୨ଠ୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଅର୍ଥନୀତି ହେବ ଭାରତ
ଭୁବନେଶ୍ୱର (ବୁ୍ୟରୋ): ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବାର କ୍ଷମତା ରଖିଛି ଭାରତ । ଏମିତିକି ୨୦୬୦ ସୁଦ୍ଧା ଚୀନକୁ ଟପି ବିଶ୍ୱର ସର୍ବବୃହତ ଅର୍ଥନୀତି ହୋଇପାରିବ ଭାରତ । ଏଭଳି ଗୋଲାପି ସ୍ୱପ୍ନ ଦେଖାଇଛନ୍ତି ଆରବିଆଇ ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ଶନିବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ସେ ଏମିତି ସ୍ୱପ୍ନ ଦେଖାଇଛନ୍ତି । ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି । କିନ୍ତୁ କ୍ରୟ ଶକ୍ତି ସମତା (ପିପିପି) ଆଧାରରେ ଚୀନ ଓ ଆମେରିକା ପରେ ବିଶ୍ୱ ଜିଡିପିର ୭% ଅଂଶୀଦାର ସହ ଭାରତ ଏବେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି । ୨୦୨୭ରେ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ଭାରତ । ଓଇସିଡି ଆକଳନ ଅନୁସାରେ ୨୦୪୮ ସୁଦ୍ଧା ଭାରତ ଆମେରିକା ଅର୍ଥନୀତିକୁ ଟପିବ । ଚୀନ ପରେ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବ ଭାରତ । ସେ କହିଛନ୍ତି, ଭାରତ ନିଜର ଡେମୋଗ୍ରାଫିକ ଡିଭିଡ଼େଣ୍ଡ, ମନୁଫାକଚରିଂ, ରପ୍ତାନି ଓ ଆନ୍ତର୍ଜାତିକକରଣ ଜରିଆରେ ଏହି ଲକ୍ଷ୍ୟ ହାସଲ କରିପାରିବ । ତେବେ ଏହି ଲକ୍ଷ୍ୟ ହାସଲରେ ଅନେକ ପ୍ରତିବନ୍ଧକ ରହିଛି ।
କରୋନା ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଓ ଉତ୍ପାଦନ ବହୁଳ ପ୍ରଭାବିତ ହୋଇଛି । ଏସବୁରେ ପୂର୍ବ ସ୍ଥିତିକୁ ଫେରିବାକୁ ଭାରତକୁ ଫେରିବାକୁ ପ୍ରାୟ ୧୦ ବର୍ଷ ଲାଗିଯିବ । ସେହିଭଳି ଭିତ୍ତିଭୂମି ନିବେଶରେ ଭାରତ ବିଶ୍ୱରେ ବହୁ ପଛରେ । ଏମିତିକି ଭାରତୀୟ ଶ୍ରମବଳର କେବଳ ୪୬.୨% ନିଯୁକ୍ତିକ୍ଷମ, ଯାହାକି ଅର୍ଥିନୀତି ବିକାଶରେ ପ୍ରତିବନ୍ଧକ । ଆରବିଆଇ ଡେପୁଟି ଗଭର୍ଣ୍ଣର କହିଛନ୍ତି, ଯଦି ଭାରତ ଏସବୁ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ, ତେବେ ଆଗାମୀ ଦଶନ୍ଧିରେ ୧୧ ପ୍ରତିଶତ ହାରରେ ବିକାଶ କରିପାରିବ । ଏଭଳି ସ୍ଥିତିରେ ଭାରତ ୨୦୪୮ ନୁହେଁ, ୨୦୩୧ରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ ହେବ ଓ ୨୦୬୦ ସୁଦ୍ଧା ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ।