ଓପନିଂକୁ ଫେରିବେ ରାହୁଲ

ଭାରତ-ଜିମ୍ବାୱେ ଦିନିକିଆ ଶୃଙ୍ଖଳା
ନୂଆଦିଲ୍ଲୀ, ୧୪ା୮ (ଏଜେନ୍ସି): ଜିମ୍ବାୱେ ବିପକ୍ଷ ଦିନିକିଆ ଶୃଙ୍ଖଳା ଲୋକେଶ ରାହୁଲଙ୍କ ପାଇଁ ଏସିଆ କପ୍ ପୂର୍ବରୁ ଡ୍ରେସ୍ ରିହର୍ସାଲ୍ ହେବ । ସେ ଓପନିଂ ସ୍କଟ୍ରେ ଶୁଭମନ ଗିଲ୍ଙ୍କୁ ହଟାଇ ଶିଖର ଧାବନ୍ଙ୍କ ସହ ଇନିଂସ୍ ଆରମ୍ଭ କରିବା ନିଶ୍ଚିତ ।
ଟି-୨୦ ବିଶ୍ୱକପ୍ ଫୋକସ୍ରେ ଥିବାରୁ ଏବଂ କ୍ଷୁଦ୍ରତମ ଫର୍ମାଟ୍ ପାଇଁ ଗିଲ୍ଙ୍କୁ ବିଚାରକୁ ନିଆଯାଉ ନ ଥିବାରୁ ତାଙ୍କୁ ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯାଇପାରେ । ଏହା ଫଳରେ ତାଙ୍କ ଅଧିନାୟକ ରାହୁଲଙ୍କୁ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ମହାଦେଶୀୟ ପ୍ରତିଯୋଗିତା ପୂର୍ବରୁ ଖେଳିବା ପାଇଁ ଅଧିକ ସମୟ ମିଳିପାରିବ ।
୧୮ରୁ ହରାରେ ଠାରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ର ଶୃଙ୍ଖଳା ପାଇଁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଉପସ୍ଥିତ ନାହାନ୍ତି, ଦାୟିତ୍ୱରେ ଥିବା ଏନ୍ସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ମୁଖ୍ୟ କୋଚ୍ଙ୍କ ଦ୍ୱାରା ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟକୁ ଅନୁସରଣ କରିପାରନ୍ତି ।
ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଯୁବ ଖେଳାଳି ଗିଲ୍ଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ, ଯିଏକି ୱେଷ୍ଟଇଣ୍ଡିଜ୍ ଗସ୍ତରେ ୫୦-ଓଭର୍ ଶୃଙ୍ଖଳାରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୬୪, ୪୩ ଓ ଅପରାଜିତ ୯୮ ରନ୍ର ଇନିଂସ୍ ଖେଳିଥିଲେ ଏବଂ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ ।
ତେଣୁ ରାହୁଲ, ଗିଲ୍ଙ୍କୁ ଶୀର୍ଷ କ୍ରମରେ ତାଙ୍କ ଉତ୍ତମ ଫର୍ମକୁ ବଜାୟ ରଖିବା ପାଇଁ ସୁଯୋଗ ଦେବେ କି ନା ଏସିଆ କପ୍କୁ ଦୃଷ୍ଟିରେ ରଖି ଖୋଦ୍ ଓପନିଂ କରିବେ?
ପୂର୍ବତନ ଜାତୀୟ ଚୟନକାରୀ ତଥା ଟେଷ୍ଟ ଓପନର୍ ଦେବାଙ୍ଗ ଗାନ୍ଧୀ ଏ ସମ୍ପର୍କରେ କହିଛନ୍ତି ଯେ ତାଙ୍କ ବିଚାରରେ ଶୁଭମନ ଭାରତୀୟ ଟିମ୍ ମ୍ୟାନେଜ୍ମେଣ୍ଟ ଦ୍ୱାରା ଠିକ୍ ବାଟରେ ଅଗ୍ରସର ହେଉଛନ୍ତି । ଯେତେବେଳେ ସେ କାରିବୀୟ ଦିନିକିଆଗୁଡ଼ିକରେ ବହୁତ ଭଲ ଖେଳିଛନ୍ତି, ତାଙ୍କ ଟିମ୍ର ମନସ୍ତତ୍ତ୍ୱ କହୁଛି ଯେ ତାଙ୍କୁ ବିଭିନ୍ନ ସ୍ଥାନ ପାଇଁ ପ୍ରସ୍ତୁତ କରାଯିବ । ତେଣୁ ଏହି ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ ତାଙ୍କ ବିଚାରରେ ଶୁଭମନ ତିନି ନମ୍ବରରେ ଆସିପାରନ୍ତି ।
ଅନ୍ୟତମ ପୂର୍ବତନ ଭାରତୀୟ ଖେଳାଳି ତଥା ବର୍ତ୍ତମାନ ଭାଷ୍ୟକାର ଥିବା ଦୀପ ଦାସଗୁପ୍ତା ମଧ୍ୟ ଏଥିରେ ସହମତ ହୋଇଛନ୍ତି । ଦୀପଙ୍କ କହିବାନୁଯାୟୀ, ଏବେ ରାହୁଲଙ୍କୁ ଏସିଆ କପ୍ ଟି-୨୦ରେ ଓପନିଂ ସ୍ଲଟ୍ ପାଇଁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଛି । ତାଙ୍କୁ ଅଧିକ ବ୍ୟାଟିଂ ସମୟ ଦରକାର । ଏହା ଏକ ସ୍ୱଳ୍ପ-ଅବଧି ବ୍ୟବସ୍ଥା । ଶୁଭମନଙ୍କୁ ଦିନିକିଆ ବିଶ୍ୱକପ୍ରେ ଓପନର୍ ଭାବେ ପ୍ରସ୍ତୁତ କରାଯାଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *