ବର୍ଷା ବଢ଼ୁଛି, ନଈ ଫୁଲୁଛି
ଭୁବନେଶ୍ୱର, ୧୩ା୮ (ବୁ୍ୟରୋ): ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା ରହିଛି । ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରୁହେ, ତେବେ ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ମହାନଦୀର ଜଳସ୍ତର ଅପରାହ୍ନ ଅପେକ୍ଷା ସାମାନ୍ୟ କମିଛି ସତ କିନ୍ତୁ ଇବ୍, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା, ବ୍ରାହ୍ମଣୀ ଓ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧିପାଉଥିବା ନଜରକୁ ଆସିଛି । ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ।
ଆସନ୍ତାକାଲି ସକାଳ ୮ଟାବେଳେ ମୁଣ୍ଡଳୀ ଦେଇ ୬ ଲକ୍ଷ କୁ୍ୟସେକ ପାଣି ଅତିକ୍ରମ କରିବ ।
ଯଦି ଏପରି ଲାଗି ରହେ ତେବେ ଆସନ୍ତା ୧୫ ତାରିଖ ସକାଳେ ମୁଣ୍ଡଳୀରୁ ୭ରୁ ୮ ଲକ୍ଷ କୁ୍ୟସେକ ଜଳ ଅତିବାହିତ ହେବ । ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ସେଠାକାର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ମାତ୍ର ଆମେ ତାଙ୍କୁ ଜବାବରେ ଜଣାଇଛୁ କି ସ୍ଥିତି ଦେଖି ହୀରାକୁଦ ଗେଟ ଖୋଲିବ । ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୩୪ ଗେଟ୍ ଖୋଲାଯାଇଥିବାବେଳେ ଆଗକୁ ଏହା ବଢ଼ିପାରେ । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଛି । ସରକାରଙ୍କ ପକ୍ଷରୁ ସମସ୍ତଙ୍କ ଛୁଟି ବାତିଲ କରାଯାଇ ବିଭାଗକୁ ଆଲର୍ଟ ମୋଡ଼ରେ ରଖାଯାଇଛି । ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡି ଭାବେ ନଜର ରଖିବାକୁ ନିଦେ୍ର୍ଦଶ ଦିଆଯାଇଥିବା ମୁଖ୍ୟଯନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।
ସେପଟେ ଛତିଶଗଡ ସରକାର ବନ୍ୟା ନିୟନ୍ତ୍ରଣରେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ମହାନଦୀର ଉପର ମୁଣ୍ଡରେ ରହିଥିବା ଛତିଶଗଡ଼ର ଡ୍ୟାମ୍ଗୁଡ଼ିକରୁ କେତେ ଜଳ ଛଡ଼ା ଯାଉଛି ସେ ବିଷୟରେ ସୂଚନା ଦିଆଯାଉନି । ଫଳରେ ହୀରାକୁଦ ଡ୍ୟାମ୍ର ଜଳ ନିୟନ୍ତ୍ରଣ ଓ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ବାରମ୍ବାର ଜଣାଇବା ସତ୍ତ୍ୱେ ଆମକୁ ଛତିଶଗଡ଼ ସରକାର କୌଣସି ତଥ୍ୟ ଦେଉ ନାହାନ୍ତି । ୨ ରାଜ୍ୟ ମଧ୍ୟରେ ଶେଷ ସମନ୍ୱୟ ବୈଠକ ୨୦୧୯ରେ ହୋଇଥିଲା ।
୨୦୨୦ରେ ଭିଡିଓ କନ୍ଫରେନ୍ସିଂ ବୈଠକ କରିବାବେଳେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଛତିଶଗଡ଼ ଡ୍ୟାମ୍ କର୍ତ୍ତୃପକ୍ଷ ଅଧାରୁ ଉଠିଗଲେ । ୨୦୨୧ରେ ପୁନଶ୍ଚ ଦିଆଯାଇଥିବା ପ୍ରସ୍ତାବକୁ ନେଇ ସେମାନେ କୌଣସି ଉତ୍ତର ଦେଲେନି । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନଦୀଜଳ ନିୟନ୍ତ୍ରଣ ନେଇ ବସିଥିବା ବୈଠକରେ ଏହି ସମସ୍ୟା ସମ୍ପର୍କରେ ଛତିଶଗଡ଼ ସରକାର ଓ ସିଡବ୍ଲୁସିଙ୍କୁ ଅବଗତ କରାଯାଇଥିଲା । ଏହା ପରେ ଅନେକ ଥର ହୀରାକୁଦ ଡ୍ୟାମ୍ର ଅଧିକାରୀ ଛତିଶଗଡ଼ ଡ୍ୟାମ୍ ପରି·ଳନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଛନ୍ତି । ଚଳିତ ବର୍ଷ ବୈଠକ କରି ସମନ୍ୱୟର ହାତ ବାଇବା ନିମନ୍ତେ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସେମାନେ ଏହାକୁ ଏଡ଼ାଇ ଯାଇଛନ୍ତି । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଥିବା ଶ୍ରୀ ସାହୁ କହିଛନ୍ତି ।
ସିଡବ୍ଲୁସିର ମଧ୍ୟସ୍ଥତା ପରେ ଆସନ୍ତା ୨୩ରେ ବୈଠକ ପାଇଁ ସ୍ଥିର ହୋଇଛି । ୨ ରାଜ୍ୟ ମଧ୍ୟରେ ପ୍ରସ୍ତାବିତ ବୈଠକ ହେବ ନା ନାହିଁ ତାହା ପରେ ଜଣାପଡ଼ିବ । ମହାନଦୀର ଉପମୁଣ୍ଡରେ ଛତିଶଗଡ଼ ସରକାର ଅନେକ ଛୋଟ ବଡ଼ ଡ୍ୟାମ୍ କରି ଜଳ ନିୟନ୍ତ୍ରଣ ପ୍ରକଳ୍ପ କରିଛନ୍ତି । ତେଣୁ ଜଳ ଛଡ଼ାଯିବା ଓ ଗେଟ୍ ବନ୍ଦ ନେଇ ସିଧାସଳଖ ସୂଚନା ଆଦାନପ୍ରଦାନ ହେବା ଜରୁରୀ । ଏବେ ସିଡବ୍ଲୁସି ସୂତ୍ରରୁ ମିଳୁଥିବା ସୂଚନାକୁ ଆଧାର କରି ହୀରାକୁଦ ଜଳ ନିୟନ୍ତ୍ରଣ କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି ।
ସେପଟେ ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଶନିବାର ପୂର୍ବାହ୍ନ ପରଠୁ ବିଳମ୍ବିତ ସନ୍ଧ୍ୟା ଯାଏଁ ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍ ଖୋଲାଯାଇଛି । କାଲି ପର୍ଯ୍ୟନ୍ତ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲି ଦିଆଯାଇଥିଲା । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଡ୍ୟାମ୍ରୁ ମୋଟ ୩୪ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅ ।ବଶ୍ୟକ ପଡ଼ିଲେ ଆହୁରି ଗେଟ୍ ମଧ୍ୟ ଖୋଲାଯାଇପାରେ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷଙ୍କଠାରୁ ପ୍ରକାଶ ପାଇଛି ।
ସେହିପରି ମହାନଦୀ ଶଯ୍ୟା ତଥା ହୀରାକୁଦର ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି ହୋଇଛି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ହୀରାକୁଦ ଡ୍ୟାମ୍ର ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି । ତେଣୁ ସାଧାରଣ ଜନତା ସତର୍କ ରହନ୍ତୁ ବୋଲି ସେ କହିଛନ୍ତି । ଏଥିସହ ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ ପରାମର୍ଶ ଦେଇଛନ୍ତି । ଏଯାବତ୍ ୧୦୦୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୭ ରିଲିଫ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟମ ଜଳଭଣ୍ଡାର ଖାଲି କରିବା ଲାଗି ବ୍ୟବସ୍ଥା କରାଯାଉଛି । ୮୦% କିମ୍ବା ଅଧିକ ଜଳ ଥିବା ଜଳଭଣ୍ଡାର ନିଷ୍କାସନ କରି ୭୫% କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ରାଜ୍ୟରେ ଏଯାବତ୍ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେବାର ଖବର ନାହିଁ । ୭ ଜିଲ୍ଲା ଲାଗି ୬ ବରିଷ୍ଠ ତଥା ସ୍ୱତନ୍ତ୍ର ଅଧିକାରୀଙ୍କୁ ନିୟାଜିତ କରାଯାଇଛି । ଆସନ୍ତାକାଲିଠୁ ସେମାନେ ଦାୟିତ୍ୱ ନେଇ ସ୍ଥିତି ତଦାରଖ କରିବେ । ଜିଲ୍ଲାସ୍ତରର ଅଧିକାରୀଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବେ । ଆବଶ୍ୟକ ପଡ଼ିଲେ ଲୋକ ପ୍ରତିନିଧ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହଯୋଗ ନେବେ ବୋଲି ପ୍ରକାଶ ପାଇଛି ।
ସେପଟେ ପ୍ରବଳ ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ନିଦେ୍ର୍ଦଶ ଦେଇଛନ୍ତି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବା ସହ ଅବପାତ ରୂପ ନେଉଛି । ଅବପାତ ପରେ ଏହା ଛତିଶଗଡ଼ ମୁହାଁ ହେବ । ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ତେଣୁ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଏସ୍ଆର୍ସି ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବର୍ଷା ଓ ବନ୍ୟା ଯୋଗୁଁ କିଛି ସ୍ଥାନରେ ବନ୍ୟାଜଳ ସମସ୍ୟା ସୃଷ୍ଟି କରିପାରେ । ସେହିପରି ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ସହରର ତଳିଆଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ତେଣୁ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଏସ୍ଆରସି ନିଦେ୍ର୍ଦଶ ଦେଇଛନ୍ତି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବନ୍ୟାପରେ କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ଏସ୍ଆରସି ନିଦେ୍ର୍ଦଶ ଦେଇଛନ୍ତି ।