ମକରା ନଈରେ ୪ଠ ଫୁଟ ଘାଇ
ପୁରୀ/ କଣାସ (ବୁ୍ୟରୋ/ ଆପ୍ର): ମହାନଦୀରେ ବନ୍ୟା ଆସି ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ତାଣ୍ଡବ ସୁଷ୍ଟି ହୋଇଛି । ମକରା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ମଙ୍ଗଳବାର ସକାଳେ ଚୁପୁରିଙ୍ଗ୍ ପଞ୍ଚାୟତ ଅଞ୍ଚଳରେ ୪୦ ଫୁଟର ଘାଇ ହୋଇଛି । ଫଳରେ ୬ ପଞ୍ଚାୟତର ପ୍ରାୟ୨୦ହଜାରରୁ ଊଦ୍ଧ୍ୱର୍ ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି । ଘରେ ବନ୍ୟାଜଳ ଲହଡି ମାରୁଥିବା ଦେଖିବାକୁ ମିଳିଛି । ବିଶେଷକରି ଚୁପୁରିଙ୍ଗ୍, କଉଡିଆପୁର, ପାଇଲୁଣ୍ଡି, କାଦୁଆପଞ୍ଚାୟତର ସୁନାଖଳା, ଭାଟପଡା, ସାହୁପଡା ପଞ୍ଚାୟତର ସାହୁପଡା,ଶିରୁଳି, ବନ୍ଧମୁଣ୍ଡା, ବେଢାତୁଣ୍ଡ, ଅଞ୍ଜିରା, ବାଲିପଡା, ବକୁ ପଞ୍ଚାୟତର ସିରିପୁର, ଶ୍ରୀମୁକୁନ୍ଦପୁର, ନନ୍ଦପୁର ଓଟଣମଣ ଗାଁ ଜଳପ୍ଳାବିତ ହୋଇଛି । ବିଶେଷଭାବେ ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର ଓ ପାଣ୍ଡିଆକେରା ପଞ୍ଚାୟତର ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି ।
ଖବରପାଇ ସ୍ଥାନୀୟ ତହସିଲଦାର ସ୍ମୃତିରଞ୍ଜନ ଶତପଥି, ବିଡିଓ ଲୋଚନ ଦାଶ, ଗଡିଶାଗଦା ଥାନାଅଧିକାରୀ ନାରାୟଣ ଲେଙ୍କା ଓ କଣାସ ଥାନା ଅଧିକାରୀ ସୁଜିତ୍ କୁମାର ଦାସ ପହଞ୍ଚି ଘାଇ ବନ୍ଦ ଲାଗି ଦୀର୍ଘ ସମୟ କସରତ କରିଥିଲେ । ହେଲେ ଜଳସ୍ରୋତ ତୀବ୍ର ଥିବାରୁ ସେମାନେ ବିଫଳ ହୋଇଥିଲେ । ଖବର ପାଇ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଜେପିର ବିଧାୟକପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧକ୍ୟାନ କରିବା ସହିତ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷରେ ବନ୍ୟା ପୂର୍ବରୁ ଦୁର୍ବଳ ଥିବା ନଦୀବନ୍ଧ ମରାମତି କରା ନ ଯିବାରୁ ଏବେ ସ୍ଥିତି ସଙ୍ଗୀନ ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ସକାଳେ ଘାଇ ହେବା ମାତ୍ରେ ଯଦି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଥାନ୍ତା ତେବେ ପରିସ୍ଥିତି ଭୟଙ୍କର ହୋଇ ନ ଥାନ୍ତା । ପ୍ରତିବର୍ଷ ବନ୍ୟା ଆସିଲେ ଲୋକେ ଦୁର୍ଦ୍ଦଶା ଭୋଗିଥାନ୍ତି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁନ୍ଦ୍ରିକା ଯୋଗୁ ଜନସାଧାରଣ ଦୁଃଖ ଭୋଗୁଛନ୍ତି ବୋଲି ଅଭିଯୋଗ ହୋଇଛି ।