ମହିଳାଙ୍କ ସମ୍ମାନ ପ୍ରତି ଯତ୍ନବାନ ହେବା

ଲାଲକିଲ୍ଲାରୁ ମୋଦିଙ୍କ ନବମ ସ୍ୱାଧୀନତା ଦିବସ ଅଭିଭାଷଣ
ନୂଆଦିଲ୍ଲୀ(ଏଜେନ୍ସି): ସୋମବାର ଦିନ ଭାରତର ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ୍କିଲ୍ଲା ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ମିଶାଇ କ୍ରମାଗତ ୯ମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଲାଲକିଲ୍ଲାରେ ରାଷ୍ଟ୍ରୀୟ ଧ୍ୱଜାବତରଣ କରିବା ସହ ଦେଶକୁ ସମ୍ବୋଧିତ କରିଛନ୍ତି ମୋଦି । ତେବେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।
ମୋଦି କହିଛନ୍ତି, ଚଳିତ ବର୍ଷ ସମଗ୍ର ଭାରତ ବର୍ଷ ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛି । ଦେଶର ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ବିନା ଏହା କଦାପି ସମ୍ଭବ ହୋଇପାରିନଥାନ୍ତି । ଦେଶର ବରପୁତ୍ରଙ୍କ ତ୍ୟାଗ, ନିଷ୍ଠା ଏବଂ ଦେଶଭକ୍ତିକୁ ଆଜି ସମଗ୍ର ଭାରତ ଶତ ଶତ ପ୍ରଣାମ ଜଣାଉଛି । ସ୍ୱାଧୀନ ଭାରତରେ ଶ୍ୱାସ ନେବାର ସୌଭାଗ୍ୟ ଆମ ସଭିଙ୍କୁ ଦେଶର ସେହି ବରପୁତ୍ରମାନେ ଦାନ କରିଦେଇଯାଇଛନ୍ତି । ମୋଦି ନିଜ ଭାଷଣରେ ମହାତ୍ମା ଗାନ୍ଧୀ, ଭଗତ ସିଂହ, ରାଜଗୁରୁ, ରାମପ୍ରସାଦ ବିସମିଲ୍, ରାଣୀ ଲକ୍ଷ୍ମୀବାଇ, ସୁବାଷ ଚନ୍ଦ୍ର ବୋଷ, ଜୱାହରଲାଲ ନେହରୁ, ଲାଲ ବାହାଦୁର ଶାସ୍ତ୍ରୀ, ରାମ ମନୋହର ଲୋହିଆ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବିବେକାନନ୍ଦ, ରାଜେନ୍ଦ୍ର ପ୍ରସାଦଙ୍କ ସହ ସମସ୍ତ ମହିଳା ସ୍ୱାଧୀନତା ସେନାନୀ ଏବଂ ସ୍ୱାଧୀନ ଭାରତର ନକ୍ସା ପ୍ରସ୍ତୁତ କରିଥିବା ବରପୁତ୍ରମାନଙ୍କ ସମ୍ପର୍କରେ ଅବତାରଣା କରିଥିଲେ ।
ମୋଦି ନିଜ ଭାଷଣରେ କହିଥିଲେ ଯେ, ଆଗାମୀ ୨୫ବର୍ଷ ପାଇଁ ଆମକୁ ୫ ପ୍ରତିଜ୍ଞା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ହେବ । ଏହି ୫ ପ୍ରତିଜ୍ଞା ହେଲା ୧ମରେ ବୃହତ୍ତର ପ୍ରତିଜ୍ଞା ଏବଂ ବିକଶିତ ଭାରତର ପ୍ରତିଜ୍ଞା ସହ ଅଗ୍ରସର ହେବା, ୨ୟରେ ଦାସତ୍ୱର ସମସ୍ତ ଚିହ୍ନ ପୋଛି ଦେବା, ୩ୟରେ ଆମେ ଭାରତୀୟ ହିସାବରେ ଅମ ଐତିହ୍ୟ, କୀର୍ତ୍ତିରାଜି ତଥା ଇତିହାସ ପାଇଁ ଗୌରବାନ୍ୱିତ ମନେକରିବା, ୪ର୍ଥରେ ୧୩ଠକୋଟି ଜନତାଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବା ଏବଂ ୫ମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶର ପ୍ରତ୍ୟେକ ନାଗରିକ ସମାଜ ପ୍ରତି, ପରିବେଶ ପ୍ରତି କର୍ତ୍ତବ୍ୟବାନ୍ ହେବା ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ମହତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏହି ବାର୍ତ୍ତା ମୁଖ୍ୟତଃ ଦେଶର ପ୍ରତ୍ୟେକ ମହିଳାଙ୍କ ପ୍ରତି ପୁରୁଷ ସମାଜର ଥିବା କର୍ତ୍ତବ୍ୟବୋଧ, ଦାୟିତ୍ୱବୋଧକୁ ଉଜାଗର କରିଛି । ମୋଦିଙ୍କ କହିବାନୁସାରେ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ମହିଳାଙ୍କ ପ୍ରତି ସେମାନଙ୍କ ଆଚାର ବ୍ୟବହାରକୁ ନେଇ ଯତ୍ନବାନ ରହିବାକୁ ଦୃଢ଼ ସଂକଳ୍ପ ନେବା ଉଚିତ୍ । ମହିଳାଙ୍କ ସମ୍ମାନ, ଅସ୍ଥିତ୍ୱ, ଆତ୍ମସ୍ୱାଭିମାନକୁ ଆଞ୍ଚ୍ ଆସିବା ଭଳି କୌଣସି କାର୍ଯ୍ୟ ନକରିବାକୁ ପ୍ରତ୍ୟେକ ଦେଶବାସୀ ସଂକଳ୍ପ ନେବା ଉଚିତ୍ । ଦେଶର ସ୍ୱପ୍ନକୁ ପୁୂରଣ କରିବା ଦିଗରେ ଦେଶର ମହିଳାଙ୍କ ବହୁତ ବଡ଼ ଯୋଗଦାନ ରହିଛି । ଆମେ ଆମର ‘ନାରୀଶକ୍ତି’କୁ ସମ୍ମାନ ତଥା ସମର୍ଥନ ଯୋଗାଇଦେବାର ଆବଶ୍ୟକତା ରହିଛି ।
ମୋଦି ନିଜ ଭାଷଣରେ ଜାତୀୟ ଏକତା, ଭାଇଚାରା, ଦୁର୍ନୀତି, ନେପୋଟିଜମ୍, ଡିଜିଟାଲ ମିଡିଆ ଆଦି ସମ୍ପର୍କରେ ମଧ୍ୟ କହିଛନ୍ତି । ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶର ଝିଅମାନଙ୍କ କୃତୀତ୍ୱକୁ ମୋଦି ବେଶ୍ ପ୍ରଶଂସା କରିଥିଲେ । ମୋଦି କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ନିଜର ୭୫ ବର୍ଷ ଯାତ୍ରା କାଳରେ ଭାରତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି । ବାହ୍ୟ ଶତ୍ରୁ ଦେଶର ଅଖଣ୍ଡତା ତଥା ଭାଇଚାରାର ଏକତାକୁ ଭଙ୍ଗ କରିବାକୁ ଅନେକ ଚେଷ୍ଟା କରିଛନ୍ତି । କିନ୍ତୁ ଭାରତବାସୀ ଏସବୁଥିରୁ ବହୁ ଊଦ୍ଧ୍ୱର୍ରେ ବୋଲି ବାରମ୍ବାର ପ୍ରମାଣିତ କରିଆସୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *