ନାଟମଣ୍ଡପ ଉପରକୁ ଚଢ଼ିଲେ ଯୁବକ
ଶ୍ରୀମନ୍ଦିର ପରିସରରେ ପୁଣି ଅଭାବନୀୟ ଘଟଣା
ପୁରୀ (ବୁ୍ୟରୋ): ରବିବାର ପୁଣି ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଶ୍ରୀମନ୍ଦିର ଉପରକୁ ଚଢ଼ିଲେ ଜଣେ ଯୁବକ । ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଥିଲେ । ଏହା ଦେଖି ଚୁନରା ସେବାୟତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ୱାର ଥାନାରେ ଜିମା ଦିଆଯାଇଥିଲା । ପୁଲିସ୍ ଉକ୍ତ ଯୁବକକୁ ଥାନାରେ ଅଟକ ରଖିଛି । ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜିତୁ ଗୌଡ଼ । ଯୁବକ ଜଣକ କାହିଁକି ଚଢ଼ିଲେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ପୁଲିସ୍ ଛାନ୍ଭିନ୍ ଜାରି ରଖିଛି । ଘଟଣା ଘଟିବାର ଦୀର୍ଘ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ କରାଯାଇ ନ ଥିଲା । ଫଳରେ ପୁଲିସ୍ ଯୁବକକୁ ଅଟକ ରଖି ଏବେ ଦ୍ୱନ୍ଦ୍ୱରେ ରହିଛି । ଅନ୍ୟପକ୍ଷରେ ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ ସିଂହଦ୍ୱାର ଥାନାରେ ପହଞ୍ଚô ଘଟଣା କିପରି ଘଟିଲା ସେ ନେଇ ଯୁବକଙ୍କୁ ପଚରାଉଚରା କରିଛନ୍ତି । ସେପଟେ ଶ୍ରୀମନ୍ଦିର ଉପରେ ଚଢ଼ିବା ହେଉଛି ଚତୁର୍ଥ ଘଟଣା ।
ସୂଚନାଥାଉକି ପୂର୍ବରୁ ଗତ ୨୦୧୯ ମସିହା ଏପ୍ରିଲ୍ରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ପତିତପାବନ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଥିଲା । ନିଜ ଗାମୁଛାକୁ ସେଠାରେ ବାନ୍ଧି ଫେରିଥିଲା । ସେହିଭଳି ଗତ କିଛି ମାସ ତଳେ ଲଗାତାର ଭାବେ ଅନ୍ୟ ଜଣେ ଯୁବକ ନାଟମଣ୍ଡପରେ ଚଢ଼ିଥିବା ବେଳେ ଅନ୍ୟଜଣେ କିନ୍ନର ସିଂହଦ୍ୱାର ଗୁମୁଟରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଫଳରେ ବାରମ୍ବାର ଅଘଟଣ ଘଟୁଥିଲେ ସୁଦ୍ଧା ପ୍ରଶାସନ ଚେତିବାର ନାଁ ଧରୁନି । ଶ୍ରୀମନ୍ଦିରକୁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ଦିଆଯାଉଥିଲେ ସୁଦ୍ଧା କିଭଳି ମନ୍ଦିର ଉପରକୁ ଚଢ଼ୁଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି ।