ପ୍ରଦୀପଙ୍କୁ କଳା ପତାକା ଦେଖାଇଲେ ବିଜେଡି କର୍ମୀ

ବ୍ରହ୍ମପୁର (ବୁ୍ୟରୋ): ସ୍ୱାଧୀନତା ଦିବସ ଅବସରରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳାବନ୍ଥ ଗସ୍ତ ବେଳେ କମଳାପୁର ଛକ ଠାରେ ବିଜେଡି କର୍ମୀମାନେ କଳା ପତାକା ଦେଖାଇ ବିରୋଧ କରିଥିଲେ । ଉଭୟ ବିଧାୟକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ କଡା ସୁରକ୍ଷା ମଧ୍ୟରେ ବିଧାୟକଙ୍କୁ ଗୋଳାବନ୍ଧ ଠାରେ ପହଞ୍ଚାଇଥିଲା ।
ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ଗୋଳାବନ୍ଧ ଠାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ପାଇଁ ଆସିଥିଲେ । ବିଜେଡି ନେତା ଏସ୍.ଧର୍ମାରାଜ ରେଡ୍ଡିଙ୍କ ସମେତ ବ୍ଲକ୍ ବିଜେଡି ସଭାପତି ଅଜିତ୍ କୁମାର ଦାସ, ଯୁବ ବିଜେଡି ସଭାପତି ବିନୋଦ ମହାଙ୍କୁଡ, ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ ପ୍ରମୁଖ ହାତରେ କଳା ପତାକା ଧରି ବିଧାୟକଙ୍କ ଗସ୍ତକୁ ବିରୋଧ କରିଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ଓ ବିଜେଡି ନେତା ଧର୍ମାରାଜଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଘଟଣାସ୍ଥଳରେ ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ବିଧାୟକଙ୍କୁ ସୁରକ୍ଷାଦେଇ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କାର୍ଯ୍ୟକ୍ରମରେ ପହଞ୍ଚାଇ ଥିଲେ । ବିଧାୟକ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଆସୁଥିବା ବେଳେ ବିଜେଡି କର୍ମୀମାନେ କଳା ପତାକା ଦେଖାଇ ବିରୋଧ କରିବାକୁ ସେ ନାପସନ୍ଦ କରି ନିଜକୁ ୱାନ୍ ମ୍ୟାନ୍ ଆର୍ମି ବୋଲି ଅଭିହିତ କରିଥିଲେ । ଗୋପାଳପୁର ବିଧାୟକ ଡ.ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟି ନେବା ସହ ଜନବିରୋଧୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା ଯୋଗୁ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କୃତ କରିଥିବା କହି ଏପରି ଜନବିରୋଧୀ ନେତାଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଧର୍ମାରାଜ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *