ମହାନଦୀରେ ବନ୍ୟା

ଭୁବନେଶ୍ୱର, ୧୪ା୮ (ବୁ୍ୟରୋ): ୨ ଦିନ ତଳେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ଆସିବ ବୋଲି କହିଥିଲେ । ରବିବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ ଏସ୍ଆର୍ସି ଶ୍ରୀ ଜେନା ଏହି ସୂଚନା ଦେଇଛନ୍ତି । ଗତ ୨ଦିନ ଧରି ଲଘୁଚାପ ଜନିତ ଯେଉଁ ବର୍ଷା ଲାଗି ରହିଛି, ତା’ ପ୍ରଭାବରେ ରାଜ୍ୟର କିଛି ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷତଃ ମହାନଦୀ ଅବବାହିକାରେ ଏହି ସମ୍ଭାବ୍ୟ ବନ୍ୟା ସ୍ଥିତି ଅଧିକ ରହିଛି । ଆଜି ପର୍ଯ୍ୟନ୍ତ ଯାହା ବର୍ଷା ହୋଇଛି ଓ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ନେଇ ଯେଉଁ ଆକଳନ କରାଯାଇଛି, ତାକୁ ବିଚାରକୁ ନେଲେ ମହାନଦୀରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ ବୋଲି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି ।
୧୪ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ, ନରାଜରେ ମହାନଦୀର ଜଳସ୍ତର ବୃଦ୍ଧିପାଉଥିବାବେଳେ ବିପଦ ସଙ୍କେତ ନିକଟତର ହୋଇଛି । ସେହିପରି ଦେବୀ ଓ କୁଶଭଦ୍ରାର ଜଳସ୍ତର ମଧ୍ୟ ବୃଦ୍ଧିପାଉଛି । ପାନପୋଷରେ ବ୍ରାହ୍ମଣୀ ଜଳସ୍ତର କମୁଥିବାବେଳେ ଜେନାପୁରରେ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧିପାଉଛି । ଆନନ୍ଦପୁର ଓ ଆଖୁଆପଦାରେ ବୈତରଣୀର ଜଳସ୍ତର ବୃଦ୍ଧିପାଉଥିବାବେଳେ ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଟପିଛି । ସେହିପରି ଏନ୍ଏଚ୍୫ରେ ବୁଢ଼ାବଳଙ୍ଗର ଜଳସ୍ତର ବୃଦ୍ଧିପାଉଥିବାବେଳେ ସୁନ୍ଦରଗଡ଼ରେ ଇବ୍ ନଦୀର ଜଳସ୍ତର ଏବେ କମିବାରେ ଲାଗିଛି । ବଡ଼କଥା ହେଉଛି ସୁବରର୍ଣ୍ଣରେଖା ନଦୀ ଏବେ ଫୁଲିବାରେ ଲାଗିଛି । ଜମଶୋଲ ଘାଟ ଓ ରାଜଘାଟ ଉଭୟରେ ସୁବର୍ଣ୍ଣରେଖାର ଜଳସ୍ତର ବଢ଼ିବାରେ ଲାଗିଛି । ଗୁଣୁପୁର ଓ କାଶିପୁରରେ ବଂଶଧାରାର ଜଳସ୍ତର ବଢ଼ୁଥିବାବେଳେ ଋଷିକୁଲ୍ୟା ଓ ଜଳକାର ଜଳସ୍ତର ମଧ୍ୟ ବୃଦ୍ଧିପାଉଛି । ଜଳକା ନଦୀର ଜଳସ୍ତର ଗତ ୩ ଦିନ ହେବ ବିପଦ ସଙ୍କେତ ଉପରେ ଥିବା ନଜରକୁ ଆସିଛି ।
ରିପୋର୍ଟ ଲେଖା ହେବା ସୁଦ୍ଧା ହୀରାକୂଦ ଜଳଭଣ୍ଡାରର ଜଳସ୍ତର ୬୧୭.୩୩ ଥିବାବେଳେ ସେକେଣ୍ଡକୁ ୭,୩୫,୧୮୭ କୁ୍ୟସେକ୍ ଜଳ ପ୍ରବଶେ କରୁଛି ଓ ୫,୬୩,୫୭୩ କୁ୍ୟସେକ୍ ଜଳ ନିଷ୍କାସିତ ହେଉଛି । ବିଶେଷ କରି ଖଇରମାଳରେ ଏବେ ୯.୪୮ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେଉଥିବାବେଳେ ବାରମୂଳରେ ୮.୪ ଲକ୍ଷ କୁ୍ୟସେକ ଓ ମୁଣ୍ଡଳୀରେ ୬,୩୭ ଲକ୍ଷ କୁ୍ୟସେକ୍ ଜଳ ପ୍ରବାହିତ ହେଉଛି । ସେପଟେ ତେଲ ନଦୀରୁ ବେଶି ପାଣି ଆସୁ ନାହିଁ । ସେଥିରୁ ମାତ୍ର ଲକ୍ଷେ ୩୫ ହଜାର କୁ୍ୟସେକ ପାଣି ଆସୁଛି । ତେଣୁ ଅଧିକ ପାଣି ଆସୁଛି ହୀରାକୁଦ ଡ୍ୟାମ୍ରୁ । ହୀରାକୁଦରୁ ସୋନପୁର ଭିତରେ ଥିବା ଜୀରା, ରାଞ୍ଜୋର ଓ ଅଙ୍ଗ ଆଦି ନଦୀରୁ ମଧ୍ୟ ପାଣି ଆସୁଛି । ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ସରାଢିହିଠାରେ ପାଖାପାଖି ୬ ଲକ୍ଷ ୫୭ ହଜାର କୁ୍ୟସେକ ଜଳ ପାସ୍ କରୁଛି । ଆସନ୍ତାକାଲି ପାଇଁ ଯେଉଁ ଆକଳନ କରାଯାଇଛି, ମହାନଦୀ ଓ ତେଲ ଅବବାହିକାରେ ବର୍ଷା ଅଛି । ଉପକୂଳରୁ ବର୍ଷା ଧୀରେ ଧୀରେ କମି ସେପଟୁ ଅଧିକ ହେବ । ହୀରାକୁଦରେ ଏବେ ୩୪ଟି ଗେଟ୍ ଖୋଲା ଅଛି । ବର୍ତ୍ତମାନ ଆଉ ଅଧିକ ଗେଟ୍ ଖୋଲା ଯିବ ନାହିଁ । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର କିଛି ଅଂଶ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ତାଙ୍କର ସିନିୟର ଚିଫ୍ ଇଞ୍ଜିନିୟର ଓ ସିନିୟର ଇଞ୍ଜିନିୟରଙ୍କୁ ଏସବୁ ଜିଲ୍ଲା ଗୁଡ଼ିକୁ ପଠାଇଛନ୍ତି । ସେମାନେ ସେଠାରେ ନଦୀବନ୍ଧଗୁଡ଼ିକର ତଦାରଖ କରିବା ସହ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ । ଏହାସହ ୭ ଓଡ୍ରାଫ୍ ଟିମ୍, ୩ ଏନ୍ଡିଆର୍ଏଫ୍ ଟିମ୍ ଓ ୧୨ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯିବ । ବର୍ତ୍ତମାନ ପାଇଁ ଏହି ନିଷ୍ପତ୍ତି ହୋଇଛି । ଆବଶ୍ୟକ ହେଲେ ଅଧିକ ଟିମ୍କୁ ମୁତୟନ କରାଯିବ ବୋଲି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି । ନଦୀକୂଳିଆ ଓ ତଳିଆ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଉଛି । ଆବଶ୍ୟକ ହେଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି ।
ଜଳସମ୍ପଦ ମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟାସ୍ଥିତି ସମୀକ୍ଷା
ରାଜ୍ୟରେ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା ଏସ୍ଆର୍ସି ପ୍ରଦୀପ ଜେନା ସ୍ପଷ୍ଟ କରିବା ପରେ ଚିନ୍ତା ବଢିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ମହାନଦୀ ସମେତ ଏହାର ଏକାଧିକ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଛି ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବିଭାଗ ଆଲର୍ଟ ଥିବା ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *