ବିଲ୍କିସ୍ ଗଣଦୁଷ୍କର୍ମର ୧୧ ଦୋଷୀ ଖଲାସ

ଅହମଦାବାଦ,୧୬ା୮: ୨୦୦୨ ମସିହାର ଗୁଜରାଟ ଦଙ୍ଗା ସମୟରେ ଘଟିଥିବା ବିଲ୍କିସ୍ ବାନୋ ଗଣଦୁଷ୍କର୍ମ ମାମଲାର ୧୧ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଜେଲ୍ରୁ ମଙ୍ଗଳବାର ମୁକ୍ତି ଦେଇଛନ୍ତି । ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଥିବା ଏହି ୧୧ଜଣ ୧୪ ବର୍ଷ ପରେ ମୁକୁଳି ଜେଲ୍ ବାହାରକୁ ଆସିବାରୁ ସେମାନଙ୍କୁ ମିଠାଇ ଖୁଆଇ ସ୍ୱାଗତ କରାଯାଇଥିଲା । ଏହି ଘଟଣାକୁ ନେଇ ଗୁଜରାଟ ତଥା କେନ୍ଦ୍ର ସରକାରଙ୍କୁ କଂଗ୍ରେସ, ସିପିଏମ୍, ବିଏସ୍ପି ଓ ଏଆଇଏମ୍ଆଇଏମ୍ ନେତାମାନେ କଡ଼ା ସମାଲୋଚନା କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ଦାବି କରିଛନ୍ତି । କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଭାଷଣରେ ‘ନାରୀ ଶକ୍ତି’କୁ ପ୍ରଶଂସା କରିବାର କିଛି ଘଣ୍ଟା ପରେ ୧୧ ଜଣ ଦୁଷ୍କର୍ମ-ଦୋଷୀଙ୍କୁ ମୁକ୍ତି ଦିଆଯିବା ବିଜେପି ଶାସନରେ ‘ନୂଆ ଭାରତ’ର ‘ବାସ୍ତବ ଚିତ୍ର’ ।
ଆଜୀବନ କାରାବାସର ସମୟସୀମା (୧୪ ବର୍ଷ) ଶେଷ ହେବା ପରେ ୧୧ ଦୋଷୀ ରାଜ୍ୟ ସରକାରଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଥିଲେ । ସରକାରଙ୍କ ଦ୍ୱାରା ଗଠିତ ପାନେଲ୍ ଏମାନଙ୍କୁ ମୁକ୍ତ କରିବା ଲାଗି କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।
୨୦୦୨ ମାର୍ଚ୍ଚ ୩ ତାରିଖରୁ ଏହି ଘଟଣା ଦେଶସାରା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେ ସମୟରେ ପୀଡିତା ବିଲ୍କିସ୍ ବାନୋଙ୍କୁ ୨୧ ବର୍ଷ ବୟସ ହୋଇଥିଲା । ସେ ୫ ମାସର ଗର୍ଭବତୀ ଥିଲେ । ଗୁଜରାଟର ନୀମଖେଡ଼ା ଅଞ୍ଚଳରେ ମବ୍ଲିଞ୍ଚିଂରେ ବିଲ୍କିସ୍ଙ୍କ ୩ ବର୍ଷର ଝିଅ ସମେତ ତାଙ୍କ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିଲା । ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍କିସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବିଲ୍କିସ୍ ସାହାସର ସହ ମାମଲା ଲଢ଼ିଥିଲେ । ସେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ।
ପରବର୍ତ୍ତୀ ସମୟରେ ସୁପ୍ରିମ୍ କୋର୍ଟ ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ବିଲ୍କିସ୍ଙ୍କୁ ଅଭିଯୁକ୍ତମାନେ ହତ୍ୟା ଧମକ ଦେବାରୁ ମାମଲାକୁ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରାଯାଇଥିଲା ।
୨୦୦୮ ଜାନୁଆରୀ ୨୧ରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ । ୨୦୧୯ରେ ସୁପ୍ରିମ୍ କୋର୍ଟ ପୀଡିତା ବିଲ୍କିସ୍ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ଗୁଜରାଟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
କେନ୍ଦ୍ର ଓ ଗୁଜରାଟରେ ବିଜେପି ସରକାର ଅଛି, କିନ୍ତୁ ବିଲ୍କିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଦୋଷୀମାନଙ୍କୁ ଜେଲ୍ରୁ ଖଲାସ କରାଯିବା ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସାମଞ୍ଜସ୍ୟର ଅଭାବ ସାମ୍ନାକୁ ଆସିଛି । ସ୍ୱାଧୀନତାର ଅମୃତ ମହୋସôବ ଅବସରରେ ଅନେକ ଦିନ ଜେଲ୍ ଭୋଗୀଥିବା ଅପରାଧୀମାନଙ୍କୁ ମୁକ୍ତି ଦେବା ପାଇଁ ଜୁନ୍ ମାସରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଏ ସମ୍ବନ୍ଧୀୟ ଗାଇଡ୍ଲାଇନ୍ ଜାରି କରାଯାଇଥିଲା । ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, ଦୁଷ୍କର୍ମ ମାମଲାର ଦୋଷୀମାନଙ୍କୁ ମୁକ୍ତି ମିଳିବ ନାହିଁ । ଗୁଜରାଟ ସରକାର ଏହି ଦିଶାନିଦେ୍ର୍ଦଶକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଆଜୀବନ ଜେଲ୍ର ଅର୍ଥ ବଞ୍ଚôଥିବା ଯାଏ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ବିଭିନ୍ନ ଉଚ୍ଚ ଅଦାଲତ ଭିନ୍ନ ଭିନ୍ନ ସମୟରେ ରୁଲିଂ ଦେଇଥିଲେ ହେଁ ବିଲ୍କିସ୍ ମାମଲାରେ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ।
କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ବିଜେପିକୁ ଖୁବ୍ କଟାକ୍ଷ କରିଛନ୍ତି । ସେହିପରି ଏଆଇଏମ୍ଆଇଏମ୍ର ମୁଖ୍ୟ ଅସଦୁଦ୍ଦୀନ୍ ଓବେସୀ କଠୋର ଭାଷାରେ ଉଭୟ ଗୁଜରାଟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ମହିଳାଙ୍କ ସମ୍ମାନ ସମ୍ପର୍କରେ ବିଜେପି କେବଳ ଭାଷଣବାଜି କରୁଛି । ଯଦି ବିଲ୍କିସ୍ ମାମଲାର ଦୋଷୀମାନଙ୍କୁ ମୁକ୍ତି ଦିଆଗଲା, ନିର୍ଭୟା ମାମଲାର ଦୋଷୀମାନଙ୍କୁ ମୁକ୍ତି ଦିଆଯିବ କି ବୋଲି ଓବେସୀ ପ୍ରଶ୍ନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *