ଏଆଇଏଫ୍ଏଫ୍କୁ ସସ୍ପେଣ୍ଡ କଲା ଫିଫା
ଭାରତରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଆୟୋଜନ ନେଇ ଆଶଙ୍କା
ନୂଆଦିଲ୍ଲୀ, ୧୬ା୮ (ଏଜେନ୍ସି): ବିଶ୍ୱ ଫୁଟ୍ବଲ୍ର ସର୍ବୋଚ୍ଚ ସଂସ୍ଥା ଫିଫା ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଫେଡେରେସନ୍ (ଏଆଇଏଫ୍ଏଫ୍)କୁ ତକ୍ରାଳ ପ୍ରଭାବରୁ ସସ୍ପେଣ୍ଡ କରିଛି । ଏହି କାରଣରୁ ଏବେ ଭାରତରେ ଅକ୍ଟୋବର ୧୧ରୁ ୩୦ ମଧ୍ୟରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ହୋଇପାରିବ ନାହିଁ । ତେବେ ଫିଫା ଏହା ସ୍ପଷ୍ଟ କରି ନାହିଁ ଯେ ଏହି ବିଶ୍ୱକପ୍ କେବେ ଆୟୋଜନ କରାଯିବ । ଫିଫା ପ୍ରଥମ ଥର ଏଆଇଏଫ୍ଏଫ୍କୁ ସସ୍ପେଣ୍ଡ କରିଛି ।
ଏଆଇଏଫ୍ରେ ହସ୍ତକ୍ଷେପ ଯୋଗୁଁ ଫିଫା ଖପ୍ପା
ନିକଟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶରେ ଏଆଇଏଫ୍ଏଫ୍ର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ୍ଙ୍କୁ ହଟାଯାଇ କମିଟି ଅଫ୍ ଆଡ୍ମିନିଷ୍ଟ୍ରେସନ୍ ବା ପ୍ରଶାସକଙ୍କ କମିଟି (ସିଓଏ) ଗଠନ କରାଯାଇଛି । କିନ୍ତୁ ଫିଫା ଅସନ୍ତୋଷ ପ୍ରକଟ କରି କହିଛି ଯେ ସେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଗ୍ରହଣ କରେ ନାହିଁ । ସେ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ସମ୍ପର୍କରେ ମଧ୍ୟ ରହିଛି । ଆଶା କରାଯାଉଛି ଯେ ଏହା ଶୀଘ୍ର ତୁଟିଯିବ ।
ଗତ କିଛି ମାସ ହେଲା ଏଆଇଏଫ୍ଏଫ୍ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ଚଳିତ ବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶ କ୍ରମେ କ୍ରୀଡ଼ା ମନ୍ତ୍ରଣାଳୟ ଏଆଇଏଫ୍ଏଫ୍ର ସଭାପତି ପ୍ରଫୁଲ୍ଲ ପଟେଲ୍ଙ୍କୁ ସ୍ପୋର୍ଟ୍ସ କୋଡ୍ର ଉଲ୍ଲଂଘନ ଅଭିଯୋଗରେ ହଟାଇ ଦେଇଥିଲା ଏବଂ ଫେଡେରେସନ୍କୁ ସସ୍ପେଣ୍ଡ୍ କରିଦେଇଥିଲା । ଏହା ସହିତ କ୍ରୀଡ଼ାର ପରିଚାଳନା ପାଇଁ ପ୍ରଶାସକଙ୍କ କମିଟି ଗଠନ କରାଯାଇଛି ଏବଂ ଅଗଷ୍ଟ ୨୮ ସୁଦ୍ଧା ନିର୍ବାଚନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ଅନ୍ୟପକ୍ଷରେ ଫିଫା ମହାସଂଘରେ ତୃତୀୟ ପକ୍ଷର ହସ୍ତକ୍ଷେପ ଯୋଗୁଁ ଏଆଇଏଫ୍ଏଫ୍କୁ ସସ୍ପେଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଥିଲା । ଏହା ସହିତ ଚେତାବନୀ ଦିଆଯାଇଛି ଯେ ଶୀଘ୍ର ହସ୍ତକ୍ଷେପ ବନ୍ଦ ନ ହେଲେ ଭାରତ ଠାରୁ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଆୟୋଜନ ମଧ୍ୟ ଛଡ଼ାଇ ନିଆଯାଇପାରେ ।
୨୦୦୯ରୁ ସଭାପତି ଥିଲେ ପଟେଲ୍
ପ୍ରଫୁଲ୍ଲ ପଟେଲ୍ ୨୦୦୯ରୁ ଏଆଇଏଫ୍ଏଫ୍ର ସଭାପତି ଥିଲେ । ଦେଶର ସ୍ପୋର୍ଟ୍ସ କୋଡ୍ ଅନୁଯାୟୀ କୌଣସି ବ୍ୟକ୍ତି ତିନି ଥରରୁ ଅଧିକ ଥର ଅଧ୍ୟକ୍ଷ ହୋଇପାରିବେ ନାହିଁ । ପଦରୁ ହଟିବା ପରେ ପଟେଲ୍ ଏକ ଆବେଦନ ଦାୟର କରି ଦାବି କରିଥିଲେ ଯେ ଯେତେବେଳ ଯାଏଁ ନୂଆ ସମ୍ବିଧାନକୁ ଗ୍ରହଣ କରାଯାଇ ନାହିଁ ଏବଂ ନୂଆ ସଭାପତି ଚୟନ କରାଯାଇ ନାହିଁ, ସେତେବେଳ ଯାଏଁ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଉ; କିନ୍ତୁ ନ୍ୟାୟାଳୟ ତାଙ୍କ ଆବେଦନକୁ ଖାରଜ କରି ପ୍ରଶାସକଙ୍କ କମିଟି ଗଠନ କରିଥିଲେ ।
ପ୍ରଶାସକଙ୍କ କମିଟିରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏଆର୍ ଦଭେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ଏହାଛଡ଼ା ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର୍ ଏସ୍ୱାଇ କୁରେଶୀ ଏବଂ ଭାରତୀୟ ଫୁଟ୍ବଲ୍ ଟିମ୍ର ପୂର୍ବତନ ଅଧିନାୟକ ଭାସ୍କର ଗାଙ୍ଗୁଲି ମଧ୍ୟ ଏହାର ସଦସ୍ୟ ଥିଲେ ।
ଅକ୍ଟୋବର ୧୧ରୁ ଆରମ୍ଭ ହୋଇଥା’ନ୍ତା ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ବିଶ୍ୱକପ୍
୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ବିଶ୍ୱକପ୍ ଅକ୍ଟୋବର ୧୧ରୁ ୩୦ ଯାଏଁ ଭୁବନେଶ୍ୱର, ଗୋଆ ଓ ମୁମ୍ବାଇରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିଲା । ଏହାର ସଫଳ ଆୟୋଜନ ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳ ପୂର୍ବରୁହିଁ ନିଜ ମଞ୍ଜୁରୀ ଦେଇସାରିଥିଲା । ଏହାର ଆୟୋଜନ ସମ୍ପର୍କରେ ଫିଫା କହିଛି ଯେ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ନିର୍ଦ୍ଧାରିତ ସମୟରେ ସ୍ଥିର କରାଯିବ ଏବଂ ଆବଶ୍ୟକ ପଡ଼ିଲେ, ଏହାକୁ ବୁ୍ୟରୋ ଅଫ୍ କାଉନ୍ସିଲ୍କୁ ପଠାଯାଇପାରେ । ଫିଫା ସ୍ପଷ୍ଟ କରିଛି ଯେ ଏବେ ଧାର୍ଯ୍ୟ ସମୟରେ ଏହା ଭାରତରେ ଆୟୋଜନ ହୋଇପାରିବ ନାହଁ ।