ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ମାରିଦେଲେ ଶିକ୍ଷକ
ରାଜସ୍ଥାନରେ ଭୀମ ଆର୍ମିର ବିକ୍ଷୋଭ, ପୁଲିସର ଲାଠିଚାର୍ଜ
ଜୟପୁର (ଏଜେନ୍ସି): ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ୯ ବର୍ଷର ଦଳିତ ଶିଶୁକୁ ସ୍କୁଲ ଶିକ୍ଷକ ମାଡ଼ ମାରିବା ଏବଂ ଏଥିରେ ଛାତ୍ରର ମୃତୁ୍ୟ ହେବା ଘଟଣାକୁ ନେଇ ରାଜସ୍ଥାନରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।
୨୪ ଦିନ ପୂର୍ବେ ସ୍କୁଲ ପରିସରରେ ଶିକ୍ଷକମାନଙ୍କ ପାଇଁ ରଖାଯାଇଥିବା ପାଣି ମାଠିଆରୁ ପାଣି କାଢ଼ି ପିଇବା କାରଣରୁ ଅଭିଯୁକ୍ତ ଶିକ୍ଷକଜଣକ ଛାତ୍ରକୁ ପ୍ରବଳ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨୪ ଦିନର ଚିକିତ୍ସା ସତ୍ତ୍ୱେ ଛାତ୍ରକୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିସାରିଛି । ଏହି ଘଟଣାକୁ କେନ୍ଦ୍ର କରି ଭୀମ ଆର୍ମି ସମର୍ଥକମାନେ ରବିବାର ଦିନ ଏଠାରେ ହୋହଲ୍ଲା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବା ଦେଖି ପୁଲିସ୍ ଏମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିବା ବେଳେ ଭୀମ ଆର୍ମିର ସଦସ୍ୟମାନେ ପୁଲିସ କର୍ମଚାରୀଙ୍କ ଉପରକୁ ଟେକାପଥର ମାଡ଼ କରିଛନ୍ତି । ପୁଲିସ୍ ଲାଠିଚାର୍ଜ କରିଛି । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ।
ପୂର୍ବତନ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ରାଜ୍ୟ ସରକାର ତଥା ପ୍ରଶାସନ ପକ୍ଷରୁ ପୀଡ଼ିତଙ୍କ ପରିବାର ଲୋକଙ୍କୁ ସବୁପ୍ରକାର ସାହଯ୍ୟ ସହଯୋଗ ଯୋଗାଇଦେବାକୁ ଅପିଲ୍ କରିଛନ୍ତି । ଏଥିସହ ଉତ୍ତ୍ୟକ୍ତଙ୍କୁ ମଧ୍ୟ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି । ପ୍ରକାଶ ମୁୂଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପୀଡ଼ିତଙ୍କ ପରିବାରକୁ ଇତି ମଧ୍ୟରେ ୫ଲକ୍ଷ ଟଙ୍କା ଘୋଷଣା କରାଯାଇସାରିଛି ।