ଷଠତିରା-ଚାରିପୋଖରିଆ ରାସ୍ତାରେ ଆଣ୍ଠୁଏ ପାଣି
ବନ୍ତ (ଆପ୍ର): ଲଗାଣ ବର୍ଷାରେ ବନ୍ତ ବ୍ଲକ୍ର ତଳିଆ ଅଞ୍ଚଳର ଅବସ୍ଥା ବେହାଲ ହୋଇଛି । ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାରେ ତଳିଆ ଅଞ୍ଚଳରେ ଥିବା ଗ୍ରାମ ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଥିବା ବେଳେ ଚାଳଛପର ଘର ନଷ୍ଟ ହୋଇଛି । ଏହି ବ୍ଲକ ଅନ୍ତର୍ଗତ ସେଣ୍ଢତିରା ପଞ୍ଚାୟତ ଷଠତିରା, ଚାରିପୋଖରିଆ ଗ୍ରାମ୍ୟରାସ୍ତା ବୁଡ଼ି ରହିବା ଫଳରେ ଲୋକମାନେ ଯା’ଆସରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗ୍ରାମରେ ଥିବା ମଙ୍ଗଳା ମନ୍ଦିର ଚତୁଃପାଶ୍ୱର୍ରେ ପାଣି ଲହରୀ ଭାଙ୍ଗୁଛି । ଛୋଟଛୋଟ ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବାରେ ଅସୁବିଧା ଭୋଗୁଛନ୍ତି । ଏହି ପଞ୍ଚାୟତର ବେହେରା ସାହି, ମହାନ୍ତି ସାହି, ବିଶ୍ୱାଳ ସାହି, ପାତ୍ର ସାହି, ଜେନା ସାହି ଓ ସୂତାର ସାହିର ପାଖାପାଖି ୫ଶହରୁ ଅଧିକ ଲୋକ ବର୍ଷାଜଳରେ ପ୍ରଭାବିତ ହୋଇଛନ୍ତି । ଏହି ସାହି ଗୁଡ଼ିକରେ ଜଳ ନିଷ୍କାସନର ବ୍ୟବସ୍ଥା ନ ଥିବା ଏବଂ କେତେକ ଲୋକେ ମାଟି ପକାଇ ନାଳକୁ ଅବରୋଧ କରିବା ଦ୍ୱାରା ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।