ସମୁଦ୍ରରେ ଲୀନ ହେଉଛି ସାତଭାୟାର ଶେଷ ସ୍ମାରକୀ
ରାଜନଗର (ଆପ୍ର): କିମ୍ବଦନ୍ତୀର ଅନନ୍ୟ ସ୍ୱାକ୍ଷର ରାଜନଗର ବ୍ଲକ୍ର ଶେଷ ପ୍ରାନ୍ତରେ ବଙ୍ଗୋପସାଗର କୂଳରେ ଥିବା ମା’ ପଞ୍ଚୁବରାହୀଙ୍କ ପରିତ୍ୟକ୍ତ ମନ୍ଦିରଟି ବଙ୍ଗୋପସାଗର ଭିତରକୁ ଲୀନ ହେବାରେ ଲାଗିଛି । ଦିନଥିଲା କେବଳ ରାଜନଗର ଅଞ୍ଚଳ ନୁହେଁ, ସମଗ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ୧୯୯୯ ମହାବାତ୍ୟା ପରେ ବଙ୍ଗୋପସାଗର କୂଳ ଲଂଘିବା ଯୋଗୁଁ ସଂତ୍ରସ୍ଥ ସାତଭାୟାର ୫୭୫ ପରିବାର ଭିଟାମାଟି ହରାଇ ସାରିଛନ୍ତି । ବର୍ତମାନ କେବଳ ସାତଭାୟାର ଶେଷ ଚିହ୍ନ ଭାବେ ରହିଥିବା ପରିତ୍ୟକ୍ତ ମନ୍ଦିରଟି ଆଉ ଦିନ କେଇଟା ପରେ ସାଗରର ଗର୍ଭରେ ଲୀନ ହୋଇଯିବ । ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ସାମୁଦ୍ରିକ କୁଆର ଯୋଗୁଁ ୧୦ ଫୁଟ ଉଚ୍ଚର ସାମୁଦ୍ରିକ ଜୁଆର କୂଳ ଲଂଘି ଏହି ପରିତ୍ୟକ୍ତ ମନ୍ଦିରକୁ ନିଜ ଗର୍ଭକୁ ନେବାରେ ଲାଗିଛି । ଏହାଛଡା ସାମୁଦ୍ରିକ ଜୁଆର ସାତଭାୟାର ବିସ୍ତୀର୍ଣ୍ଣ ଚାଷଜମି ଏବଂ ବାଉଁଶଗଡିି ନଦୀ କୂଳରେ ବସବାସ କରୁଥିବା ଅଞ୍ଚଳ ବାସିନ୍ଦା ମଗରକନ୍ଦା ଗାଁଟି ମଧ୍ୟ ଜଳମଗ୍ନ ହୋଇଛି । ଯାହାକୁ ନେଇ ସାତଭାୟା, ମଗରକନ୍ଦା ଓ ବଗପାଟିଆର ନୂଆ ଠିକଣାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଛନକା ପଶିଛି । ଏଠାରେ ସୂଚନାଯୋଗ୍ୟ କ୍ରମାଗତ ଭାବରେ ସାମୁଦ୍ରିକ ଜୁଆରରେ ସାତଟି ଗାଁ ସମ୍ପୂର୍ଣ୍ଣ ଭାବରେ ଲୀନ ହୋଇଯାଇଛି । ପରବର୍ତୀ ସମୟରେ ସମୁଦ୍ର ଅଶାନ୍ତ ଯୋଗୁଁ ସାତଭାୟାର ଶେଷ ସ୍ମୃତି ସମୁଦ୍ର ଗର୍ଭକୁ ଚାଲିଯିବାକୁ ବଶିଛି ।