ଓଡ଼ିଶା ଏବେ ଦେଶର ମାର୍ଗଦର୍ଶକ
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ
ଭୁବନେଶ୍ୱର (ବୁ୍ୟରୋ): ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହା ଭାରତୀୟ ଭାବେ ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଅନେକ କ୍ଷେତ୍ରରେ ରାଜ୍ୟ ଦେଶ ପାଇଁ ମାର୍ଗଦର୍ଶକ ହୋଇଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହବ୍ ପାଲଟିଛି । ଜନଜାତି ବର୍ଗର ବିକାଶ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି । ବିଗତ ୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି । ଖାଦ୍ୟ ବଳକା ଭାବେ ଓଡ଼ିଶା ଦେଶରେ ଉଭା ହୋଇଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱ ପାଇଁ ଆଦର୍ଶ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସ୍ୱାଧୀନତା କୋଟି ଭାରତୀୟଙ୍କ ବିଜୟ । ସତ୍ୟ ଓ ଅହିଂସାର ବିଜୟ । ଏହି ବିଜୟ ସାରା ବିଶ୍ୱକୁ ରାସ୍ତା ଦେଖାଇଛି । ଗତ ୭୫ ବର୍ଷରେ ଦେଶ ଅନେକ ମାଇଲଷ୍ଟୋନ ହାସଲ କରିଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରୁଛି । ଆଉ ଓଡ଼ିଶା ମଧ୍ୟ ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି । ୭୫ ବର୍ଷରେ ଓଡ଼ିଶା ଅନେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ସହ ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି । ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟ, ବିପର୍ଯ୍ୟୟ ପରି·ଳନାରେ ବିଶ୍ୱ ପାଇଁ ଉଦାହରଣ, ସ୍ପୋର୍ଟ୍ସ ହବ୍ ଭାବେ ପରିଚୟ, ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା ବିକଶିତ ଓଡ଼ିଶାର ପ୍ରତୀକ ।
ଶିକ୍ଷା ଆମର ଫୋକସରେ ରହିଛି । ସ୍କୁଲ ରୂପାନ୍ତରଣ ପିଲାଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ୱରର ପର୍ଯ୍ୟନ୍ତ ୩୧୫ ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉତ୍ସବରେ ୫-ଟି ସଚିବ, ମୁଖ୍ୟ ଶାସନ ସଚିବଙ୍କ ସମେତ ମନ୍ତ୍ରୀମଣ୍ଡଳ ସଦସ୍ୟ ଓ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।