ୍ହିଁ ଖେଳାଯାଉଥିଲା । ୨୦୨୩-୨୦୨୭ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ପାଞ୍ଚ ଟେଷ୍ଟ ମ୍ୟାଚ୍ର ଦୁଇ ସିରିଜ୍ ଖେଳିବେ । ଗୋଟିଏ ଶୃଙ୍ଖଳା ଅଷ୍ଟ୍ରେଲିଆ ଓ ଗୋଟିଏ ଭାରତରେ ହେବ ।
କ୍ଷ ଅଧିକ ୪୦ ଦିନିକିଆ ଖେଳାଯିବ
ପୂର୍ବ ଏଫ୍ଟିପି ତୁଳନାରେ ଆସନ୍ତା ଥର ଅଧିକ ୨୨ ଟେଷ୍ଟ, ୪୦ ଦିନିକିଆ ଓ ୨୫ ଟି-୨୦ ମ୍ୟାଚ୍ ଖେଳାଯିବ । ଆଇସିସିର ଏହି ପଦକ୍ଷେପ ଦ୍ୱାରା ଦିନିକିଆ କ୍ରିକେଟ୍ ଉପରେ ଧ୍ୟାନ ଦିଆଯାଉ ନାହିଁ କଥା ନିରାଧାର ସାବ୍ୟସ୍ତ ହୋଇଛି । କେତେକ ବିଶେଷଜ୍ଞ ଦିନିକିଆ କ୍ରିକେଟ୍ର ସଂଖ୍ୟା ହ୍ରାସ ପାଉଥିବାରୁ ଚିନ୍ତା ପ୍ରକଟ କରିଥିଲେ ।
କ୍ଷ ପରବର୍ତ୍ତୀ ଦୁଇ ଡବ୍ଲୁ୍ୟଟିସିର ଫେସ୍-ଟୁ-ଫେସ୍ ବି ଜାରି
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି)ର ପରବର୍ତ୍ତୀ ଦୁଇ ରାଉଣ୍ଡରେ କେଉଁ ଟିମ୍ କାହାର ମୁକାବିଲା କରିବ, ତାହାର ସୂଚନା ବି ମିଳିଛି । ୨୦୨୩-୨୫ ଡବ୍ଲୁ୍ୟଟିସିରେ ଟିମ୍ ଇଣ୍ଡିଆ ନୁ୍ୟଜିଲାଣ୍ଡ, ଇଂଲଣ୍ଡ ଓ ବାଂଲାଦେଶର ଆୟୋଜନ କରିବ ଏବଂ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ୨୦୨୫-୨୦୨୭ ଡବ୍ଲୁ୍ୟଟିସିରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକାର ଆୟୋଜନ କରିବ ଏବଂ ନୁ୍ୟଜିଲାଣ୍ଡ, ଇଂଲଣ୍ଡ ଓ ଶ୍ରୀଲଙ୍କା ଗସ୍ତ କରିବ ।
କ୍ଷ ତ୍ରିକୋଣୀୟ ଶୃଙ୍ଖଳା ଫେରିବ
ହ୍ୱାଇଟ୍ ବଲ୍ କ୍ରିକେଟ୍ରେ ତ୍ରିକୋଣୀୟ ଶୃଙ୍ଖଳା ପ୍ରତ୍ୟାବର୍ତ୍ତନ କରିଛି । ୨୦୨୫ ଫେବ୍ରୁଆରୀରେ ପାକିସ୍ତାନ ଟିମ୍ ନିଜ ଆୟୋଜନରେ ନୁ୍ୟଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସହିତ ଦିନିକିଆ ତ୍ରିକୋଣୀୟ ଶୃଙ୍ଖଳା ଖେଳିବ । ସେହିପରି ୨୦୨୫ ଜୁଲାଇରେ ଜିମ୍ବାୱେ, ନୁ୍ୟଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜିମ୍ବାୱେରେ ଟି-୨୦ ତ୍ରିକୋଣୀୟ ଶୃଙ୍ଖଳା ହେବ । ପାକିସ୍ତାନ ଏହାପରେ ୨୦୧୬ ଅକ୍ଟୋବର-ନଭେମ୍ବରରେ ଇଂଲଣ୍ଡ ଓ ଶ୍ରୀଲଙ୍କା ସହିତ ନିଜ ଘରେ ତ୍ରିକୋଣୀୟ ଦିନିକିଆ ଶୃଙ୍ଖଳା ଖେଳିବ ।
କ୍ଷ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ହେବ ଆଇସିସି ଇଭେଣ୍ଟ
୨୦୨୩ରୁ ୨୦୨୭ ମଧ୍ୟରେ ହେବାକୁ ଥିବା ଆଇସିସିର ତମାମ୍ ଗ୍ଲୋବାଲ୍ ଇଭେଣ୍ଟ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ହେବ । ୨୦୨୩ରେ ଦିନିକିଆ ବିଶ୍ୱକପ୍ ଭାରତରେ ହେବ । ୨୦୨୪ରେ ଟି-୨୦ ବିଶ୍ୱକପ୍ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜନ କରାଯିବ । ୨୦୨୫ରେ ଦିନିକିଆ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ । ଭାରତ ଓ ଶ୍ରୀଲଙ୍କା ମିଶିକି ୨୦୨୬ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ । ୨୦୨୭ରେ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିୟା ଆୟୋଜନରେ ଖେଳାଯିବ ।