ଆନ୍ତର୍ଜାତିକ କ୍ରିକେଟ୍ରୁ କେଭିନ୍ଙ୍କ ଅବସର
ଡବଲିନ୍, ୧୬ା୮ (ଏଜେନ୍ସି): ଆୟରଲାଣ୍ଡର ଅଲ୍ରାଉଣ୍ଡର୍ କେଭିନ୍ ଓ’ବ୍ରାଏନ୍ ମଙ୍ଗଳବାର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ ଟିମ୍ରେ ସ୍ଥାନ ପାଇବା ଦୌଡ଼ରୁ ବାଦ୍ ପଡ଼ିବା ପରେ ସେ ନିଜ କ୍ୟାରିଅରକୁ ନେଇ ଚରମ ନିଷ୍ପତ୍ତି ନେଇଥିଲେ ।
୩୮ବର୍ଷୀୟ କେଭିନ୍ ତାଙ୍କର ୧୬ ବର୍ଷର ଆନ୍ତର୍ଜାତିକ କ୍ୟାରିଅରରେ ତିନି ଟେଷ୍ଟ, ୧୫୩ ଦିନିିକିଆ ଆନ୍ତର୍ଜାତିକ ଓ ୧୧୦ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ସେ ଅନେକ ଇଂଲିଶ୍ କାଉଣ୍ଟି କ୍ଲବ୍ ଓ ଟି-୨୦ ଫ୍ରାଞ୍ଚାଇଜୀ ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।
କେଭିନ୍ ଟ୍ୱିଟରରେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ଘୋଷଣା କରିଥିଲେ । ଅବସର ଘୋଷଣା ଅବସରରେ ସେ କ୍ଷୋଭର ସହ ଲେଖିଛନ୍ତି ଯେ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପରେ ନିଜ କ୍ୟାରିଅରର ଅନ୍ତ ଘଟାଇବାକୁ ଚାହୁଁଥିଲେ । କିନ୍ତୁ ଆୟରଲାଣ୍ଡ ଟିମ୍ରେ ଗତବର୍ଷର ବିଶ୍ୱକପ୍ ଠାରୁ ତାଙ୍କର ଚୟନ ହୋଇ ନାହିଁ । ତାଙ୍କୁ ମନେ ହେଉଛି ଯେ ଚୟନକାରୀ ଓ ମ୍ୟାନେଜ୍ମେଣ୍ଟ ଅନ୍ୟଆଡ଼େ ଚାହୁଁଛନ୍ତି ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ସେ ଆୟରଲାଣ୍ଡ ପକ୍ଷରୁ ଖେଳିବା ସମୟରେ ପ୍ରତି ମିନିଟ୍କୁ ଉପଭୋଗ କରିଛନ୍ତି । ଜାତୀୟ ଟିମ୍ ସହ ତାଙ୍କର ଅନେକ ସ୍ମରଣୀୟ ମୁହୂର୍ତ୍ତ ରହିଛି ।
୨୦୧୧ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ଆୟରଲାଣ୍ଡର ପ୍ରସିଦ୍ଧ ବିଜୟରେ କେଭିନ୍ଙ୍କ ପ୍ରମୁଖ ଅବଦାନ ଥିଲା । ସେ ୫୦ ବଲ୍ରୁ ଶତକ ଲଗାଇଥିଲେ, ଯାହାକି ଏବେ ବି ଟୁର୍ଣ୍ଣାମେଣ୍ଟର ଦ୍ରୁତତମ ଶତକ । କେଭିନ୍ ଆୟରଲାଣ୍ଡ ପକ୍ଷରୁ ମୋଟ୍ ୯,୦୪୮ ଆନ୍ତର୍ଜାତିକ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଦେଶର ପ୍ରଥମ ଟେଷ୍ଟ ଶତକ ବି ରହିଛି । ସେ ୨୦୧୮ରେ ପାକିସ୍ତାନ ବିପକ୍ଷ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ୧୧୮ ରନ୍ କରିଥିଲେ । କେଭିନ୍ ୨୭୬ ଆନ୍ତର୍ଜାତିକ ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି ।