ଉଛୁଳୁଛି ଭାର୍ଗବୀ ଓ କୁଶଭଦ୍ରା
ପୁରୀ/ବଳଙ୍ଗା/ନିମାପଡ଼ା (ବୁ୍ୟରୋ): ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଲଗାଣବର୍ଷା ଲାଗି ରହିବା ଫଳରେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଶେଷ ଭାବେ ଆଜି ହୀରାକୁଦ ଜଳଭଣ୍ଡାରର ୪୦ ଗେଟ୍ ଖୋଲାଯାଇଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେବା ପରେ ଏବେ ଭାର୍ଗବୀ ନଦୀର ତଳତଳିଆ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଜିଲ୍ଲାର ଖାଲୁଆ ଅଞ୍ଚଳରେ ଜଳ ନିଷ୍କାସନ ହୋଇପାରି ନ ଥିବାବେଳେ ଏବେ ନଦୀରେ ବନ୍ୟା ଆସିବା ପରେ ଏବେ ସହରର ତଳିଆ ଓ ବସ୍ତି ଅଞ୍ଚଳରେ ପାଣି ଦାଣ୍ଡରେ ଲହଡ଼ି ମାରୁଛି ।
ଅନ୍ୟପକ୍ଷରେ ଭାର୍ଗବୀରେ ବନ୍ୟା ଜଳ ଆସିବା ଫଳରେ ପୁରୀ ସଦର ବ୍ଲକ୍ର ଅନେକ ଗ୍ରାମବାସୀ ଏବେ ପାଣିଘେରରେ ରହିଛନ୍ତି । ଏପରିକି ସେମାନଙ୍କ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ଅଣ୍ଟା ଉଚ୍ଚାରେ ପାଣି ପ୍ରଭାବିତ ହେଉଛି । ଫଳରେ ଲୋକମାନଙ୍କ ଯାତୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଏବେ ଉକ୍ତ ଅଞ୍ଚଳର ଲୋକଙ୍କ ଏକମାତ୍ର ସାହା ଭରସା ଡଙ୍ଗା ଓ ଟୁ୍ୟବ୍ । ଡଙ୍ଗାରେ ଲୋକମାନେ ବାହାରକୁ ଯିବାଆସିବା କରିବାକୁ ପଡୁଛି । ସେମାନଙ୍କ ନିକଟରେ ଏପର୍ଯ୍ୟନ୍ତ ପ୍ରଶାସନର ଅଧିକାରୀମାନେ ପହଞ୍ଚô ପାରିନାହାନ୍ତି ।
ଏନେଇ ବନ୍ୟା ପୀଡ଼ିତ ଛବି ରାଉତ କୁହନ୍ତି, ଆମ୍ଭେ ଆଜକୁ ୪ରୁ ୫ଦିନ ହେଲାଣି ପାଣିଘେରରେ ରହିଛୁ । ଘରେ ରୋଷେଇ କରିପାରୁନୁ । ଫଳରେ ଛୋଟ ପିଲାମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି ।
ସେହିପରି ନୂଆଗାଁର ଶାନ୍ତି ପରିଡ଼ା କୁହନ୍ତି, ପାଣିଘେରରେ ରହିବାର ଏତେ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସହାୟତା ନାହିଁ କି ଶୁଖିଲା ଖାଦ୍ୟ ନାହିଁ, କେବଳ ଦିଆଯିବ ବୋଲି କହୁଛନ୍ତି । ଗୋରୁଗାଈମାନେ ଖାଦ୍ୟ ନ ଖାଇ ମଧ୍ୟ ସେମାନେ ଡହଳବିକଳ ହେଉଛନ୍ତି । ପାଣିଘେରରେ ରହିବା ଦ୍ୱାରା ସାପଙ୍କ ପ୍ରାଦୁର୍ଭାବ ବଢୁଛି । ତେଣୁ ରାତିସାରା ଉଜାଗର ରହିବାକୁ ପଡୁଛି ।
ନଦୀରେ ବନ୍ୟା ଆସିବା ଦ୍ୱାରା ମଙ୍ଗଳାଘାଟ ନିକଟରେ ଥିବା ସୁଜାତାନଗରର ବାସିନ୍ଦାମାନେ ଏବେ ପାଣିଘେରରେ । ଘରୁ ବାହାରିବାକୁ ହେଲେ କଦଳୀ ଭେଳା ବା ଟୁ୍ୟବ୍ ସାହା ପାଲଟିଛି । ଏ ସମସ୍ୟା ଦୀର୍ଘଦିନର ହୋଇଥିଲେ ମଧ୍ୟ ପ୍ରଶାସନର ଅବହେଳା ପାଇଁ ପ୍ରତିବର୍ଷ ବର୍ଷା ଦିନରେ ବସ୍ତିବାସିନ୍ଦାମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ସେମାନଙ୍କ ସମସ୍ୟା ସମାଧାନ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଉଥିବା ବେଳେ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉ ନାହିଁ ।
ହୀରକୁଦ୍ ଡ୍ୟାମ୍ରୁ ଗେଟ୍ ଖୋଲା ହେବା ପରେ ଏବେ ଭାଗର୍ବୀ ନଦୀର ତଳିଆ ଓ ନଦୀବନ୍ଧ କୂଳରେ ରହିଥିବା ହଜାର ହଜାର ଲୋକ ଏବେ ଆତଙ୍କରେ ରହିଛନ୍ତି । ଭାର୍ଗବୀ ନଦୀର ଗବକୁଣ୍ଡ କଟ୍ଠାରେ ନୂଆନଈରେ ୯୦ ପ୍ରତିଶତ ଜଳ ପ୍ରବାହିତ ହେଉଥିବା ବେଳେ ମାତ୍ର ୧୦ ପ୍ରତିଶତ ଜଳ ପୁରୁଣା ଭାର୍ଗବୀ ନଦୀରେ ପ୍ରବାହିତ ହେଉଛି । ବିଶେଷ ଭାବେ ଏବେଠାରୁ ନରୁଡ଼ା, ନାହାମଙ୍ଗା, ସମ୍ଭୁଭାରତୀପାଟଣା, ଚକବଳଙ୍ଗା, ଗୋପୀନାଥପୁର, ପାର୍ବତୀପୁର, ଗୋଲାସାହି, ମୁକୁଳଦାଶପୁର, କଣ୍ଟୁଣିଆ ଗ୍ରାମ ନିକଟରେ ଘଳିଆ ପଡ଼ିଥିବା ଦେଖିବାକୁ ମିଳିଛି ।
ସେହିଭଳି କୁଶଭଦ୍ରା ନଦୀର କୁଶୁପୁରୁ ଠାରେ ଏକ ବଡ଼ଘଳିଆ ପଡ଼ିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କୁଶଭଦ୍ରାର ଉଭୟ ପାଶ୍ୱର୍ରେ ନଦୀବନ୍ଧ ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ଅନେକ ସ୍ଥାନରେ ଘଳିଆ ପଡ଼ିଛି । ପ୍ରଶାସନିକ ଅଧିକାରୀଙ୍କ ଦେଖା ନ ଥିବା ବେଳେ ଗ୍ରାମବାସୀ ରାତି ଉଜାଗର ରହି ଘଳିଆକୁ ଜଗି ରହିଛନ୍ତି । ଫଳରେ ଗ୍ରାମବାସୀ ଏକତି୍ରତ ହୋଇ ନିଜ ନିଜ ଗ୍ରାମଠାରେ ବାଲିବସ୍ତାକୁ ଆବଦ୍ଧ କରି ଘଳିଆକୁ ବନ୍ଦ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ବଡ଼ଦୁଃଖର ବିଷୟ ଏଭଳି ସମୟରେ ସେମାନଙ୍କ ନିକଟରେ ବିଭାଗୀୟ ଅଧିକାରୀ ବା ପ୍ରଶାସନିକ ଅଧିକାରୀଙ୍କ ଦେଖାନାହିଁ ।
ସେହିପରି ନିମାପଡ଼ା ବ୍ଲକ୍ ଧନୁଆ ପଞ୍ଚାୟତର ୮ରୁ ୧ଠଟି ଗ୍ରାମ, ଶାଇଁସଶାସନ ପଞ୍ଚାୟତର ତୋରିହାଁବନ୍ଧ, ତେଲିସାହି, ରାବଣାସାହି ଓ ବଡ଼ମାଛପୁର ପଞ୍ଚାୟତର ବଡ଼ମାଛପୁର, କେରାଣ୍ଡିବିନ୍ଧା, ଅଲଣ୍ଡା, ବଡ଼ସିରୁବିଳା, କୋଠକୁସାଙ୍ଗ ଏବଂ ବାମନାଳ ପଞ୍ଚାୟତର ଅନେକଗୁଡ଼ିଏ ଗାଁର ଚାଷଜମି ଜଳମଗ୍ନ ହୋଇ ରହିଛି । କୁଶଭଦ୍ରା ନଦୀର ଡାହାଣ ପାଶ୍ୱର୍ ନଦୀବନ୍ଧର ଡେଣୁଅଁ ପଞ୍ଚାୟତ ଅଫିସ୍ ପାଖରେ ଏବଂ ଆଳିପିଙ୍ଗଳ ମଶାଣି ପାଖରେ ଦୁଇଟି ସ୍ଥାନରେ ଘଳିଆ ପଡ଼ିଥିବା ଜଣାଯାଇଛି ।