ବୁଡ଼ିଲା ଭଟ୍ଟାରିକା ମନ୍ଦିର
ନରସିଂହପୁ(ଆପ୍ର): ମହାନଦୀ ବନ୍ୟାରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠ ଜଳମଗ୍ନ ହୋଇପଡ଼ିଛି । ମା’ଙ୍କ ମନ୍ଦିରର ପ୍ରାୟ ୭୦ ଭାଗ ବୁଡ଼ିଯାଇଛି । ମନ୍ଦିର ବେଢାରେ ଲହଡି ଭାଙ୍ଗୁଛି ପାଣି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ବନ୍ୟା ଦେଖିବା ନିମିତ୍ତ ଭଟ୍ଟାରିକା ପୀଠରେ ଲୋକଙ୍କ ଭିଡ଼ ଜମୁଛ । ତେଣୁ ଅଘଟଣ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଭଟ୍ଟାରିକା ପୀଠରେ ମଙ୍ଗଳବାର ଠାରୁ ବୁଧବାର ପର୍ଯ୍ୟନ୍ତ ବଡମ୍ବା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି ।
ମା’ଙ୍କୁ ପାହାଡ଼ ଉପରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଛି । ସେହିପରି ବ୍ଳକର ପୁରାତନ ଶୈବପୀଠ ବାବା ସିଂହନାଥଙ୍କ ମନ୍ଦିରରେ ବନ୍ୟା ପାଣି ପଶିଛି । ବାବାଙ୍କ ଚଳନ୍ତି ପ୍ରତିମାଙ୍କୁ ଉଚ୍ଚସ୍ଥାନ ରୋଷଘରକୁ ସ୍ଥାନାନ୍ତର କରାଯାଇଛି । ଦେବୋତ୍ତର ବିଭାଗ ପକ୍ଷରୁ ବାବାଙ୍କ ପୂଜାର୍ଚ୍ଚନାରେ ବିଘ୍ନ ନ ଘଟିବା ଲାଗି ବ୍ୟବସ୍ଥା କରାଯାଇଛି ।
ମହାନଦୀରେ ଭୟଙ୍କର ବନ୍ୟା ଆସିବାରୁ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ତିଗିରିଅ । ପଞ୍ଚାୟତର ବହୁ ଗାଁ ଜଳମଗ୍ନ ହୋଇଛିୟ ତିଗିରିଆ ପଞ୍ଚାୟତର ଚଷାଅଁରା ଗାଁ ଜଳବନ୍ଦୀ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ବୋଟ୍ ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଓସ୍ତିଆ ପଞ୍ଚାୟତର ଓସ୍ତିଆ ଗାଁ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ତିଗିରିଆର ବଉଳାଙ୍ଗ, ଶାଳୀଜଂଘା, ଗଦାଧରପୁର, କଣ୍ଠୀପୁର, ବିଷ୍ଣୁପୁର, କୋଇଲିକନ୍ୟା, ରଘୁରାମପୁର, କଳିବିରି ଓ ବଡ଼ନାଇପୁଟ, ଉତ୍ତରବାଙ୍କୀ ବ୍ଲକର ୫ଟି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ଆଠଗଡ଼ ବ୍ଲକ ଧୁରଷିଆ ପଞ୍ଚାୟତର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ବନ୍ୟା ପାଣିରେ ଅଂଶୁପା ହ୍ରଦ ମଧ୍ୟ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବନ୍ୟା ପାଣିରେ ଏକ କାର୍ ଭାସିଯାଇଛି । କିନ୍ତୁ ଏଥିରେ ଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡ଼ାରେ ପାଣି ସୁଅରେ କାର ଭାସି ଯାଇଥିଲା । ସୋମବାର ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ପାଣି ଭିତରେ କାର ଉପରେ ୪ ଜଣ ବସି ରହିଥିଲେ । ଭୋର୍ରେ ଅଗ୍ନିଶମ କର୍ମ·ରୀ ବୋଟ୍ ନେଇ ସେମାନଙ୍କୁ ଉଦ୍ଧାର କରିଥିଲେ ।
