ଏକ ଭାରତ, ଶ୍ରେଷ୍ଠ ଭାରତ ସହ ଦେଶ ଆଗକୁ ବଢ଼ୁଛି
ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମ୍ବୋଧନ
ନୂଆଦିଲ୍ଲୀ (ଏଜେନ୍ସି): ୭୬ତମ ସ୍ୱାଧୀନତା ଦିବସ ପାଳନର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ସମ୍ବୋଧନ । ନିଜ ସମ୍ବୋଧନ ପ୍ରାରମ୍ଭରେ ସେ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ୨ଠ୪୭ ସୁଦ୍ଧା ଦେଶର ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସମ୍ପୂର୍ଣ୍ଣ ରୂପେ କରିବା ଦିଗରେ ଭାରତ ସଫଳ ହେବ ବୋଲି ଆଶାବାଦୀ ରହିଥିବା କହିଛନ୍ତି ।
ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ରାଷ୍ଟ୍ରପତି ଭାବେ ସେ ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏତଦ୍ବ୍ୟତୀତ ଅଗଷ୍ଟ ୧୪କୁ ବିଭାଜନ-ବିଭୀଷିକା ସ୍ମୃତି-ଦିବସ ରୂପେ ପାଳନ କରାଯାଉଥିବା ବେଳେ ରାଷ୍ଟ୍ରପତି ଏସମ୍ପର୍କରେ ନିଜ ଭାଷଣରେ କହିଛନ୍ତି । ମୁର୍ମୁଙ୍କ ଅନୁସାରେ ଏହି ସ୍ମୃତି ଦିବସକୁ ପାଳିବାର ଉଦେ୍ଦଶ୍ୟ ହେଉଛି ସାମାଜିକ ସଦ୍ଭାବ, ମାନବ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା । ରାଷ୍ଟ୍ରପତି ନିଜ ଭାଷଣରେ କରୋନା ମହାମାରୀ ପ୍ରସଙ୍ଗ ଉଠାଇବା ସହ ଟିକାକରଣ କ୍ଷେତ୍ରରେ ଭାରତର ସଫଳତାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏତଦ୍ବ୍ୟତୀତ ଅର୍ଥବ୍ୟବସ୍ଥା ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଭାରତର ଜୟଯାତ୍ରା ସମ୍ପର୍କରେ ରାଷ୍ଟ୍ରପତି ନିଜ ଭାଷଣରେ କହିଥିଲେ । ଦ୍ରୌପଦୀ ମୁର୍ମୁଙ୍କ କହିବାନୁସାରେ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥବ୍ୟବସ୍ଥା ତଥା ଏହା ସହ ଜଡିତ ଅନ୍ୟ କ୍ଷେତ୍ରରେ ଯେଉଁ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି ସେସବୁର ମୂଳରେ ସୁଶାସନ ରହିଛି । ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରୟାସ ଜାରି ରହିଛି । ସେହିପରି ସମାଜରୁ ଲିଙ୍ଗଗତ ଅସମାନତା ଦୂର ହୋଇଛି । ଏକ ଭାରତ..ଶ୍ରେଷ୍ଠ ଭାରତ ସହ ଦେଶ ଆଗକୁ ବଢ଼ୁଛି । ଆମର ଲଢ଼େଇ ବାହ୍ୟ ଶତ୍ରୁ ସହ ନୁହେଁ ବରଂ ଦେଶରେ ଥିବା ଦାରିଦ୍ର୍ୟ ଏବଂ ଅଶିକ୍ଷା ବିରୋଧରେ ଆମେ ଦୈନିକ ଲଢ଼ୁୂଛେ । ନୂଆ ଶିକ୍ଷା ନୀତି ଦ୍ୱାରା ଦେଶର ଛାତ୍ରଛାତ୍ରୀ ଲାଭବାନ୍ ହୋଇପାରିବେ । ଦେଶର ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ଚାଷୀ, ଯୁବଗୋଷ୍ଠୀ ଓ ମହିଳା ଦେଶର ବାସ୍ତବ ଶକ୍ତି । ରାଷ୍ଟ୍ରପତି ନିଜ ସମ୍ବୋଧନରେ ବିକାଶ, ପରିବେଶ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଭାରତର ନୂଆ ଆତ୍ମବିଶ୍ୱାସର ଉତ୍ସ ହେଉଛନ୍ତି ଦେଶର ଯୁବକ, କୃଷକ ଏବଂ ମହିଳା । ଯୁବଗୋଷ୍ଠୀ ଦେଶକୁ ସବୁକ୍ଷେତ୍ରରେ ଗୌରବାନ୍ୱିତ କରିବା ପାଇଁ କରୁଥିବା ପରିଶ୍ରମ ତଥା ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ସେହିପରି ମହିଳାମାନେ ସମସ୍ତ ବାଧାବିଘ୍ନକୁୂ ଅତିକ୍ରମ କରି ଆଗକୁ ବଢ଼ୁଛନ୍ତି ଏବଂ ସବୁ ପ୍ରକାର ଚାଲେଞ୍ଜକୁ ଗ୍ରହଣ କରୁଛନ୍ତି । ଦେଶର ଝିଅମାନେ ଯୁଦ୍ଧ ବିମାନ ପାଇଲଟ୍ ହେବା ଠାରୁ ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏକ ଗୌରବର ବିଷୟ । ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଝିଅମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିକ କରିବା ଆଳରେ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ୍ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।