ବନ୍ୟାରେ ଭୁଶୁଡ଼ିଲା ବ୍ରିଜ୍

କୋରାପୁଟ-ରାୟଗଡ଼ା ଯାତାୟାତ ବ୍ୟାହତ
କୋରାପୁଟ, ୧୬ା୮ (ଆପ୍ର): ବନ୍ୟା ଯୋଗୁ କୋରାପୁଟ-ରାୟଗଡ଼ା ୨୬ ନମ୍ବର ଜାତୀୟ ରାଜପଥ ବଙ୍ଗଳାଗୁଡାରେ ଛମାରୀ ନଦୀ ଉପରେ ରହିଥିବା ପ୍ରାୟ ୫୦ ବର୍ଷର ପୁରାତନ ପୋଲ ୨୦ ଫୁଟ ତଳକୁ ଭୁଶୁଡ଼ି ପଡ଼ିଛି । ଫଳରେ କୋରାପୁଟ-ରାୟଗଡ଼ା ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବାରୁ ବନ୍ୟା ଆସି ୪୦ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ରିଜ୍ର ଏଣ୍ଡସ୍ପାନ ଭୁଶୁଡ଼ି ପଡ଼ିଛି । ମଙ୍ଗଳବାର ଅପରାହ୍ଣ ୪ ଟାରେ ବ୍ରିଜ୍ ଭୁଶୁଡ଼ି ପଡଡ଼ିଥିଲା । ତେବେ ଏକ ଗ୍ୟାସ ଟ୍ୟାଙ୍କର ଓ ମହାପାରାୟଣ ଗାଡି ଏହା ଉପର ଦେଇ ଯିବା ପୂର୍ବରୁ ବ୍ରିଜ୍ ଭୁଶୁଡି ପଡିଥିଲା । ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚିଥିଲେ । ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଇଥିଲା । ଜିଲ୍ଲାପାଳ ଅବଦଲ ଏମ. ଅଖତର, ଏସ୍ପି ବରୁଣ ଗୁଣ୍ଟୁପାଲି, ଆର ଏଣ୍ଡ ବି ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା ଓ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବିକଳ୍ପ ବ୍ୟବସ୍ଥା ସ୍ୱରୂପ କୋରାପୁଟରୁ ମସ୍ତିପୁଟ-ମହାଦେଈପୁଟ-ଆଲମଣ୍ଡା ଦେଇ ପୋଡାଗଡ ଏବଂ ରାୟଗଡା ପଟରୁ ପୋଡାଗଡରୁ ସେମିଳିଗୁଡାକୁ ଯିବାକୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ।
ଉକ୍ତ ବ୍ରିଜ୍ ୧୯୭୦ ମସିହାରେ ନିର୍ମାଣ କରାଯାଇଥିଲା । ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଅଣଦେଖା କରାଯିବାରୁ ଏଭଳି ସ୍ଥିତି ସୃଷ୍ଟି ହେଲା । କୋରାପୁଟରୁ ଲକ୍ଷ୍ମୀପୁର, ନାରାୟଣପାଟଣା, ରାୟଗଡ଼ା, ଦଶବନ୍ତପୁରକୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବ୍ରିଜ୍ର ଉଭୟ ପାର୍ଶ୍ୱରେ ବ୍ୟାଟିକେଡ୍ କରାଯାଇଛି ଓ ପୁଲିସ ବାହିନୀ ଜଗି ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *