୪ହଜାର ହେକ୍ଟର ଜମି ଜଳମଗ୍ନ
ନରସିଂହପୁର (ଆପ୍ର): ଉପରମୁଣ୍ଡରେ ଲଗାଣବର୍ଷା ହେତୁ ହୀରାକୁଦ ଜଳପ୍ରପାତର ଜଳରସ୍ତର ବୃଦ୍ଧିପାଇବାରୁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ନରସିଂହପୁର ବ୍ଲକ୍ର ନଦୀକୂଳିଆ ଅଞ୍ଚଳରେ ଥିବା ୧୨ଟି ପଞ୍ଚାୟତର ୧୬ଟି ଗାଁ ପାଣି ଘେରରେ ରହିଥିବା ବେଳେ, ଦଲକ ଗ୍ରାମ ବାହ୍ୟଜଗତରି ବିଛିନ୍ନ ହୋଇଛି । ଅପରପକ୍ଷରେ ବାଗଧରିଆ-ଏକଡାଳ ରାସ୍ତାରେ ପ୍ରାୟ ୫ ଫୁଟୁ ପାଣି, ନୂଆପାଟଣା-ଡିମିରିଆ ରାସ୍ତାରେ ୫ ଫୁଟ ପାଣି, ଓଡଶିଙ୍ଗା, ରାଣିଭୂଇଁ, ମନ୍ଦାଣିଆ, ଦଲକ ରାସ୍ତାରେ ପାଣିର ସ୍ରୋତ ଥିବାରୁ ଏହି ରାସ୍ତାରେ ଜାତାୟତ ବନ୍ଦ ରହିଥିଲା । ଓଡଶିଙ୍ଗା ଠାରେ ମାଳବନ୍ଧ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ନ ଥିବାରୁ ସେହିବାଟ ଦେଇ ଜୋଡୁମୁଁ ପଞ୍ଚାୟତର ଓଡଶିଙ୍ଗାରେ ପଣି ପସିଥିଲା । ସେହିପରି ରେଗେଡା ପଞ୍ଚାୟତର ରାଣିଭୂଇଁ ଠାରେ ବନ୍ଧର ଅବ୍ୟବସ୍ଥା ଯୋଗୁଁ ମନ୍ଦାଣିଆ, ସାନଗାଁ, କମଳାଡିହ ପଞ୍ଚାୟତର ପଞ୍ଚମା ଗ୍ରାମରେ ପାଣି ପସିଛି । ସାଧାରଣ ପ୍ରଶାସନ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ,ତହସିଲଦାର ଆଲୋକ କୁମାର ଦେହୁରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ପ୍ରତ୍ୟକ୍ଷ ଭାବେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ପାଣିଘେରରେ ଥିବା ମନ୍ଦାଣିଆ, ସାନଗାଁ, ଓଡଶିଙ୍ଗା ସମେତ ବିଭିନ୍ନ ଗ୍ରାମରେ ବୋଟ ମାଧ୍ୟମରେ ଯାଇ ପହଞ୍ଚି ସେମାନଙ୍କର ସମସ୍ୟା ବୁଝିଥିଲେ ।ପାଣି ଘେରରେ ଥିବା ଅଞ୍ଚଳ ଗୁଡିକରୁ ବିଦ୍ୟୁତ୍ ସେବା ବନ୍ଦ କରାଯାଇଛି ।
ବିଧାୟକ ଶ୍ରୀ ମିଶ୍ରଙ୍କ ପରାମର୍ଶ କ୍ରମେ ଗ୍ରାମ ଗୁଡିକର ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚଙ୍କୁ କୁହାଯାଇଥିଲା । ପ୍ରାୟ ୪ ହଜାରରୁ ଉର୍ଦ୍ଧ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ନଦୀକୂଳିଆ ଅଞ୍ଚଳର ପ୍ରାୟ ୩ ହଜାର ହେକ୍ଟର ଜମିରେ ହୋଇଥିବା ଖରିଫ ଧାନ ଏବଂ ଏକହଜାର ହେକ୍ଟର ଜମିରେ ହୋଇଥିବା ପନିପରିବା ଚାଷ ପାଣିପସି କ୍ଷତି ହୋଇଛି । ବହୁ ଗ୍ରାମରେ ପାଣି ପସିବା ଦ୍ୱାରା ଘର ଭାଙ୍ଗିଥିବା ଅଭିଯୋଗ ତହସିଲରେ ହୋଇଥିବା ବେଳେ ସେମାନଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି । ବିଧାୟକ ଶ୍ରୀ ମିଶ୍ର ଏକ ଜରୁରୀ ବୈଠକରେ ଜିଲ୍ଲାପରିଷଦ ସଭାପତି କିଶୋରଚନ୍ଦ୍ର ମିଶ୍ର ଅଧ୍ୟକ୍ଷା ସସ୍ମିତା ଜେନା, ଉପାଧ୍ୟକ୍ଷ ନାରାୟଣ ନାୟକ, ସମିତିସଭ୍ୟ ନିର୍ମଳ ଜେନା, ସ୍ୱାସ୍ଥ୍ୟ ବିଭାଗର ମୂଖ୍ୟ ଦେବାଷିଶ ଜେଷ୍ଠି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଅଲୋଚନା କରିବା ସହିତ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେ ନେବାପାଇଁ ବିଧାୟକ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।